କାଶ୍ମୀରରେ ଏଭଳି ପରିସ୍ଥିତି ସତ୍ୱେ, ନିଜ ବାଟାଲିୟନ ସହିତ ଏହି ଅନ୍ଦାଜରେ ନଜର ଆସିଲେ ଧୋନୀ
ଜାମ୍ମୁ କାଶ୍ମୀରରେ ଚାଲିଥିବା ଗମ୍ଭୀର ପରିସ୍ଥିତିରେ ମଧ୍ୟ ସେନା ସହିତ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସେଠାରେ ଉପସ୍ଥିତ ରହିଛନ୍ତି। କ୍ରିକେଟରୁ ଦୁଇ ମାସ ସନ୍ନ୍ୟାସ ନେଇ କାଶ୍ମୀରରେ ସେନାବାହିନୀ ସହିତ ଡ୍ୟୁଟି କରୁଛନ୍ତି ଧୋନୀ। ଏଠାରେ ରହିଥିବା ବେଳେ ଧୋନୀଙ୍କର ପ୍ରଥମ ଥର ପାଇଁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଧୋନୀ ଭଲିବଲ ଖେଳୁଥିବାର ନଜର ଆସିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି, ଯେଉଁଥିରେ ଧୋନୀ ନିଜ ଟିମ୍ ପାଇଁ ସର୍ଭିସ କରୁଥିବାର ଦେଖିବାକୁ ମିଳିଛି।
୨୦୧୯ ବିଶ୍ୱକପ ପରେ ଧୋନୀ କ୍ରିକେଟ ଜଗତରୁ ସନ୍ନ୍ୟାସ ନେବେ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ଧୋନୀ ୱେଷ୍ଟିଣ୍ଡିଜକୁ ଖେଳିବାକୁ ଯିବାକୁ ଥିବା ଦଳରୁ ନିଜ ନାମ ବାଦ ଦେଇ ୩୧ ଜୁଲାଇରୁ ଜାମ୍ମୁ କାଶ୍ମୀରରେ ଯବାନମାନଙ୍କ ସହିତ ଡ୍ୟୁଟି କରୁଛନ୍ତି। ଧୋନୀ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଭିକ୍ଟର ଫୋର୍ସ ସହିତ ସେଠାରେ ରହିବେ।
ଏହାସହ ପଢନ୍ତୁ : ଦ୍ୱିତୀୟ ଟି-୨୦ ମ୍ୟାଚ୍ : ଭାରତୀୟ ଦଳର ସ୍କୋର ୫ ଓ୍ଵିକେଟ୍ରେ ୧୬୭ ରନ୍
୨୦୧୧ରେ ଧୋନୀଙ୍କୁ ଲେଫନେଣ୍ଟ କର୍ନଲ ମାନ୍ୟତା ପ୍ରଦାନ କରାଯାଇଥିଲା। ୨୦୧୫ରେ ଆଗ୍ରା ଟ୍ରେନିଂ କ୍ୟାମ୍ପରେ ସେନା ବିମାନରୁ ପାଞ୍ଚଥର ପାରାଶୁଟ ଜମ୍ପ ମାରି କ୍ୱାଲିଫାଏଡ ପରାଶୁଟର ମଧ୍ୟ ଚୟନ ହୋଇଥିଲେ ଧୋନୀ। ସେହିଭଳି ଧୋନୀ ପାରାଶୁଟ ରେଜିମେଣ୍ଟର ୧୦୬ ପାରା ବାଟାଲିଅନର ସଦସ୍ୟ ମଧ୍ୟ ଅଟନ୍ତି।
ଧୋନୀ ଯେଉଁ ଭିକ୍ଟର ଫୋର୍ସ ସହିତ କାଶ୍ମୀରରେ ରହିଛନ୍ତି, ସେ ୟୁନିଟ କାଶ୍ମୀରର ସବୁଠାରୁ ଆତଙ୍କୀ ପ୍ରଭାବିତ ଜିଲ୍ଲା ସୋପିୟାଁ ଏବଂ ଅନନ୍ତନାଗରେ କାମ କରୁଛି। ଗତ କିଛିଦିନ ହେଲାଣି କାଶ୍ମୀରରେ ଅସ୍ଥିରତା ଲାଗି ରହିଥିବାରୁ ମୋବାଇଲ ସେବାକୁ ଆଶିଂକ ରୂପରେ ବନ୍ଦ କରିଦିଆଯାଇଛି।