Below header

କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ୨୦୨୦-୨୧ : ଲାଇଫ ଟାଇମ୍‍ ପୁରସ୍କାର ପିଟର ତିର୍କୀ ଓ ହରିପ୍ରସାଦଙ୍କୁ ଶ୍ରେଷ୍ଠ କୋଚ୍

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ ଏବଂ ରାଜ୍ୟର ଜଣାଶୁଣା କୋଚ ହରିପ୍ରସାଦ ପଟ୍ଟନାୟକ ୨୦୨୦-୨୧ କ୍ରୀଡ଼ା ସିଜିନ୍‍ର କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ। ବିଶିଷ୍ଟ କ୍ରିକେଟ କୋଚ କମଲ ଗାଙ୍ଗୁଲୀଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଶହୀଦ ସ୍ପୋର୍ଟିଂ ପକ୍ଷରୁ ୨୦୧୨ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

୨୦୨୦-୨୧ ବର୍ଷ ପାଇଁ ଲାଇଫ ଟାଇମ୍‍ ପୁରସ୍କାର ପିଟର ତିର୍କୀ ଏବଂ ଶ୍ରେଷ୍ଠ କୋଚ ପୁରସ୍କାର ପାଇବେ ହରିପ୍ରସାଦ ।୧୯୮୨ ମସିହାରେ ମାଲେସିଆରେ ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପ୍‍ରେ ଭାରତୀୟ ଦଳରୁ ଖେଳି ଓଡ଼ିଶାର ପ୍ରଥମ ଆନ୍ତର୍ଜାତୀକ ହକି ଖେଳାଳି ହେବାର ଗୌରବ ଲାଭ କରିଥିଲେ ପିଟର ତିର୍କୀ । ୧୯୮୪ ଲସ୍‍ ଏଞ୍ଜେଲସ ଅଲିମ୍ପିକ୍‍ କ୍ୟାମ୍ପରେ ବି ସେ ସାମିଲ ଥିଲେ । ରାଉରକେଲା ସେଲ ଏକାଡ଼େମୀ ସହ ଏବେ ବି ଜଡ଼ିତ ଥିବା ପିଟର ତିର୍କୀ, ଖେଳାଳି ଜୀବନ ପରେ କୋଚ ଭାବରେ ସକ୍ରୀୟ ଅଛନ୍ତି । ୨୦୨୦-୨୧ ସିଜିନ୍‍ ପାଇଁ ସେ ଶହୀଦ ସ୍ପୋର୍ଟିଂ ଲାଇଫ୍‍ ଟାଇମ୍‍ ପୁରସ୍କାର ପାଇବେ ।

ସେହିପରି କରାଟେ ସହ ସୁଟିଂ, ୱେଟ ଲିପି୍ଟଂ ଏବଂ ପାୱାର ଲିପ୍ଟିଂ ଭଳି ଏକାଧିକ କ୍ରୀଡ଼ାର ପ୍ରସାରରେ ସମର୍ପିତ ଥିବା କ୍ରୀଡ଼ା ବ୍ୟକ୍ତିତ୍ୱ ଡ. ହରିପ୍ରସାଦ ପଟ୍ଟନାୟକଙ୍କୁ ଏଥରର କମଲ ଗାଙ୍ଗୁଲୀ ସ୍ମାରକୀ ଶ୍ରେଷ୍ଠ କୋଚ ପୁରସ୍କାର ପ୍ରଦାନ କରାଯିବ । ଶହୀଦ ସ୍ପୋର୍ଟିଂ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଏହି ଦୁଇ ସଫଳ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ୨୦୨୦-୨୧ କ୍ରୀଡ଼ା ବର୍ଷ ପାଇଁ ମନୋନୀତ କରାଯାଇଥିଲା ।

ଏହି କମଲ ଗାଙ୍ଗୁଲୀ ସ୍ମାରକୀ ଶ୍ରେଷ୍ଠ କୋଚ ପୁରସ୍କାର ୨୦୧୨ରେ ବିଶିଷ୍ଟ କ୍ରିକେଟ କୋଚ କିଶୋର ମାଣିଆ, ୨୦୧୩ରେ ରୋଇଂ କୋଚ ଜୋସ ଜ୍ୟାକବ, ୨୦୧୪ରେ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକ, ୨୦୧୫ରେ ଆଥଲେଟିକ୍ସ କୋଚ ନୀଳମାଧବ ଦେଓ, ୨୦୧୭ରେ ଜିମ୍ନାଷ୍ଟିକ୍‍ କୋଚ ଅଶୋକ ମିଶ୍ର, ୨୦୧୮ ପାଇଁ କ୍ରିକେଟ କୋଚ ରଶ୍ମିତା ମହାନ୍ତି ଏବଂ ୨୦୧୯ ପାଇଁ ଶ୍ରେଷ୍ଠ କୋଚ ପୁରସ୍କାର ପାଇଥିଲେ ପାରା ବ୍ୟାଡମିଣ୍ଟନ କୋଚ ଶିବ ପ୍ରସାଦ ଦାସ ।

୨୦୧୪ରୁ ଲାଇଫ ଟାଇମ୍‍ ପୁରସ୍କାର ପ୍ରଦାନ କରାଯାଉଥିଲା ବେଳେ ପ୍ରଥମ ବର୍ଷ ମଦନମୋହନ ମହାନ୍ତି, ୨୦୧୫ରେ ବିଜୟ ଶତପଥୀ, ୨୦୧୭ରେ ଅରୂପାନନ୍ଦ ରାଉତରାୟ, ୨୦୧୮ରେ ଅଶୋକାନନ୍ଦ ଜେନା ଏବଂ ୨୦୧୯ରେ ଅଶୋକ ମହାନ୍ତି ଏହାକୁ ହାସଲ କରିସାରିଛନ୍ତି । ନିକଟରେ କ୍ଲବ ପରିସରରେ ଆୟୋଜିତ ହେବାକୁ ଥିବା ବିଶେଷ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.