ଢେଙ୍କାନାଳ କୁସୁମୁଣ୍ଡିଆ ଗାଁର ଡ୍ୟାନସିଂ ଅମ୍ପାୟାର ବବୁଲ୍ କରୁଛନ୍ତିି କମାଲ, ଭିଡିଓ ଦେଖନ୍ତୁ
କାମାକ୍ଷାନଗର (କେନ୍ୟୁଜ୍) : ବେଳେ ବେଳେ ଖାଲି ଖେଳ ଦେଖିବାକୁ ଭଲ ଲାଗେନି । ପଡ଼ିଆରେ ଘଟୁଥିବା କିଛି ଭିନ୍ନ ଘଟଣା ଦେଖିବା ଓ ଜାଣିବାକୁ ମଜା ଲାଗେ । ଅନ୍ତର୍ଜାତୀୟ କ୍ରିକେଟ୍ରେ ବିଲ୍ଲୀ ବାଓଡେନଙ୍କୁ କ୍ରିକେଟ୍ ପ୍ରେମୀ ଭଲ ଭାବେ ଜାଣନ୍ତି । ସେ ଏକଦମ୍ ନିଆରା ଢଙ୍ଗରେ ସାଇନ୍ ସବୁ ଦିଅନ୍ତି । ସେମିତି ଆମ ଓଡ଼ିଶାରେ ଜଣେ ଗ୍ରାମୀଣ ଅଞ୍ଚଳର ଅମ୍ପାୟାର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଅସି ଯାଇଛନ୍ତି । ତାଙ୍କୁ ସମସ୍ତେ ଜାଣନ୍ତି ଡ୍ୟାନସିଂ ଅମ୍ପାୟାର ବବୁଲ ଭାବରେ । ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ୍ ଦଶିପୁର ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଗାଁ । ଏହି ଗାଁର ୧୯ ବର୍ଷ ବୟସ୍କ ବବୁଲ ସାହୁଙ୍କ କ୍ରିକେଟ୍ ସଂକେତ ସବୁ ଦର୍ଶକଙ୍କ ପାଇଁ ବେଶ୍ ଆକର୍ଷଣ ସୃଷ୍ଟି କରିଛି । ସେ ଜେଣେ ଡ୍ୟାନସିଂ ଅମ୍ପାୟାର ଭାବେ କ୍ରୀଡ଼ାପ୍ରେମୀଙ୍କ ମନ ଜିଣୁଛନ୍ତି । ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେରେ ବବୁଲ ନିଆରା ଶୈଳୀରେ ଅମ୍ପାୟରିଂ କରି ସବୁରି ପ୍ରିୟ ହୋଇ ପାରିଛନ୍ତି ।
ବବୁଲ ପ୍ରତି ବଲ୍ ପରେ ସଂଗୀତର ତାଳେ ତାଳେ ନୃତ୍ୟ କରି ଚୌକା ଛକା, ଆଉଟ ଆଦିର ସଙ୍କେତ ଦେଇଥାନ୍ତି । ସେଥିପାଇଁ ତାଙ୍କୁ ବହୁତ ଆଡୁ ମ୍ୟାଚ୍ ପରିଚାଳନା କରିବା ଲାଗି ଡାକରା ଆସେ । ପରଜଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ଶେଷ ବର୍ଷରେ ପାଠ ପଢୁଛନ୍ତି ବବୁଲ । ତାଙ୍କର ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନୁହେଁ । ତେଣୁ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ଅମ୍ପାୟରିଂ କରି କିଛି ରୋଜଗାର କରୁଛନ୍ତି ।
ବବୁଲଙ୍କର ସଙ୍ଗୀତ, କମେଡି ଓ କ୍ରିକେଟ ଖେଳ ପ୍ରତି ବହୁତ ଦୁର୍ବଳତା ରହିଛି । ବବୁଲୁଙ୍କ ବାପା ଉଗ୍ରେସନ ସାହୁ ଜଣେ ଚାଷୀ ଏବଂ ମା’ ବବିନ ସାହୁ ଜଣେ ଗୃହିଣୀ। ପରଜଙ୍ଗ ବ୍ଳକ୍ ଡିହଡୋଳ ଠାରେ କ୍ରିକେଟ ଅମ୍ପାୟାରିଂ କରି କ୍ୟାରିୟର ଆରମ୍ଭ କରିଥିବା ବବୁଲ ବର୍ତ୍ତମାନ ସୁଦ୍ଧା ଶହେରୁ ଊର୍ଦ୍ଧ୍ୱ ମ୍ୟାଚ୍ରେ ଅମ୍ପାୟାରିଂ କରି ସାରିଲେଣି । କ୍ରିକେଟ୍୍ପ୍ରେମୀ କ୍ରିକେଟ ମ୍ୟାଚ୍ ଯେତିକି ଦେଖିବାକୁ ଭଲ ପାଆନ୍ତି ତାଠାରୁ ବେଶି ଏହି ଯୁବ ଡ୍ୟାନ୍ସିଂ ଅମ୍ପାୟାର ବବୁଲୁଙ୍କ ନିଆରା ଡ୍ୟାନ୍ସ ଦେଖିବାକୁ ଭିଡ଼ ଜମାନ୍ତି ।