ଭାରତ-ନ୍ୟୁଜିଲାଣ୍ଡ ସେମି ପୂର୍ବରୁ ମିଳିଲା ଧମକପୂର୍ଣ୍ଣ ମେସେଜ, ଓ୍ଵାଙ୍ଖଡେର ସୁରକ୍ଷା ବଢାଇଲା ମୁମ୍ବାଇ ପୋଲିସ

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ପୂର୍ବରୁ ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ମେସେଜ ମିଳିଛି । କିଛି ବଡ ଘଟଣା ପାଇଁ ମୁମ୍ବାଇ ପୋଲିସକୁ ଚେତାବନୀ ମିଳିଛି । ଧମକପୂର୍ଣ୍ଣ ମେସେଜ ମିଳିବା ପରେ ମୁମ୍ବାଇ ପୋଲିସ ଓ୍ଵାଙ୍ଖଡେ ଷ୍ଟାଡିୟମର ସୁରକ୍ଷା ବଢାଇ ଦେଇଛି ।

କ୍ରିକେଟ ମହାକୁମ୍ଭର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ସେମିରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଥିବା ବେଳେ ମ୍ୟାଚ ପୂର୍ବରୁ ମୁମ୍ବାଇ ପୋଲିସକୁ ଧମକ ମିଳିଛି । ଯାହା ମୁମ୍ବାଇ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ମୁମ୍ବାଇ ପୋଲିସକୁ ଏକ୍ସ ମାଧ୍ୟମରେ ଏକ ଧମକପୂର୍ଣ୍ଣ ମେସେଜ ମିଳିଛି । ମୁମ୍ବାଇ ପୋଲିସକୁ ଟ୍ୟାଗ୍‌ କରି ଧମକ ଦେଇଛି । ଯେଉଁଥିରେ କୁହାଯାଇଛି, ମ୍ୟାଚ ସମୟରେ କିଛି ବଡ ଘଟଣାକୁ ଅଞ୍ଜାମ ଦିଆଯିବ । ଅଜ୍ଞାତ ବ୍ୟକ୍ତି ଜଣକ ଟୁଇଟ କରି ବନ୍ଧୁକ, ହ୍ୟାଡ ଗ୍ରେନେଡ ଏବଂ ଗୁଳି ଥିବା ଫଟୋ ସେୟାର କରିଛି ।

ସନ୍ଦିଗ୍ଧର ଧମକପୂର୍ଣ୍ଣ ମେସେଜ ପରେ ମୁମ୍ବାଇ ଓ୍ଵାଙ୍ଖଡେର ସୁରକ୍ଷା କଡାକଡି କରାଯାଇଛି । ଷ୍ଟାଡିୟମର ଆଖପାଖରେ କଡା ନଜର ରଖାଯାଇଛି ।

୨୦୧୯ର ବଦଲା ନେବାକୁ ଅଣ୍ଟା ଭିଡିଛି ଟିମ୍ ଇଣ୍ଡିଆ । ବିଶ୍ୱକପରେ ଉଭୟ ଦଳଙ୍କ ସାମ୍ନାସାମ୍ନି ସ୍ଥିତିକୁ ଦେଖିଲେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ଜଣାପଡୁଛି । ବିଗତ ୧୨ଟି ସଂସ୍କରଣରେ ଦୁଇ ଦଳ ୧୦ ଥର ମୁହାଁମୁହିଁ ହୋଇଛନ୍ତି । ନ୍ୟୁଜିଲାଣ୍ଡ ୫ଟିରେ ବିଜୟୀ ହୋଇଥିବାବେଳେ ଭାରତ ୪ଥର ବିଜୟୀ ହୋଇଛି । ଗୋଟିଏ ମ୍ୟାଚ ବାତିଲ ହୋଇଛି ।  ଦିନିକିଆରେ ଉଭୟ ଦଳ ୧୧୭ ଥର ସାମ୍ନାସାମ୍ନି କରିଛନ୍ତି । ୫୯ ଥର ଭାରତ ଜିତିଥିବାବେଳେ ୫୦ ଥର ଜିତିଛି କିୱି ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.