Below header

ବର୍ଷକୁ କେବଳ ଥରେ ମାତ୍ର ଖୋଲା ଯାଇଥାଏ ଏହି ମନ୍ଦିର, ଜାଣନ୍ତୁ ଉଜ୍ଜୟିନ ନାଗଚନ୍ଦ୍ରେଶ୍ୱର ମନ୍ଦିରର ସ୍ୱତନ୍ତ୍ରତା

ହିନ୍ଦୁ ଧର୍ମରେ ଅନେକ ଜୀବଙ୍କୁ ଠାକୁରଙ୍କ ବାହାନ ଭାବରେ ପୂଜା କରିବାର ମାନ୍ୟତା ରହିଛି। ସେହିଭଳି ଭଗବାନ ଶିବଙ୍କ ପ୍ରିୟ ନାଗସାପ ହୋଇଥିବାରୁ ତାକୁ ପୂଜା କରିବାର ପରମ୍ପରା ବହୁ କାଳରୁ ଚାଲି ଆସିଛି।ସେହିପରି ଆମ ଦେଶରେ ଅନେକ ନାଗଙ୍କ ମନ୍ଦିର ମଧ୍ୟ ରହିଛି।ଏହିସବୁ ମନ୍ଦିର ମଧ୍ୟରୁ ଉଜ୍ଜୟିନ ସ୍ଥିତ ନାଗଚନ୍ଦ୍ରେଶ୍ୱର ମନ୍ଦିର ଅନ୍ୟତମ। ଉଜ୍ଜୟିନର ମହାକାଳ ମନ୍ଦିରର ତୃତୀୟ ମହଲରେ ନାଗଚନ୍ଦ୍ରେଶ୍ୱର ମନ୍ଦିର ରହିଛି। ତେବେ ଆଜି ଆମେ ଆପଣଙ୍କୁ ଏହି ମନ୍ଦିରର ବିଶେଷତ୍ତ୍ୱ ବିଷୟରେ ଜଣାଇବୁ।

ଏହି ମନ୍ଦିରର ଏକ ବିଶେଷତ୍ତ୍ୱ ରହିଛି ଯେ ଏହା କେବଳ ନାଗପଞ୍ଚମି ଦିନ ହିଁ ଦର୍ଶନ ପାଇଁ ଖୋଲା ଯାଇଥାଏ। ନାଗରାଜ ତକ୍ଷକ ସ୍ୱୟଂ ଏହି ମନ୍ଦିରରେ ବିରାଜମାନ ରହିଥିବାର ମାନ୍ୟତା ରହିଛି।ଏହି କାରଣରୁ ବର୍ଷକୁ କେବଳ ଗୋଟିଏ ଦିନ ମନ୍ଦିରକୁ ଖୋଲି ନାଗରାଜଙ୍କର ପୂଜାର୍ଚ୍ଚନା କରାଯାଏ। ଏହା ସହିତ ନାଗଚନ୍ଦ୍ରେଶ୍ୱର ମନ୍ଦିରର ହିନ୍ଦୁ ଧର୍ମର ଲୋକଙ୍କ ନିକଟରେ କିଛି ଖାସ ସ୍ୱତନ୍ତ୍ରତା ରହିଛି।ନାଗଚନ୍ଦେରଶ୍ୱର ମନ୍ଦିରରେ ୧୧ଶହ ଶତାବ୍ଦୀର ପୁରୁଣା ପ୍ରତିମା ରହିଛି ବୋଲି ଦାବି କରାଯାଇଥାଏ।ଏହିଭଳି ପ୍ରତିମା ପୃଥିବୀର ଏକମାତ୍ର ପ୍ରତିମା ହୋଇଥିବା ବେଳେ ଏହାକୁ ନେପାଳରୁ ଏହି ସ୍ଥାନକୁ ଅଣା ଯାଇଥିଲା।

nagchandreswar2

ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ସ୍ଥାନରେ ଭଗବାନ ଶଙ୍କର ସାପ ଉପରେ ବିରାଜମାନ ଅଛନ୍ତି।ମନ୍ଦିରରେ ସ୍ଥାପିତ ହୋଇ ରହିଥିବା ପ୍ରାଚୀନ ମୂର୍ତ୍ତିରେ ମହାଦେବ,ଭଗବାନ ଗଣେଶ ଏବଂ ମା ପାର୍ବତୀଙ୍କ ସହିତ ଦଶମୁଖୀ ସର୍ପ ସଜ୍ୟା ଉପରେ ବିରାଜମାନ ରହିଛନ୍ତି।ପୌରାଣିକ କଥା ଅନୁଯାୟୀ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନାଗରାଜ ତକ୍ଷକ ଘୋର ତପସ୍ୟା କରିଥିଲେ। ନାଗରାଜଙ୍କ ତପସ୍ୟାରେ ଭଗବାନ ଶଙ୍କର ପ୍ରସନ୍ନ ହୋଇ ତାକୁ ଅମରତ୍ୱର ବର ପ୍ରଦାନ କରିଥିଲେ। ଏହାପରେ ନାଗରାଜ ପ୍ରଭୁଙ୍କର ନିକଟରେ ବାସ କରିବାକୁ ଲାଗିଲେ। କିନ୍ତୁ ମହାକାଳ ଜଙ୍ଗଲରେ ବାସ କରିବା ପୂର୍ବରୁ ତାଙ୍କ ଇଚ୍ଛା ରହିଥିଲା ଯେ ତାଙ୍କ ଏକାନ୍ତର ବିଘ୍ନ କେହି ଯେପରି ନ ଘଟାନ୍ତୁ। ଏହି କାରଣରୁ କେବଳ ନାଗପଞ୍ଚମି ଦିନ ତାଙ୍କ ମନ୍ଦିର ଖୋଲାଯାଇଥାଏ।

nagchandreswar3

୧୦୫୦ ମସିହାରେ ରାଜା ଭୋଜ ଏହି ପ୍ରାଚୀନ ମନ୍ଦିରର ନର୍ମାଣ କରାଇଥିଲେ। ଏହାପରେ ୧୭୩୨ ମସିହାରେ ସ୍କିନ୍ଧିଆ ଘରାନାର ରାଜା ରାଣୋଜି ସ୍କିନ୍ଧିଆ ମହାକାଳ ମନ୍ଦିରର ପୂର୍ଣ୍ଣ ନବିକରଣ କରାଇଥିଲେ। ଏହି ନାଗଚନ୍ଦ୍ରେଶ୍ୱରରେ ନାଗରାଜଙ୍କ ଉପରେ ବିରାଜମାନ ରହିଥିବା ଭଗବାନ ଶଙ୍କରଙ୍କ ଥରେ ଦର୍ଶନ କରିବା ପାଇଁ ସମସ୍ତ ଭକ୍ତଙ୍କ ମନରେ ଇଚ୍ଛା ରହିଥାଏ। ଏହି କାରଣରୁ ପ୍ରତିବର୍ଷ ନାଗପଞ୍ଚମି ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଲାଗି ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.