ଆଇପିଏଲ୍‌ ନିଲାମୀ : ଚେନ୍ନାଇ କିଣିଲା ଓଡ଼ିଶା ରଣଜୀ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଛି ଆଇପିଏଲ୍‌ ଖେଳିବାର ସୁଯୋଗ । ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ସିଜିନ ପାଇଁ ବେଙ୍ଗାଲୁରୁ ଠାରେ ଚାଲିଥିବା ଖେଳାଳି ନିଲାମୀରେ ଶୁଭ୍ରାଂଶୁଙ୍କୁ କିଣିଛି ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗସ। ଏହି ଦକ୍ଷ ଓଡ଼ିଆ ବ୍ୟାଟରଙ୍କୁ ୨୦ ଲକ୍ଷ ଟଙ୍କାରେ ଚେନ୍ନାଇ କିଣି ନେଇଛି ।

ଦେଶ ବିଦେଶର ମୋଟ ୫୯୦ ଜଣ ଖେଳାଳିଙ୍କ ନେଇ ଏହି ମେଗା ନିଲାମୀର ଆୟୋଜନ କରାଯାଇଛି । ଏଥିରେ ମାତ୍ର ଦୁଇଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଥିଲେ । ତେବେ ଚମତ୍କାର ରଣଜୀ କ୍ୟାରିୟର ଥିବା ଶୁଭ୍ରାଂଶୁଙ୍କୁ ମିଳି ଯାଇଛି ତାଙ୍କ ପସନ୍ଦର ଟିମ୍‌ । କାରଣ ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍‌ ।

SUBHRANSHU-2
ଆଇପିଏଲ୍‌ରେ ଶୁଭ୍ରାଂଶୁ ସୁଯୋଗ ପାଇବା ପରେ ଓଡ଼ିଶା କ୍ୟାମ୍ପରେ ଖୁସିର ମାହୋଲ

 

ମାତ୍ର ୨୫ ବର୍ଷ ବୟସରେ ସେ ବିପୁଳ ରନ୍‌ ସ୍କୋର କରିଛନ୍ତି ଏବଂ ୨୨ ବର୍ଷ ବୟସରେ ଓଡ଼ିଶା ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ । ସେ ଏପର୍ଯ୍ୟନ୍ତ ୩୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୭.୮୩ ହାରରେ ୧୮୫୪ ରନ୍‌ ସ୍କୋର କରିଛନ୍ତି । ଏଥିରେ ରହିଛି ୫ଟି ଶତକ ଓ ୭ଟି ଅର୍ଦ୍ଧଶତକ । ‘ଏ’ କ୍ରିକେଟ୍‌ରେ ଶୁଭ୍ରାଂଶୁ ମୋଟ ୩୨ଟି ମ୍ୟାଚ୍‌ ଖେଳି ୪୧.୧୬ ହାରରେ ୯୮୮ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ସେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଟି-୨୦ରେ ୨୮.୯୫ ହାରରେ ୬୩୭ ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରଇକ୍‌ ହାର ହେଉଛି ୧୨୨.୨୬ । ଶୁଭ୍ରାଂଶୁଙ୍କ ଜନ୍ମ କେନ୍ଦୁଝରରେ । ତେବେ ଟେକନିକ୍‌ ଓ ସଟ୍‌ ଦୃଷ୍ଟିରୁ ତାଙ୍କର ବ୍ୟାଟିଂ ଅତ୍ୟନ୍ତ ସମୃଦ୍ଧ ।

ବର୍ତ୍ତମାନ ଓଡ଼ିଶା ଦଳର କୋଚ୍‌ ଥିବା ପୂର୍ବତନ ଭାରତୀୟ ଟେଷ୍ଟ ଖେଳାଳି ଓ୍ଵାସିମ ଜାଫର ମଧ୍ୟ ଶୁଭ୍ରାଂଶୁଙ୍କୁ ଜଣେ ଉଚ୍ଚକୋଟିର ବ୍ୟାଟ୍ସମ୍ୟାନ୍‌ ବୋଲି କହିଛନ୍ତି । ଏଭଳି ଖେଳ ଜାରି ରଖିଲେ ସେ ଦିନେ ନା ଦିନେ ଭାରତୀୟ ସିନିୟର ଦଳରେ ଖେଳି ପାରିବେ ବୋଲି ସମସ୍ତଙ୍କର ବିଶ୍ୱାସ । ଆଉ ଏବେ ଆଇପିଏଲ୍‌ ତାଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.