ପ୍ରଥମ ଟେଷ୍ଟ : ରନ୍‌ର ପାହାଡ଼ ମୁଣ୍ଡାଇ ଦ୍ୱିତୀୟ ପାଳି ଆରମ୍ଭ କଲା ବାଂଲାଦେଶ

ଢାକା : ଘରୋଇ ବାଂଲାଦେଶ ଆଗରେ ପାହାଡ଼ ଭଳି ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତ ୫୧୩ ରନ୍‌ର ଲକ୍ଷ୍ୟ ଦେଇଛି । ତାର ପିଛା କରି ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ତାର ଦ୍ୱିତୀୟ ଇନିଂସ୍‌ରେ କୌଣସି ଓ୍ଵିକେଟ୍‌ ନହରାଇ ୪୨ ରନ୍‌ କରିଛି ।

ଭାରତ ପ୍ରଥମ ପାଳିରେ ୪୦୪ ରନ୍‌ କରିବା ପରେ ବାଂଲାଦେଶକୁ ମାତ୍ର ୧୫୦ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲା । ପରେ ଟିମ୍‌ ଇଣ୍ଡିଆ ବ୍ୟାଟରମାନେ ଦ୍ୱିତୀୟ ପାଳିରେ ଦିନିକିଆ ମ୍ୟାଚ୍‌ ଭଳି ବ୍ୟାଟିଂ କରିଥିଲେ । ଏଥିରେ ଯୁବ ଓପ୍ନର ଶୁଭମାନ ଗିଲ୍‌ ୧୫୨ ବଲ୍‌ରେ ୧୧୦ ରନ୍‌ କରିଥିଲେ । ସେହିପରି ଚେତେଶ୍ୱର ପୂଜାରା ୧୩୦ ବଲ୍‌ରେ ଅପରାଜିତ ୧୦୨ ରନ୍‌ କରିଥିଲେ । ତାଙ୍କ ସହ ବିରାଟ କୋହଲି ୧୯ ରନ୍‌ କରି ଖେଳୁଥିବା ବେଳେ ପାଳି ଘୋଷଣା କରାଯାଇଥିଲା । ଭାରତ ଦ୍ୱିତୀୟ ଇନିଂସ୍‌ରେ ୬୧.୪ ଓଭରରେ ମାତ୍ର ୨ଟି ଓ୍ଵିକେଟ୍‌ ହରାଇ ୨୫୮ ରନ୍‌ କରିଛି । ଟେଷ୍ଟ କ୍ୟାରିୟରରେ ଏହା ଗିଲ୍‌ଙ୍କର ପ୍ରଥମ ଏବଂ ପୂଜାରାଙ୍କର ୧୯ତମ ଶତକ । ପ୍ରଥମ ଇନିଂସ୍‌ରେ ପୂଜାରା ୯୦ ଏବଂ ଗିଲ୍‌ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଏପଟେ ବାଂଲାଦେଶର ହାଲତ ପୂରା ଖରାପ । ପ୍ରଥମ ପାଳିରେ ମାତ୍ର ୧୫୦ ରନ୍‌ କରିଥିବା ଘରୋଇ ଦଳ କେମିତି ନିଜକୁ ବଡ଼ ପରାଜୟରୁ ବଞ୍ଚାଇବ ସେ ନେଇ ସଂଘର୍ଷ ଆରମ୍ଭ କରିଛି । କାରଣ ଭାରତୀୟ ବୋଲର କୁଲଦୀପ ଯାଦବ ଏମାନଙ୍କର ୫ଟି ଓ୍ଵିକେଟ୍‌ ଖସାଇ ଦେଇଥିଲେ ମାତ୍ର ୪୦ ରନ୍‌ ଦେଇ । କୁଲଦୀପ ପୁଣି ଭାରତର ପ୍ରଥମ ପାଳିରେ ୧୧୪ ବଲ୍‌ର ସାମନା କରି ୪୦ ରନ୍‌ ମଧ୍ୟ କରିଥିଲେ । ଏବେ ସେ ଆସନ୍ତାକାଲି ଚତୁର୍ଥ ଦିନରେ କମାଲ ଦେଖାଇବେ ବୋଲି ଆଶା କରାଯାଉଛି । ଭାରତକୁ ପଛରେ ପକାଇ ଏହି ମ୍ୟାଚ୍‌ ଜିତିବା ପାଇଁ ବାଂଲାଦେଶକୁ ଆହୁରି ୪୭୧ ରନ୍‌ କରିବାକୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.