ଲିଓନେଲ ମେସିଙ୍କୁ କୁଣ୍ଢାଇ ପକାଇଥିବା ଫ୍ୟାନ୍‌ଙ୍କୁ ଗିରଫ କଲା ଚୀନ ପୋଲିସ, ମିଳିଲା ଦଣ୍ଡ

ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ସୁରକ୍ଷା ବାଡ ଭାଙ୍ଗି ପଶିଆସିଥିଲେ ଜଣେ ଫ୍ୟାନ୍‌ । ମେସିଙ୍କୁ ସାକ୍ଷାତ କରିବା ପାଇଁ ପଡିଆକୁ ପଶି ଆସିଥିବା ୧୮ ବର୍ଷୀୟ ଫ୍ୟାନ୍‌ଙ୍କୁ ଗିରଫ କରିଛି ଚୀନ ପୋଲିସ ।

ଆର୍ଜେଣ୍ଟିନା ଫିଫା ବିଶ୍ବକପ ଟାଇଟଲ ଜିତିବା ପରେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛି ।  ଚୀନର ରାଜଧାନୀ ବେଜିଂରେ ଖେଳାଯାଉଥିବା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୦ରେ ହରାଇଛି । ଏହି ମୁକାବିଲାରେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କ ଗୋଲ୍‌ ଯୋଗୁଁ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ମାତ୍‌ ଦେଇଥିଲା । ଏହି ମ୍ୟାଚ ସମୟରେ ୧୮ ବର୍ଷୀୟ ଯୁବ ଫ୍ୟାନ୍‌ ଚର୍ଚ୍ଚାକୁ ଆସିଥିଲେ ।

ଫ୍ୟାନ୍‌ ଜଣକ ମେସିଙ୍କୁ ସାକ୍ଷାତ କରିବା ପାଇଁ ସୁରକ୍ଷା ବାଡ ଡେଇଁ ମଇଦାନକୁ ଏଣ୍ଟ୍ରି କରିଥିଲେ । ମଇଦାନକୁ ଦୌଡି ଆସି ଯୁବକ ଜଣକ ମେସିଙ୍କୁ କୁଣ୍ଢାଇ ପକାଇଥିଲେ । ମେସିଙ୍କ ଫ୍ୟାନଙ୍କ ଏଭଳି ମନୋବଳ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ମେସି ନୁହେଁ ଫ୍ୟାନ୍‌ ଜଣକ ଆର୍ଜେଣ୍ଟିନାର ଗୋଲକିପର ଏମିଲିୟାନୋ ମାର୍ଟିନେଜଙ୍କ ସହିତ ହାଇଫାଇଭ ମଧ୍ୟ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ତାଙ୍କୁ ପିଛା କରି ଧରିବା ପରେ ପଡିଆ ବାହାରକୁ ନେଇ ଯାଇଥିଲେ ।

ତେବେ ଖବର ମୁତାବକ, ଏବେ ସେହି ଯୁବକଙ୍କୁ ଗିରଫ କରାଯାଇଛି । ବେଜିଂର ଚାଓୟାଙ୍ଗ ଜିଲ୍ଲା ପୋଲିସ ଏକ ବୟାନରେ କହିଛନ୍ତି, ଜଣେ ୧୮ ବର୍ଷୀୟ ଫ୍ୟାନ୍ସଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଛି । ଆଗାମୀ ୧୨ ମାସ ପର୍ଯ୍ୟନ୍ତ ଷ୍ଟାଡିୟମରେ ପ୍ରବେଶ ପାଇଁ ବ୍ୟାନ୍‌ ଲଗାଯାଇଛି । ତେବେ ନିୟମ ଅନୁଯାୟୀ, ଖେଳ ଦେଖିବାକୁ ଆସିଥିବା ଫୁଟବଲ ପ୍ରଶଂସକ ଯଦି କୌଣସି ନିୟମ ଭଙ୍ଗ କରନ୍ତି, ତେବେ ତାଙ୍କୁ ଆଇନ ମୁତାବକ ଦଣ୍ଡିତ କରାଯିବ ।

ସୂଚନାଯୋଗ୍ୟ, ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଚୀନ ପୋଲିସ ବେଜିଂ ଏୟାରପୋର୍ଟରେ ଅଟକ ରଖିଥିଲା । ଖବର ମୁତାବକ, ମେସିଙ୍କ  ଭିସା ସମସ୍ୟା ନେଇ ତାଙ୍କୁ ଅଟକ ରଖାଯାଇଥିବା ଖବର ମିଳିଥିଲା । ୩୦ ମିନିଟ୍‌ ପରେ ସମସ୍ୟା ସାମାଧାନ ହେବା ପରେ ମେସି ଯାଇଥିଲେ । ପାସପୋର୍ଟ ଏବଂ ଭିସା ଯୋଗୁଁ  ମେସି ବେଜିଂ ଏୟାରପୋର୍ଟରେ ଅଟକ ରହିଥିଲେ । ମେସିଙ୍କ ପାଖରେ ଆର୍ଜେଣ୍ଟିନା ଏବଂ ସ୍ପେନର ପାସପୋର୍ଟ ରହିଛି । କିନ୍ତୁ ଏଠାରେ ସେ ସ୍ପେନର ପାସପୋର୍ଟ ସହିତ ଯାତ୍ରା କରୁଥିଲେ । ତାଙ୍କ ପାଖରେ ଚୀନର ଭିସା ନଥିଲା । ଏଥିପାଇଁ ତାଙ୍କୁ ଏୟାରପୋର୍ଟରେ ଅଟକ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.