Below header

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ଟିମ୍‌ ଇଣ୍ଡିଆକୁ ବିରାଟ ଭରସା

ବର୍ମିଂହାମ : ଏଜବାଷ୍ଟନରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ଆଜି ହେଉଛି ଦ୍ୱିତୀୟ ଦିନ । ଇଂଲଣ୍ଡର ୨୮୭ ରନ୍‌ ଜବାବରେ ପ୍ରଥମ ଇନିଂସ୍‌ରେ ଭାରତକୁ ଘାଇଲା କରିଛନ୍ତି ମିଡିୟମ ପେସ୍‌ ବୋଲର୍‌ ସାମୁଏଲ୍‌ କୁରାନ୍‌ ଓ ବେନ୍‌ ଷ୍ଟୋକ୍ସ । ୫୧ ଓଭର ବେଳକୁ ଭାରତର ୭ ଜଣ ବ୍ୟାଟ୍‌ସମ୍ୟାନ୍‌ ପାଭିଲିଆନ୍‌ ଲେଉଟି ସାରିଥିଲେ । ଦଳୀୟ ସ୍କୋର ଥିଲା ୭ ଓ୍ଵିକେଟ୍‌ରେ ୧୭୧ ରନ୍‌ । କେବଳ ଖୁଣ୍ଟ ଭଳି ଠିଆ ହୋଇ ଇନିଂସ୍‌ ସମ୍ଭାଳୁଥିଲେ ଅଧିନାୟକ ବିରାଟ କେହଲି । ତଥାପି ଇଂଲଣ୍ଡ ସ୍କୋର ଠାରୁ ଆହୁରି ୧୧୬ ରନ୍‌ ପଛରେ ଥିଲା ଭ୍ରମଣକାରୀ ଦଳ । ନିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବାମହାତୀ ବୋଲର୍‌ କୁରାନ୍‌ ୪ଟି ଏବଂ ଷ୍ଟୋକ୍ସ ୩ଟି ଓ୍ଵିକେଟ୍‌ ନେଇଥିଲେ । ଆରମ୍ଭରୁ କୁରାନ୍‌ ବଡ଼ ଝଟ୍‌କା ଦେଇଥିଲେ ଟିମ୍‌ ଇଣ୍ଡିଆକୁ ।

ପ୍ରଥମ ୫୦ ରନ୍‌ ପର୍ୟ୍ୟନ୍ତ ଦୁଇ ଓପ୍ନର ମୁରଲୀ ବିଜୟ ଓ ଶିଖର ଧବନ ବେଶ୍‌ ସତର୍କତାର ସହ ଇନିଂସ୍‌କୁ ଆଣିଥିଲେ । ହେଲେ କୁରାନ୍‌ ଆସି ଖେଳର ମୋଡ଼ ବଦଳାଇ ଦେଲେ । ୯ ରନ୍‌ ଭିତରେ ଝଡ଼ିଗଲା ଭାରତର ୩ଟି ପ୍ରମୁଖ ଓ୍ଵିକେଟ୍‌ । ପ୍ରଥମେ ବିଜୟ ୨୦ ରନ୍‌ କରି କୁରାନ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହେଲେ । ପରେ ନୂଆ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ମାତ୍ର ୪ ରନ୍‌ କରି ତାଙ୍କ ବଲ୍‌ରେ କ୍ଲିନ୍‌ ବୋଲଡ୍‌ ହୋଇଥିଲେ । ଏହା ପୂର୍ବରୁ ମାତ୍ର ଗୋଟିଏ ଟେଷ୍ଟ ଖେଳିଥିବା କୁରାନ୍‌ଙ୍କ ତୃତୀୟ ଶିକାର ଥିଲେ ୨୬ ରନ୍‌ କରିଥିବା ଧବନ। ପ୍ରଥମ ଓ୍ଵିକେଟ୍‌ ଭାଗିଦାରୀରେ ୫୦ ରନ୍‌ ଯୋଡ଼ିବା ପରେ ୫୯ ରନ୍‌ ଭିତରେ ପଡ଼ିଥିଲା ଏହି ୩ଟି ଓ୍ଵିକେଟ୍‌ । ତେବେ ବିରାଟ ରାହାଣେ (୧୫) ଓ ପାଣ୍ଡ୍ୟା (୨୨)ଙ୍କ ସ୍ୱଳ୍ପ ସହଯୋଗରେ ଲଢ଼େଇ ଜାରି ରଖିଥିଲେ । ଅଶ୍ୱିନ୍‌ (୧୦) ଆଉଟ୍‌ ହେବା ବେଳକୁ ବିରାଟ ଅର୍ଦ୍ଧଶତକ କରି ୬୪ ରନ୍‌ରେ ଅପରାଜିତ ଥିଲେ । ପୂର୍ବରୁ ଘରୋଇ ଇଂଲଣ୍ଡ ଦଳ ୨୮୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଭାରତ ପକ୍ଷରୁ ସ୍ପିନର ଅଶ୍ୱିନ୍‌ ୪ ଓ ପେସ୍‌ ବୋଲର ମହମ୍ମଦ ସାମି ୩ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.