Below header

ଟେଷ୍ଟରେ ନମ୍ବର ୱାନ୍, ୱାନଡେରେ ବି ଏକ ନମ୍ବର

୩୦ ବର୍ଷରେ ପାଦ ଥାପିଛନ୍ତି ବିରାଟ କୋହଲି । ବର୍ତ୍ତମାନ କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଉଭା ହୋଇଛନ୍ତି । ଟେଷ୍ଟ, ଦିନିକିଆର ନମ୍ବର ଓ୍ୱାନ ଖେଳାଳି । ୧୦ ବର୍ଷର କ୍ରିକେଟ କ୍ୟାରିୟରରେ ନିଜ ନାଁରେ କରାଇଛନ୍ତି ଅନେକ ରେକର୍ଡକୁ । ବହୁ ମହାନ୍ କ୍ରିକେଟରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ  ୨୦୧୯ ବିଶ୍ୱକପ୍ ଅଭିଯାନରେ ବାହାରିବ ଟିମ୍ ଇଣ୍ଡିଆ । କିଏ କହେ ତାଙ୍କୁ ଚେଜ୍ ମାଷ୍ଟର ତ କେହି କହୁଛନ୍ତି ରନ୍ ମେସିନ୍ ।

ନଭେମ୍ବର ୫ ତାରିଖ ୧୯୮୮ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କ୍ରିକେଟର ଏହି ସୁପରଷ୍ଟାର । ୨୦୦୮ରେ ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତକୁ ଚାମ୍ପିଅନ୍ କରାଇଥିଲେ । ତାପରେ ମିଳିଲା ସିନିଅର ଟିମରେ ଏଣ୍ଟ୍ରି । ତା ପରେ ପାଦ କେବଳ ଆଗକୁ ଆଗକୁ ପଡ଼ି ଚାଲିଛି । କ୍ୟାରିଅରରେ ଯେମିତି ଆଗକୁ ବଢୁଛନ୍ତି, ସେମିତି ରେକର୍ଡ ବି ତାଙ୍କ ପଛେ ପଛେ ଗୋଡ଼ାଉଛି । ନୂଆ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛନ୍ତି ବିରାଟ । ଜନ୍ମଦିନରେ ନଜର ପକାଇବା ବିରାଟଙ୍କର କିଛି ସ୍ମରଣୀୟ ଓ ସଫଳ ଶତକୀୟ ଇନିଂସ ଉପରେ ।

VIRAT-1

୧୮୩ ରନ୍ ବିରାଟ କୋହଲିଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର । ପାକିସ୍ତାନ ବିପକ୍ଷରେ ୨୦୧୨ ଏସିଆ କପରେ ହାସଲ କରିଥିଲେ । ସେହି ମ୍ୟାଚ୍ ଥିଲା ସଚିନ ତେନ୍ଦୁଲକରଙ୍କ କ୍ୟାରିୟରରେ ଶେଷ ଦିନିକିଆ ଆନ୍ତର୍ଜାତିକ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୨୯ ରନ୍ କରିଥିଲା । ଓପନର ଗୌତମ ଗମ୍ଭୀର ସଅଳ ଆଉଟ୍ ହେବା ପରେ ସନିଚଙ୍କ ସହ ମିଶି ପାଳି ସମ୍ଭାଳିଥିଲେ କୋହଲି । ତାଙ୍କ ଧୂଆଁଧାର ଶତକ ବଳରେ ୩୩୦ ରନ୍ ବିଜୟଲକ୍ଷ୍ୟ ସହଜରେ ହାସଲ କରିଥିଲା ଭାରତ ।

VIRAT-2

୨୦୧୩ରେ ଜୟପୁରରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ଏବେ ବି କ୍ରିକେଟ ଫ୍ୟାନ୍ ମନେ ରଖିଛନ୍ତି । ସିରିଜର ଦ୍ୱିତୀୟ ମ୍ୟାଚରେ ଗର୍ଜିଥିଲା ବିରାଟଙ୍କ ବ୍ୟାଟ୍ । କଙ୍ଗାରୁ ବାହିନୀ ବୋଲରଙ୍କୁ ନାକେଦମ କରିଥିଲେ । ମାତ୍ର ୫୨ ବଲରେ ଶତକ ମାରିଥିଲେ କୋହଲି । ଏହାସହ ଦ୍ରୁତ ଶତକ ବା ଏତେ କମ୍ ବଲରେ ଶହେ ରନ୍ କରିବାରେ ବିରାଟ କୋହଲି ହୋଇଥିଲେ ପ୍ରଥମ ଭାରତୀୟ କ୍ରିକେଟର । ବୀରେନ୍ଦ୍ର ସେହଓ୍ୱାଗଙ୍କ ରେକର୍ଡ ଭାଙ୍ଗିଥିଲେ । ସେହଓ୍ୱାଗ ୬୦ ବଲରେ ଶତକ ମାରିଥିଲେ ।

VIRAT-3

ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରତିଟି ମ୍ୟାଚରେ ଚାପ ଅଧିକ ଥାଏ । ପ୍ରେସର ଭିତରେ ବି କୋହଲି ବିଶ୍ୱକପରେ ପାକିସ୍ତାନ ବିରୋଧରେ କମାଲ ଇନିଂସ ଖେଳିଥିଲେ । ୨୦୧୫ ବିଶ୍ୱକପରେ ଆଡିଲେଡରେ ପାକିସ୍ତାନ ସହ ମ୍ୟାଚରେ ୧୦୭ ରନ୍ ଇନିଂସ ଖେଳିଥିଲେ । ତାଙ୍କ ଯୋଗୁଁ ୩୦୦ ରନର ବିଶାଳ ସ୍କୋର ଠିଆ କରିଥିଲା ଭାରତ । ପାକିସ୍ତାନକୁ ହରାଇ ୭୬ ରନରେ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିଥିଲା ।

