୧୩ ବର୍ଷ ପୂର୍ବେ ଧୋନୀ ରଚିଥିଲେ ଏହି ଇତିହାସ, ଆଜି ଯାଏଁ କେହି ଭାଙ୍ଗି ପାରି ନାହାନ୍ତି ରେକର୍ଡ

୧୩ ବର୍ଷ ପୂର୍ବେ ଆଜିର ଦିନରେ ଶ୍ରୀଲଙ୍କାକୁ ଧୂଳି ଚଟାଇଥିଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ୩୧ ଅକ୍ଟୋବର ୨୦୦୫ରେ ଇତିହାସ ରଚିଥିଲେ ମାହି । ଜୟପୁରର ସଓ୍ୱାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଇଥିବା ଦିନିକିଆ ଆନ୍ତର୍ଜାତିକରେ ଶ୍ରୀଲଙ୍କା ବିରୋଧରେ ମାତ୍ର ୧୪୫ ବଲରେ କରିଥିଲେ ୧୮୩ ରନ୍ । ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଭାବରେ ମାହି କରିଥିଲେ ସବୁଠାରୁ ବଡ଼ ବ୍ୟକ୍ତିଗତ ସ୍କୋର, ଯାହା ଆଜି ବି କାଏମ୍ ରହିଛି । ଏହି ଇନିଂସ୍ ବେଳେ ଅଷ୍ଟ୍ରେଲିଆ ଓ୍ୱିକେଟକିପର/ବ୍ୟାଟସମ୍ୟାନ ଆଡାମ୍ ଗିଲକ୍ରିଷ୍ଟଙ୍କ ୧୭୨ ରନର ରେକର୍ଡକୁ ଭାଙ୍ଗିଥିଲେ ଧୋନୀ ।
ୱିକେଟକିପର୍ ବ୍ୟାଟ୍ସମ୍ୟାନ୍ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍
ମହେନ୍ଦ୍ର ସିଂହ ଧୋନୀ ୧୮୩ ରନ୍, ୨୦୦୫ ମସିହା ବନାମ ଶ୍ରୀଲଙ୍କା
କ୍ଲିଣ୍ଟନ୍ ଡି କକ୍ ୧୭୮ ରନ୍, ୨୦୧୬ ମସିହା ବନାମ ଅଷ୍ଟ୍ରେଲିଆ
ଆଡାମ୍ ଗିଲକ୍ରିଷ୍ଟ ୧୭୨ ରନ୍, ୨୦୦୪ ମସିହା ବନାମ ଜିମ୍ବାୱେ
୨୯୯ ରନର ଟାର୍ଗେଟ୍ ଦେଇ ଡରାଇଥିଲା ଶ୍ରୀଲଙ୍କା :
ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୯୮ ରନର ବିଶାଳ ଲକ୍ଷ୍ୟ ରଖିଥିଲା ଭାରତ ସାମ୍ନାରେ । ଯେଉଁଥିରେ କୁମାର ସାଙ୍ଗାକାରା କରିଥିଲେ ୧୩୮ ରନ୍ । ତେବେ ସେ ସମୟରେ ୨୯୯ ରନର ଲକ୍ଷ୍ୟ ପୂରା କରିବା ଚ୍ୟାଲେଞ୍ଜିଙ୍ଗ୍ ଥିଲା । କିନ୍ତୁ ଲମ୍ବା କେଶ ବାଲା ଧୋନୀ ଏହି ଲକ୍ଷ୍ୟକୁ ଛୋଟ ବୋଲି ପ୍ରମାଣିତ କରିଦେଲେ ।
ଏହି ମ୍ୟାଚରେ ଧୋନୀଙ୍କୁ ୩ୟ ସ୍ଥାନରେ ବ୍ୟାଟିଂ ପାଇଁ ରଖିଥିଲେ ଟିମ୍ ଇଣ୍ଡିଆର ତତ୍କାଳୀନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡ୍ । କାରଣ ଭାରତୀୟ ଟିମ୍ ମାତ୍ର ୭ ରନ୍ କରି ସଚିନ୍ ତେନ୍ଦୁଲକରଙ୍କ ୱିକେଟ୍ ହରାଇଥିଲା ।
ହେଲିକପ୍ଟର ସଟ୍ ର ଦମ୍ ଦେଖାଇଥିଲେ ଧୋନୀ :
Throwback – On this day in 2005, @msdhoni notched his highest ODI score. KaBOOM all the way 💪🏻💥💥😎 pic.twitter.com/UM3B3aTRJy
