୨୫ ବର୍ଷ ତଳର ଭୁଲ୍‌ ପାଇଁ ରାହୁଲଙ୍କୁ ସର୍ବସାଧାରଣରେ କ୍ଷମା ମାଗିଲେ ଦକ୍ଷିଣ ଆଫ୍ରିକା ବୋଲର ଆଲାନା ଡୋନାଲ୍ଡ, ଏମିତି ପ୍ରତିକ୍ରିୟା ଦେଲେ ଦ୍ରାବିଡ

ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ଆଲାନ ଡୋନାଲ୍ଡ । ଦୀର୍ଘ ୨୫ ବର୍ଷ ତଳର ଏକ ଭୁଲ୍ ପାଇଁ ଦକ୍ଷିଣ ଆଫ୍ରିକାର ମହାନ ଦ୍ରୁତ ବୋଲର ଆଲାନ୍ ଡୋନାଲ୍ଡ ଏବେ ସର୍ବସାଧାରଣରେ ଦ୍ରାବିଡଙ୍କୁ କ୍ଷମା ମାଗିଛନ୍ତି । ୧୯୯୭ ମସିହାର ଡର୍ବାନ୍ ତ୍ରିରାଷ୍ଟ୍ରୀୟ ଫାଇନାଲରେ ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡ଼ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଆକ୍ରାତ୍ମକ ବ୍ୟାଟିଂ କରୁଥିବା ବେଳେ ଆଲାନ୍ ଡୋନାଲ୍ଡ ସ୍ଲେଜିଂ କରି ଦ୍ରାବିଡ଼ଙ୍କୁ ଆଉଟ୍ କରିବାରେ ସକ୍ଷମ ହୋଇଥିଲେ।

ଏହି ଘଟଣାର ୨୫ ବର୍ଷ ପରେ ଏବେ ଆଲାନ୍ ଅନୁତପ୍ତ ହୋଇ ଦ୍ରାବିଡଙ୍କୁ କ୍ଷମା ମାଗିଛନ୍ତି । ସେ ଏକ ବୟାନ ଦେଇ କହିଛନ୍ତି, ୧୯୯୭ରେ ‘ଡର୍ବାନରେ ଏକ ଅଘଟଣ ଘଟିଥିଲା, ଏ ସମ୍ପର୍କରେ ମୁଁ ଆଲୋଚନା କରିବାକୁ ଚାହୁଁ ନାହିଁ। ଦ୍ରାବିଡ଼ ଓ ସଚିନ ତେନ୍ଦୁଲକର ଆମ ବୋଲରଙ୍କ ବଲ୍‌କୁ ଆକ୍ରାତ୍ମକ ବ୍ୟାଟିଂ କରୁଥିଲେ । ଆମ ଦଳ ଚିନ୍ତାରେ ରହିଥିଲା। ସେହି ସମୟରେ ମୁଁ ସହିବାର ସୀମା ପାର କରିଯାଇଥିଲି। ଏବେ ବି ଦ୍ରାବିଡଙ୍କ ପାଇଁ ମୋର ଯଥେଷ୍ଟ ସମ୍ମାନ ରହିଛି। ଆଉ ଏବେ ମୁଁ ରାହୁଲଙ୍କ ସହ ବସି କ୍ଷମା ମାଗିବା ସହ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରୁଛି। ତୁମ ସହ ରାତ୍ରୀଯାପନ କରିବାକୁ ପସନ୍ଦ କରିବି’।

ସୂଚନାଯୋଗ୍ୟ, ବର୍ଷା ବାଧାପ୍ରାପ୍ତ ଡର୍ବାନ୍ ତ୍ରିରାଷ୍ଟ୍ରୀୟ ଫାଇନାଲରେ ଭାରତ ସାମ୍ନାରେ ୪୦ ଓଭରରେ ୨୫୨ ରନ୍ ଲକ୍ଷ୍ୟ ରହିଥିଲା ଦକ୍ଷିଣ ଆଫ୍ରିକା। ସୌରଭ ଗାଙ୍ଗୁଲିଙ୍କୁ ଡୋନାଲ୍ଡ ଜଲଦି ଆଉଟ୍ କରିଦେଇଥିଲେ ମଧ୍ୟ ଦ୍ରାବିଡ଼ ଓ ସଚିନ ଆକ୍ରାତ୍ମକ ବ୍ୟାଟିଂ କରିଥିଲେ। ଦ୍ରାବିଡ଼ ସେହି ମ୍ୟାଚରେ ୯୪ ବଲ୍ରୁ ୮୪ ରନ୍ କରିଥିଲେ। ତେବେ ସ୍ଲେଜିଂ କରି ତାଙ୍କୁ ଆଉଟ୍ କରିଥିବା କିଛି ବର୍ଷ ତଳେ ଡୋନାଲ୍ଡ ସ୍ବୀକାର କରିଥିଲେ। ଭାରତ ସେହି ଫାଇନାଲ୍କୁ ୧୭ ରନରେ ହାରିଯାଇଥିଲେ ମଧ୍ୟ ଦ୍ରାବିଡ଼ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏକ ଭିନ୍ନ ସାକ୍ଷାତକାର ବେଳେ ଦ୍ରାବିଡ଼ ମଧ୍ୟ ଚମତ୍କାର ଉତ୍ତର ଦେଇଛନ୍ତି। ‘ଡୋନାଲ୍ଡଙ୍କ ସହ ରାତ୍ରୀଭୋଜନ ପାଇଁ ମୁଁ ପ୍ରସ୍ତୁତ ଅଛି, ଯଦି ସେ ଖର୍ଚ୍ଚ ସମ୍ଭାଳିବେ’ ହସି ହସି ଏଭଳି କହିଥିଲେ ଦ୍ରାବିଡ଼।

ଏବେ ରାହୁଲ ଦ୍ରାବିଡ଼ ଓ ଆଲାନ୍ ଡୋନାଲ୍ଡ ବାଂଲାଦେଶ-ଭାରତ ସିରିଜରେ ପୁଣି ଥରେ ଏକାଠି ହୋଇଛନ୍ତି। ଦ୍ରାବିଡ଼ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଥିବା ବେଳେ ଡୋନାଲ୍ଡ ବାଂଲାଦେଶର ବୋଲିଂ ପ୍ରଶିକ୍ଷକ ରହିଛନ୍ତି।  ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଚାଲୁ ରହିଛି। ଆଜି ତୃତୀୟ ଦିନରେ ବାଂଲାଦେଶ ଅଲଆଉଟ ହେବା ପରେ ଭାରତ ପୁଣି ବ୍ୟାଟିଂ କରୁଛି। ଭାରତ ଦ୍ୱିତୀୟ ଇନିଂସରେ ୧ ଓ୍ଵିକେଟ ହରାଇ ୧୩୦ ରନ୍‌ କରିଛି । ଏହା ସହିତ ୩୮୪ ରନରେ ଆଗୁଆ ରହିଛି ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.