Below header

କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ଘୋଷଣା : ଭାରତୀ ମିଶ୍ର ଲାଇଫ ଟାଇମ ଓ ଅମୂଲ୍ୟ ବେହେରା ଶ୍ରେଷ୍ଠ କୋଚ୍‌ ମନୋନୀତ

ଷାଠିଏ ଓ ସତୁରୀ ଦଶକରେ ଦେଶର ଶ୍ରେଷ୍ଠ ଫୁଟବଲ ଗୋଲ କିପରରି କୁହାଯାଉଥିବା ଭାରତୀ କୃଷ୍ଣ ମିଶ୍ର ଏବଂ ସଫଳ ହକି କୋଚ ଅମୂଲ୍ୟ ବେହେରାଙ୍କୁ ସମ୍ମାନଜନକ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ ।

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶା କ୍ରୀଡାର ଜଣେ କିମ୍ବଦନ୍ତୀ ଖେଳାଳି ଏବଂ ଷାଠିଏ ଓ ସତୁରୀ ଦଶକରେ ଦେଶର ଶ୍ରେଷ୍ଠ ଫୁଟବଲ ଗୋଲ କିପରରି କୁହାଯାଉଥିବା ଭାରତୀ କୃଷ୍ଣ ମିଶ୍ର ଏବଂ ସଫଳ ହକି କୋଚ ଅମୂଲ୍ୟ ବେହେରାଙ୍କୁ ୨୦୨୩ ବର୍ଷର ସମ୍ମାନଜନକ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ । ପରଲୋକଗତ ବିଶିଷ୍ଟ କ୍ରିକେଟ କୋଚ୍‌ କମଲ ଗାଙ୍ଗୁଲୀଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ମାରୁତି ଇଷ୍ଟେଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ସହଯୋଗରେ ଦୀର୍ଘ ବର୍ଷ ଧରି ଏହି ସମ୍ମାନଜନକ ପୁରସ୍କାର ଦିଆଯାଇ ଆସୁଛି ।

ଷାଠିଏ ଦଶକରେ ଲିଟିଲ ଥଙ୍ଗରାଜ ଭାବରେ ଶ୍ରଦ୍ଧାରେ ଡକା ଯାଉଥିବା ଭାରତୀକୃଷ୍ଣ ମିଶ୍ର ୧୯୬୫ ମସିହାରେ ଟୋକିଓରେ ଅନୁଷ୍ଠିତ ୟୁଥ୍ ଏସିଆନ ଚାମ୍ପିଅନସିପରେ ଭାରତୀୟ ଦଳରେ ସାମିଲ ହୋଇ ଖେଳିଥିଲେ । ୧୯୬୦ ମସିହାରେ ପ୍ରଥମ ସୁବ୍ରତ କପରେ ଭାରତୀ ସାମିଲ ଥିବା ଓଡ଼ିଶା ଦଳ ସେମିଫାଇନାଲକୁ ଯାଇଥିଲା । ୧୯୬୭ ମସିହାରେ ସେମିକୁ ଯାଇଥିବା ଓଡ଼ିଶା ସନ୍ତୋଷ ଟ୍ରଫି ଦଳରେ ସେ ଖେଳି ଥିଲେ । ତା’ ପରବର୍ଷ ସନ୍ତୋଷ ଟ୍ରଫିରେ ଦଳର ଅଧିନାୟକ ଥିଲେ। କମ୍ବାଇଣ୍ଡ କଟକ ଦଳରୁ ସେ ୬୦ ଦଶକରେ ଆଇଏଫଏ ସିଲଡ, ଡୁରାଣ୍ଡ ଏବଂ ରୋଭର୍ସ କପରେ ନିୟମିତ ଖେଳିଥିଲେ । ଭ୍ରମଣକାରୀ ସୋଭିଏତ ସଂଘ ଦଳ ବିପକ୍ଷରେ ତିନିଟି ମ୍ୟାଚ ଖେଳିବା ସହ ଗୋଟିକରେ ନେତୃତ୍ୱ ମଧ୍ୟ ନେଇଥିଲେ । ୧୯୮୨ ଏସିଆନ ଗେମ୍ସ ବେଳେ ସେ ଜାତୀୟ ଫୁଟବଲ ଚୟନକର୍ତ୍ତା ଥିଲେ । ୧୯୮୩ ଓ ୧୯୮୪ର ଜାତୀୟ ସ୍ପଟର ରହିଥିଲେ । ସେଲ ଫୁଟବଲ ଏକାଡେମୀ ସ୍ଥାପନ କମିଟିର ସଦସ୍ୟ ସହ ଓଡ଼ିଶା ସନ୍ତୋଷ ଟ୍ରଫି ଦଳର କୋଚ ଓ ଚୟନକର୍ତ୍ତା ଦାୟିତ୍ୱ ତୁଲାଇଛନ୍ତି । ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଫୁଟବଲ, ଭଲିବଲ ଏବଂ କ୍ରିକେଟରେ ପ୍ରତିନିଧିତ୍ୱ କରିଥିଲେ। ବୁର୍ଲା ଇଞ୍ଜିନିୟରିଂ କଲେଜରୁ ସେ ଶିକ୍ଷା ଗ୍ରହଣ କରିଥିଲେ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦଳରୁ ତିନି ବର୍ଷ ହକି ଖେଳିବା ପରେ ଜାତୀୟ କ୍ରୀଡା ପ୍ରତିଷ୍ଠାନରୁ କୋଚ୍‌ ଭାବେ ତାଲିମପ୍ରାପ୍ତ ହୋଇ ୧୯୯୧ରୁ କୋଚ ଭାବେ ଦାୟିତ୍ୱ ଆରମ୍ଭ କରିଥିଲେ ଅମୂଲ୍ୟ ବେହେରା । ରାଜ୍ୟ କ୍ରୀଡା ଛାତ୍ରାବାସରେ କୋଚ ଭାବରେ କାର୍ଯ୍ୟ କରିବା ଭିତରେ ଭାରତୀୟ ହକି ଦଳ ପାଇଁ ଏକାଧିକ ଦକ୍ଷ ଖେଳାଳି ତିଆରି କରିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଇଗ୍ନେସ ଓ ପ୍ରବୋଧ ତିର୍କୀ, ୱିଲିୟମ ଖାଲକୋ, ଜ୍ୟୋତି ସୁନୀତା କୁଲୁ,ସୁନୀଲ ଏକ୍କା, ସୁନୀଲ ଜୋଜୋ ଏବଂ ସୁଦୀପ ଚିରମାକୋ ପ୍ରମୁଖ ।