— BCCI (@BCCI) October 31, 2018
ମଇଦାନଙ୍କୁ ଓହ୍ଲାଇ ଚାମିଣ୍ଡା ଭାସ୍ ଏବଂ ମୁଥେୟା ମୁରଲୀଧରନଙ୍କ ଭଳି ଖତରନାକ୍ ବୋଲରଙ୍କ ସାମ୍ନା କରିଥିଲେ ଧୋନୀ । ହେଲେ ନିଜ ହେଲିକପ୍ଟର ସଟ୍ ର କମାଲ୍ ଦେଖାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଏହା ପରେ ମାରି ଚାଲିଥିଲେ ଧୋନୀ । ଏମିତି ଆକ୍ରମଣାତ୍ମକ ଢଙ୍ଗରେ ଖେଳିଲେ ଧୋନୀ ଯେ ଶ୍ରୀଲଙ୍କା ବୋଲରଙ୍କ ଅବସ୍ଥା ଖରାପ ହୋଇଯାଇଥିଲା । ମାତ୍ର ୪୦ ବଲରେ ଅର୍ଦ୍ଧଶତକ ଏବଂ ୮୫ ବଲରେ ଶତକ କରିଥିଲେ ଧୋନୀ ।
ତିନି ନମ୍ବରରେ ମିଳିଥିବା ସୁଯୋଗର ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ ଧୋନୀ । ଆଉ ଶେଷରେ ମାତ୍ର ୧୪୫ ବଲରେ ୧୮୩ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ ଧୋନୀ । ଏହି ବିଶାଳ ସ୍କୋରରେ ୧୫ଟି ଜବରଦସ୍ତ ଚୌକା, ୧୦ଟି ଗଗନଚୁମ୍ବି ଛକା ଲଗାଇଥିଲେ । ଧୋନୀଙ୍କ ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ମାତ୍ର ୪୬.୧ ଓଭରରେ ୩୦୩ ରନ୍ କରି ୬ ୱିକେଟରେ ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ଡିଆ ।
ଧୋନୀଙ୍କ ୫ ଐତିହାସିକ ନିଷ୍ପତ୍ତି : ଯାହା ଆଶ୍ଚର୍ୟ୍ୟ କରିଥିଲା ପୂରା ବିଶ୍ବକୁ
ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓରଫ ଏମଏସଡି । କ୍ୟାପଟେନ୍ କୁଲ୍ ଭାବରେ ବେଶ୍ ଲୋକପ୍ରିୟ ଧୋନୀ ନିଜର ନିଷ୍ପତ୍ତିରେ ବିରୋଧୀଙ୍କୁ ଅନେକ ଥର ଆଶ୍ଚର୍ୟ୍ୟ କରିଛନ୍ତି । କ୍ରିକେଟର ମୈଦାନ ହେଉ ବା ମୈଦାନ ବାହାରେ, କେହି ବି ଟକ୍କର ଦେଇପାରି ନାହାନ୍ତି ଧୋନୀଙ୍କୁ । ଅଧିନାୟକ ଭାବରେ ଦଳ ପାଇଁ ଅନେକ ଆଶ୍ଚର୍ୟ୍ୟ କଲା ଭଳି ନିଷ୍ପତ୍ତି ନେଇଛନ୍ତି ମାହି । ଯାହା କେବଳ ବିପକ୍ଷ ନୁହେଁ ନିଜ ଦଳର ଖେଳାଳିଙ୍କୁ ବି ଚକିତ କରିଛି । ଏବେ ନଜର ପକାନ୍ତୁ ଧୋନୀଙ୍କ ୫ଟି ଐତିହାସିକ ନିଷ୍ପତ୍ତି ଉପରେ ।
୨୦୦୭ ଟି – ୨୦ ବିଶ୍ବ କପ୍ ଫାଇନାଲ୍ :
ଅଧିନାୟକ ଭାବରେ ଏକ ୟଙ୍ଗ୍ ଟିମକୁ ନେଇ ୨୦୦୭ରେ ପ୍ରଥମ ଟି-୨୦ ବିଶ୍ବକପ୍ ଖେଳିବାକୁ ଯାଇଥିବା ଧୋନୀ ଫାଇନାଲ୍ ପର୍ୟ୍ୟନ୍ତ ପହଞ୍ଚି ଥିଲେ । ଟାଇଟଲ୍ ବାଟରେ ପ୍ରତିବନ୍ଧକ ସାଜି ମୈଦାନରେ ଥିଲା ଚିରଶତ୍ରୁ ପାକିସ୍ତାନ । ତେବେ ପାକିସ୍ତାନର ଫର୍ମରେ ଥିବା ଖେଳାଳି ମିସବା ଉଲ୍ ହକଙ୍କ ସାମ୍ନାରେ ଅଲରାଉଣ୍ଡର୍ ଯୋଗେନ୍ଦ୍ର ଶର୍ମାଙ୍କୁ ଶେଷ ଓଭର୍ ଦେଇ ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ ଧୋନୀ ।
