Below header

ଦାବି ପୂରଣ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ବାଂଲାଦେଶ କ୍ରିକେଟ୍‌ ଖେଳାଳିି, ଭାରତ ଗସ୍ତରେ ଆସିବେ

ଢାକା : ଆନ୍ଦୋଳନ ପ୍ରତ୍ୟାହାର କଲେ ବାଂଲାଦେଶ କ୍ରିକେଟ୍‌ ଖେଳାଳି । ୧୧ ଦଫା ଦାବିରେ ଏମାନେ ଆନ୍ଦୋଳନ କରିଥିଲେ । ଏମିତିକି ଆଗାମୀ ଭାରତ ଗସ୍ତରେ ଯିବେ ନାହିଁ ବୋଲି ମଧ୍ୟ ଜିଦ୍‌ ଧରିଥିଲେ । ତେବେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସେମାନଙ୍କ ୧୧ଟି ଦାବି ଭିତରୁ ୯ଟି ପୂରଣ କରିବାକୁ ବୋର୍ଡ଼ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ଖେଳାଳିମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ।
ଗତକାଲି ରାତିରେ ବାଂଲା ଦଳର ଅଧିନାୟକ ଶାକିବ ଅଲ୍‌ ହାସାନଙ୍କ ସହ ବୋର୍ଡ଼ ଅଧିକାରୀମାନେ ବନ୍ଦ କୋଠରୀରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହାପରେ ଅଚଳାବସ୍ଥା ହଟିଥିଲା । ଖେଳାଳିଙ୍କ ପାଉଣା ବଢ଼ାଇବା ସହ ଅନ୍ୟ କିଛି ଦାବି ଖେଳାଳିମାନେ ରଖିଥିଲେ । ବେଶ୍‌ କିଛି ଦିନ ହେବ ଆନ୍ଦୋଳନ ଚାଲିଥିଲା । ଏଥିରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳାଳି ମଧ୍ୟ ସାମିଲ ହୋଇଥିଲେ । ଫଳରେ ବୋର୍ଡ଼ ଉପରେ ଚାପ ପଡ଼ିଥିଲା । ବିଶେଷ କରି ଆସନ୍ତା ମାସ ବାଂଲାଦେଶ ଦଳର ଭାରତ ଗସ୍ତକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ସରକାରଙ୍କ ହସ୍ତକ୍ଷେପ ପରେ ଖେଳାଳି ଓ ବୋର୍ଡ଼ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଶାକିବଙ୍କ ସହିତ ଓ୍ଵିକେଟ୍‌ କିପର ମୁସଫିକର ରହିମ ଏବଂ ଓପ୍ନର ତମିମ୍‌ ଇକବାଲ ମଧ୍ୟ ଉପସ୍ଥିତ ଥିଲେ ।
ଆସନ୍ତା ନଭେମ୍ବର ୩ ତାରିଖରୁ ବାଂଲାଦେଶ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସିବ । ଏହି ସମୟରେ ଦଳ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.