ବିଶ୍ୱର ସର୍ବବୃହତ୍‌ ଭାସମାନ କ୍ରିସମାସ୍‌ ଟ୍ରି, ଲାଗିଛି ୯ଲକ୍ଷରୁ ଊର୍ଦ୍ଧ୍ୱ ଏଲ୍‌ଇଡି ବଲ୍‌ବ

ବ୍ରାଜିଲର ରିୟୋ ଡି ଜେନେରୋରେ ପାରମ୍ପରିକ ଢଙ୍ଗରେ ସଜାଯାଇଥିବା କ୍ରିସ୍‌ମାସ୍‌ ଟ୍ରି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ଟ୍ରିକୁ ଦୁନିଆର ସବୁଠାରୁ ବଡ଼ କ୍ରିସ୍‌ମାସ୍‌ ଟ୍ରି କୁହାଯାଉଛି। ଟ୍ରିକୁ ଲାଇଟ୍‌ ଓ ମ୍ୟୁଜିକ୍‌ରେ ସଜାଯାଇଛି। ଏହି ଟ୍ରିର ଉଦ୍‌ଘାଟନ ଅବସରରେ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାକାର ଲୋକେ ଡିସେମ୍ବର ମାସକୁ ପର୍ବପର୍ବାଣୀର ଆରମ୍ଭର ସଙ୍କେତ କହିଥାନ୍ତି।

ରିପୋର୍ଟ ମୁତାବକ, ୨୩୦ ଫୁଟ ଉଚ୍ଚ ଏହି କ୍ରିସ୍‌ମାସ୍‌ ଟ୍ରିକୁ ଏକ ଶକ୍ତିଶାଳୀ ଧାତୁରେ ନିର୍ମାଣ କରାଯାଇଛି। ଶନିବାର ରୋଡ୍ରିଗୋ ଡି ଫ୍ରିଟାସ୍‌ ଲାଗୁନ୍‌ ଉପରେ ଏହି ଟ୍ରିକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଇ ଆଲୋକିତ କରାଯାଇଥିଲା। ଏହା ସ୍ଥାନକୁ ରିୟୋ ଡି ଜେନେରୋର ସବୁଠାରୁ ଲୋକପ୍ରିୟ ସ୍ଥାନ ଭାବେ ବିବେଚନା କରାଯାଏ।

ଟ୍ରିର ଉଦ୍‌ଘାଟନୀ ଅବସରରେ ଆଲୋକମାଳା, ମ୍ୟୁଜିକାଲ ଶୋ ଓ ଆତସବାଜି ପ୍ରାୟ ୭ ମିନିଟ୍‌ ଧରି ଚାଲିଥିଲା। ଏ ଅବସରରେ ଲକ୍ଷ ଲକ୍ଷ ଲୋକ ଉପସ୍ଥିତ ହୋଇ ଶୋ’ର ମଜା ଉଠାଇଥିଲେ।

Video Courtesy: On Demand News

ପ୍ରାୟ ୨୪ ତାଲା ବିଲ୍ଡିଂ ଉଚ୍ଚ ଏହି କ୍ରିସ୍‌ମାସ୍‌ ଟ୍ରି ପାଣିରେ ଭାସୁଥିବା ୧୧ ପ୍ଲାଟଫର୍ମ ଉପରେ ରଖାଯାଇଛି। ଏହାକୁ ସଜାଇବାକୁ ପାଇଁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଏଲ୍‌ଇଡି ବଲ୍‌ବ ବ୍ୟବହାର କରାଯାଇଛି। ୧୯୯୬ ମସିହାରୁ ଏହି ଉତ୍ସବ ପାଳିତ ହୋଇ ଆସୁଛି।