ପୂରା ଟିମ୍ ସହ ୨୦୦୯ ଟି – ୨୦ ବିଶ୍ବ କପ୍ ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଲେ :
ଇଂଲଣ୍ଡରେ ଖେଳାଯାଇଥିବା ୨୦୦୯ ଟି – ୨୦ ବିଶ୍ବ କପର ଠିକ୍ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପୂରା ଟିମ୍ ସହ ପହଂଚିଥିଲେ ଧୋନୀ । କାରଣ ଥିଲା ମିଡିଆରେ ଉଡୁଥିବା ମିଛ ଖବର । ଧୋନୀ ଏବଂ ଉପଅଧିନାୟକ ବୀରେନ୍ଦ୍ର ସେହ୍ବାଗଙ୍କ ମଧ୍ୟରେ ଚାଲିଥିବା ଝଗଡା ଏକ ଗୁଜବ ବୋଲି ଜଣାଇବା ପାଇଁ ଏଭଳି କରିଥିଲେ କ୍ୟାପଟେନ୍ କୁଲ୍ ।
୨୦୧୧ ବିଶ୍ବକପ୍ ଫାଇନାଲରେ ଯୁବରାଜଙ୍କ ପୂର୍ବରୁ ବ୍ୟାଟିଂ ନିଷ୍ପତ୍ତି :
ମୈଦାନରେ ଧୋନୀଙ୍କୁ ଖତରୋଁ କି ଖିଲାଡି କୁହାଯାଏ । ସେଥିପାଇଁ ତ ତାଙ୍କୁ ବିଶ୍ବ କପ୍ ଭଳି ବଡ ମଂଚ ମିଳେ ପରୀକ୍ଷା ନିରୀକ୍ଷା ପାଇଁ । ଶ୍ରୀଲଙ୍କା ବିରୋଧରେ ଫର୍ମରେ ଥିବା ଯୁବରାଜ ସିଂହଙ୍କ ପୂର୍ବରୁ ବ୍ୟାଟିଂ ପାଇଁ ମୈଦାନଙ୍କୁ ଓହ୍ଲାଇଥିଲେ ଧୋନୀ । ଆଉ ମାହିଙ୍କ ମାଡରେ ୨୮ ବର୍ଷ ପରେ ବିଶ୍ବ କପ୍ ଜିତିଥିଲା ଭାରତ ।
୨୦୧୪ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟେଷ୍ଟ ସିରିଜ୍ ମଧ୍ୟରେ ସନ୍ନ୍ୟାସୀ :
ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟେଷ୍ଟ ସିରିଜ୍ ମଧ୍ୟରେ ହିଁ ଟେଷ୍ଟରୁ ସନ୍ନ୍ୟାସ ନେବା କଥା ହଠାତ୍ ଘୋଷଣା କରିଥିଲେ ଧୋନୀ। ଯାହା ତାଙ୍କ ପ୍ରଶଂସକ ତଥା ଅନ୍ୟ କ୍ରିକେଟ୍ ଖେଳାଳିଙ୍କୁ ଆଶ୍ଚର୍ୟ୍ୟ କରିଥିଲା । ୪ଟି ମ୍ୟାଚ୍ ଥିବା ଏହି ସିରିଜର ୩ୟ ମ୍ୟାଚ୍ ଶେଷ ହେବା ପରେ ପରେ ଟେଷ୍ଟ କ୍ରିକେଟ୍ ଛାଡିବା ପାଇଁ ଘୋଷଣା କରିଥିଲେ ।
ଦିନିକିଆ ଏବଂ ଟି-୨୦ ଅଧିନାୟକ ପଦ ଛାଡ଼ିଲେ :
ଭାରତୀୟ ଟିମକୁ ଦୁଇଟି ବିଶ୍ବ କପ୍ ଏବଂ ଗୋଟିଏ ଚାମ୍ପିୟନ୍ସ ଟ୍ରଫି ଦିଆଇଥିବା ଧୋନୀ ହଠାତ୍ ଅଧିନାୟକ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ । ୪ ଜାନୁଆରୀ ୨୦୧୭ରେ କ୍ୟାପଟେନ୍ କୁଲ୍ ଧୋନୀଙ୍କର ପଦକ୍ଷେପ ଯୋଗୁଁ କ୍ରିକେଟ୍ ଜଗତରେ ଚହଳ ପଡିଯାଇଥିଲା ।
ଟି-ଟ୍ବେଣ୍ଟି ଦଳରୁ କାହିଁକି ବାଦ୍ ପଡ଼ିଲେ ଧୋନି, ଆଉ ସୁଯୋଗ ପାଇବେ ତ ?