VIRAT-4

୨୦୧୨ରେ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ତ୍ରିପାକ୍ଷିକ ସିରିଜ ହୋଇଥିଲା । ସିରିଜରେ ରହିବା ପାଇଁ ଭାରତକୁ ଶ୍ରୀଲଙ୍କାଠାରୁ ମ୍ୟାଚ୍ ଜିତିବା ସହ ଗୋଟିଏ ବୋନସ୍ ପଏଣ୍ଟ ଦରକାର କରୁଥିଲା । ସେହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୨୧ ରନ୍ ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । ଏତେ ବଡ଼ ସ୍କୋର ଚେଜ୍ କରିବାର ଦମ୍ଭ ଦେଖାଇଥିଲେ ରନ୍ ମେସିନ୍ କୋହଲି । ୮୬ ବଲରେ ୧୩୩ ରନ୍ ପିଟିଥିଲେ । ଭାରତ ମ୍ୟାଚ୍ ଜିତିଗଲା । କିନ୍ତୁ ଫାଇନାଲ୍ ଟିକେଟରୁ ବଞ୍ଚିତ ହେଲା ଦଳ ।

VIRAT-5

ନିକଟରେ ଶେଷ ହୋଇଥିବା ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ଅନେକ ରେକର୍ଡ ନିଜ ନାଁରେ କରାଇଛନ୍ତି ବିରାଟ କୋହଲି । ତେବେ ଦ୍ୱିତୀୟ ଦିନିକିଆ କୋହଲିଙ୍କ ପାଇଁ ସ୍ମୃତି ହୋଇ ରହିବ । ସେହି ମ୍ୟାଚରେ କୋହଲି ଓ୍ୱାନ୍ ଡେରେ ୧୦ ହଜାର ରନ୍ କ୍ଲବରେ ନିଜ ନାଁ ଲେଖାଇଥିଲେ । ତାଙ୍କ ବ୍ୟାଟରୁ ବାହାରିଥିଲା ଅପରାଜିତ ୧୫୭ ରନ୍ । ପୁଣି ଗୋଟିଏ ସିରିଜରେ ଲଗାତର ୩ଟି ଶତକ ମାରି ନିଜକୁ ପ୍ରମାଣିତ କରିଛନ୍ତି ଯେ ସେ ହେଉଛନ୍ତି ବିଶ୍ୱ କ୍ରିକେଟର ଯୁବ ବାଦଶାହା ।

VIRAT-6

ବିଶ୍ୱ କ୍ରିକେଟର ଏବେ ହେଡଲାଇନ୍ସ ୩୦ ବର୍ଷୀୟ ବିରାଟ କୋହଲି । ଦୁନିଆର ସବୁ ଧୁରନ୍ଧରଙ୍କ ସହ ତାଙ୍କର ତୁଳନା କରାଯାଉଛି । ୨୦୧୬ରୁ ଏପର୍ଯ୍ୟନ୍ତ ବିରାଟ କୋହଲି କ୍ରିକେଟର ସବୁ ଫର୍ମାଟରେ (ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି) ୭୮୨୪ ରନ୍ କରି ସାରିଲେଣି । ଯାହାକି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ । ତାଙ୍କ ପଛକୁ ଅଛନ୍ତି ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ । ସେ ୬୩୭୧ ରନ୍ କରିଛନ୍ତି ।

ସେଞ୍ଚୁରୀ ମାରିବାରେ କିନ୍ତୁ ବହୁ ଆଗରେ ବିରାଟ । ସେ ଏପର୍ଯ୍ୟନ୍ତ ୩୮ଟି ଦିନିକିଆ ଶତକର ଅଧିକାରୀ । ଏଥିରୁ ୨୮ଟି ଶତକ କେବଳ ଗତ ତିନିରୁ ଚାରି ବର୍ଷ ଭିତରେ ମାରିଛନ୍ତି । ଦ୍ୱିତୀୟ ସ୍ଥାନରେ ୧୬ଟି ଶତକ ସହ ଅଛନ୍ତି  ଅଷ୍ଟ୍ରେଲିଆର ଡେଭିଡ୍ ଓ୍ୱାର୍ଣ୍ଣର ଓ ରୋହିତ ଶର୍ମା । ଆଗକୁ ଟିମ୍ ଇଣ୍ଡିଆକୁ ନେଇ ମିଶନ୍ ଅଷ୍ଟ୍ରେଲିଆରେ ଯିବେ କୋହଲି । ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି, ଦିନିକିଆ ଓ ଟେଷ୍ଟ ସିରିଜ୍ । ତାପରେ ବିଶ୍ୱକପ୍ କ୍ରିକେଟ୍ । କୋହଲିଙ୍କ ଆଗରେ ଚ୍ୟାଲେଞ୍ଜ ଅନେକ । କିନ୍ତୁ ପ୍ରତିଟି ଚ୍ୟାଲେଞ୍ଜର ମୁକାବିଲା କରି ସଫଳତା ବି ସାଉଁଟିବାରେ ମାହିର ବିରାଟ କୋହଲି ।

ଏହି ରନ୍ ମେସିନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବୀରେନ୍ଦ୍ର ସେହବାଗ ଅଭିନନ୍ଦନ ଜଣାଇ କହିଛନ୍ତି ‘ଆଜି ଧନତେରସରେ ମୁଁ ଆଶ କରୁଛି ଏ ବର୍ଷଟି ତୁମ ପାଇଁ ରନତେରସ୍ ହେଉ’ ।

ଅଜିତ କୁମାର ଦେହୁରୀ 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.