ସହିଦ ସ୍ପୋର୍ଟିଂ କ୍ଳବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ ବୈଠକରେ କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ୱାଇଁ, ସଂଜୀବ ବିଶ୍ୱାଳ, ସମ୍ବିତ ମହାପାତ୍ର, ତପନ ସ୍ୱାଇଁ, ଉମାକାନ୍ତ ମିଶ୍ର,ସମୀକ୍ଷା ପଟ୍ଟନାୟକ, ସମୀର ରାଉତ, ନିରଞ୍ଜନ ରେଡ୍ଡୀ ଏବଂ ଶକ୍ତି ପ୍ରକାଶ ନନ୍ଦ, ବିଶିଷ୍ଟ କ୍ରିକେଟର ରଶ୍ମିରଞ୍ଜନ ପରିଡ଼ା, ମାରୁତି ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ଏବଂ ଆୟୋଜକ କ୍ଳବର କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତି ସାମିଲ ହୋଇଥିଲେ । କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ୨୦୧୨ରୁ ପ୍ରଦାନ କରାଯାଉଛି । ବିଶିଷ୍ଟ କ୍ରିକେଟ କୋଚ କିଶୋର ମାଣିଆ, ନୌଚାଳନା କୋଚ୍‌ ଜୋସ ଜ୍ୟାକବ, ମହିଳା ଫୁଟବଲ କୋଚ୍‌ ସ୍ୱର୍ଗତ ନନ୍ଦ କିଶୋର ପଟ୍ଟନାୟକ, ଆଥଲେଟିକ୍‌ କୋଚ୍‌ ନୀଳ ମାଧବ ଦେଓ, ଜିମ୍ପାଷ୍ଟିକ୍‌ କୋଚ୍‌ ଅଶୋକ ମିଶ୍ର, ମହିଳା କ୍ରିକେଟ୍‌ କୋଚ୍‌ ରଶ୍ମିତା ମହାନ୍ତି, ପାରା ବ୍ୟାଡମିଣ୍ଟନ୍‌ କୋଚ୍ ଶିବ ପ୍ରସାଦ ଦାସ ଏବଂ ବିଶିଷ୍ଟ କୋଚ୍‌ ତଥା କ୍ରୀଡ଼ା ସଂଗଠକ ହରି ପ୍ରସାଦ ପଟ୍ଟନାୟକ ଏହି ପୁରସ୍କାର ଲାଭ କରିଥିଲେ ।

ସେହିପରି ୨୦୧୪ ମସିହାରୁ ସହିଦ ସ୍ପୋର୍ଟିଂ ଲାଇଫ ଟାଇମ ପୁରସ୍କାର ପ୍ରଦାନ ଧାରା ଆରମ୍ଭ ହୋଇଥିଲା । ପ୍ରଥମେ ମଦନ ମୋହନ ମହାନ୍ତି ଏହି ପୁରସ୍କାର ଲାଭ କରିଥିଲେ । ପରେ ବିଜୟ ଶତପଥୀ, ଅରୂପାନନ୍ଦ ରାଉତରାୟ, ଅଶୋକାନନ୍ଦ ଜେନା, ଅଶୋକ ମହାନ୍ତି ଏବଂ ପିଟର ତିର୍କୀଙ୍କୁ ଏହା ପ୍ରଦାନ କରାଯାଇଥିଲା ।
ଆଗାମୀ ଫେବୃୟାରୀ ୧୮ ତାରିଖ ଦିନ ସହିଦ ସ୍ଫୋର୍ଟିଂ କ୍ଳବ ପରିସରରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି କ୍ଳବ ସମ୍ପାଦକ ପଙ୍କଜ ପଟ୍ଟନାୟକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.