ଅନ୍ଯପଟେ ଦେଶ ପାଇଁ ଓ ନିଜ ପାଇଁ ଏତେ ସଫଳତା ଆଣିଥିବା ଧୋନୀଙ୍କ ବ୍ୟାଟିଂ ବିଫଳତା ଏବେ ଚିନ୍ତାରେ ପକାଇଛି ଟିମକୁ । ଧୋନି ନିଜେ ମଧ୍ୟ ଏହାକୁ ନେଇ ବିବ୍ରତ । କାରଣ ୨୦୧୯ ବିଶ୍ବକପ୍ ପର୍ଯ୍ୟନ୍ତ ଖେଳିବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି । ହେଲେ ଏସିଆକପ୍ ଓ ଚଳିତ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜରେ ବ୍ୟାଟିଂରେ ଫେଲ୍ ମାରିଛନ୍ତି ମାହି । ସେପଟେ ଋଷଭ ପନ୍ତଙ୍କ ଭଳି ଖେଳାଳି ଧୋନିଙ୍କ ଯୋଗୁଁ ବ୍ୟାକଡୋରରେ ରହୁଛନ୍ତି । ଅବଶ୍ୟ ଧୋନି ୱିକେଟକିପିଂରେ ଆଗୁଆ ଅଛନ୍ତି । ଦୌଡ଼ି ଦୌଡ଼ି ପୁଣି ଡାଇଭ୍ ମାରି ଯେଭଳି କ୍ୟାଚ୍ ଧରିଛନ୍ତି । ପୁଣି ଆଖି ପିଛୁଳାକେ କରିଛନ୍ତି ଷ୍ଟମ୍ପିଂ । ସେଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । କିନ୍ତୁ ବିଶ୍ବକପ୍ ଟିମ୍ ପାଇଁ ସେ ବୋଝ ହୋଇଯିବେନି ତ ? ଏଭଳି ଏକ ଆଶଙ୍କା କରାଯାଉଛି ।
ସେଥିପାଇଁ ଧୋନି ବାଦ୍ ପଡ଼ିଛନ୍ତି ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ସହ ଖେଳଯିବାକୁ ଥିବା ଆଗାମୀ ଟି-ଟ୍ବେଣ୍ଟି ସିରିଜରୁ । ତେବେ ଏଇଠାରୁ ତାଙ୍କର ଟି-ଟ୍ବେଣ୍ଟି କ୍ୟାରିୟର ସରିଗଲା ବୋଲି କେହି ଭାବିବା ଉଚିତ ନୁହେଁ ବୋଲି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ସୂଚାଇଛନ୍ତି । ବିକଳ୍ପ ଖେଳାଳି ଚୟନ ପାଇଁ ୩୭ ବର୍ଷ ବୟସ୍କ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ଜାଗାରେ ଅନ୍ୟ ଖେଳାଳିଙ୍କୁ ପରୀକ୍ଷା କରାଯିବ । ତେଣୁ ଦଳରେ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କୁ ସାମିଲ କରାଯାଇଛି ।
ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଧୋନି ନିଜ ବ୍ୟାଟିଂକୁ ନେଇ ଚିନ୍ତିତ ଅଛନ୍ତି । ସେ ଆଗାମୀ ସରିଜରୁ ଓହରିଯିବା ପାଇଁ ନିଜେ ପ୍ରସ୍ତାବ ଦେଇଛନ୍ତି । ଏହା ଭିତରେ ନିଜ ବ୍ୟାଟିଂରେ ଥିବା ତ୍ରୁଟି ସୁଧାରିବେ । ତେବେ ଭାରତର ସବୁଠୁ ସଫଳ ଅଧିନାୟକ ଧୋନିଙ୍କ ଦଳ ପରିଚାଳନା ଅଭିଜ୍ଞତା ଏବଂ ୱିକେଟକିପିଂକୁ ନଜରରେ ରଖି ଆଗାମୀ ବିଶ୍ବ କପ୍ ଯାଏ ସେ ଖେଳନ୍ତୁ ବୋଲି ବିସିସିଆଇ ସମେତ ଅଧିନାୟକ ବିରାଟ କୋହଲି ମଧ୍ୟ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏପଟେ ଧୋନିଙ୍କ ଯୋଗୁଁ ଭାରତୀୟ ଦଳର ମଧ୍ୟଭାଗ ଦୁର୍ବଳ ହୋଇଥିବା ସ୍ପଷ୍ଟ ହୋଇଛି ।ତଥାପି ଧୋନୀଙ୍କର ବିକଳ୍ପ ନାହିଁ । ତାଙ୍କ ଅଭିଜ୍ଞତା ହିଁ ଦଳ ପାଇଁ ଅନେକ କମାଲ ଆଣି ଦେବ ।