ସେଞ୍ଚୁରୀମ୍ୟାନଙ୍କ ଶତକ ନମ୍ବର ୩୭, ଭାରତ ଟାର୍ଗେଟ୍ ଦେଲା ୩୨୨ ରନ୍

ବିଶାଖାପାଟଣା : ପୁଣି କୋହଲିଙ୍କ ଶତକ । ଦିନିକିଆ ଆନ୍ତର୍ଜାତିକରେ ଶତକ ନମ୍ବର ୩୭ । ଏହି ଶତକ ବଳରେ ଭାରତ ଦ୍ବିତୀୟ ଦିନିକିଆ ମ୍ୟାଚରେ ୬ ୱିକେଟରେ ୩୨୧ ରନ୍ ସ୍କୋର କରି ୱେଷ୍ଟଇଣ୍ଡିଜ୍ ଆଗରେ ରଖିଛି ୩୨୨ ରନର ବିଜୟଲକ୍ଷ୍ୟ । ଆଜିର ଇନିଂସ ବେଳେ ଅନେକ ରେକର୍ଡ଼ କରିଛନ୍ତି ବିରାଟ । ଦିନିକିଆରେ ୧୦ ହଜାର ରନ୍ ପୂରଣ କରିବାରେ ସେ ହେଉଛନ୍ତି ଦ୍ରୁତତମ ଖେଳାଳି । ସେ ୨୦୫ ଇନିଂସରେ ଏହି ସଫଳତା ଲାଭ କରି ସଚିନଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ଏହା ସହିତ ୨୦୧୮ କ୍ୟାଲେଣ୍ଡର ଇୟରରେ ୧୦୦୦ ରନ୍ ଏବଂ ଭାରତ ମାଟିରେ ୪୦୦୦ ରନ୍ ପୂରଣ କରିଛନ୍ତି । ଚଳିତ ବର୍ଷ ମାତ୍ର ୧୧ଟି ଇନିଂସ ଖେଳି ସେ ୧ ହଜାର ରନ୍ ପୂରଣ କରିଛନ୍ତି ।

୪୪ ରନ୍ କରିଥିବା ବେଳେ ଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲଡରଙ୍କ ହାତରେ ଜୀବନଦାନ ପାଇଥିବା କୋହଲି ୧୨୯ ବଲରେ ଅପରାଜିତ ୧୫୭ ରନ୍ କରିଛନ୍ତି । ଏଥିରେ ରହିଛି ୧୩ଟି ଚୌକା ଓ ୪ଟି ଛକା ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଧବନ ୨୯, ରାୟୁଡୁ ୭୩ ରନ୍ କରିଥିଲେ । ତେବେ ପୂର୍ବ ମ୍ୟାଚରେ ଶତକ କରିଥିବା ରୋହିତ ଶର୍ମା ମାତ୍ର ୪ ଏବଂ ଧୋନି ୨୦, ପନ୍ତ ୧୭, ଜାଡେଜା ୧୩ ରନ୍ କରି ଆଉଟ୍ ହୋଇଥିଲେ । ଇଣ୍ଡିଜ୍ ପକ୍ଷରୁ ନର୍ସ ଓ ମାକକଏ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

ସ୍କୋର : ଭାରତ-୩୨୧/୬, ୫୦ ଓଭର (କୋହଲି ଅପରାଜିତ ୧୫୭, ରାୟୁଡୁ ୭୩) ।

Leave A Reply

Your email address will not be published.