ନ୍ୟୁଜିଲାଣ୍ଡ ଠାରୁ ପ୍ରତିଶୋଧ ନେଲା ପାକିସ୍ତାନ, ୫ ଓ୍ଵିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା

ଟି-୨୦ ବିଶ୍ଵକପର ସୁପର ୧୨ ରାଉଣ୍ଡର ନିଜର ଦ୍ଵିତୀୟ ମୁକାବିଲାରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୫ ଓ୍ଵିକେଟରେ ପରାସ୍ତ କରିଛି। ଏଥିସହ ଦୁଇ ମ୍ୟାଚ୍‌ରୁ ଦୁଇ ବିଜୟ ସହ ଦ୍ଵିତୀୟ ଗ୍ରୁପରେ ଥିବା ପାକିସ୍ତାନ ଶୀର୍ଷରେ ପହଞ୍ଚିଛି। ନ୍ୟୁଜିଲାଣ୍ଡର ୧୩୫ ରନର ପିଛା କରି ପାକିସ୍ତାନ ଟିମ୍‌ ଆଉ ୮ଟି ବଲ ଥାଇ ୫ଓ୍ଵିକେଟ ହରାଇ ୧୩୫ ରନ୍‌ କରିଦେଇଥିଲା। ପାକିସ୍ତାନର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ଵାନ ୩୩ ରନ୍‌, ଶୋଏବ ମଲ୍ଲିକ ୨୬ ରନ୍‌ ଏବଂ ଅସିଫ ଅଲ୍ଲୀ ୨୭ ରନ୍‌ କରିଥିଲେ।

ହରିଶ ରଉଫଙ୍କ ୪ ଓ୍ଵିକେଟ୍ ପରେ ବ୍ୟାଟସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ପାକିସ୍ତାନ ଏହି ରୋମାଞ୍ଚକର ମ୍ୟାଚ୍‌କୁ ୫ ଓ୍ଵିକେଟ୍‌ରେ ଜିତି ନେଇଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତକୁ ୧୦ ଓ୍ଵିକେଟ୍‌ରେ ହରାଇଥିଲା। ନ୍ୟୁଜିଲାଣ୍ଡ ନିଜର ଦ୍ଵିତୀୟ ମ୍ୟାଚ୍‌ରେ ଅକ୍ଟୋବର ୩୧ରେ ଭାରତକୁ ଭେଟିବ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍ ହରାଇ ୧୩୪ ରନ କରିଥିଲା। ଦଳ ପକ୍ଷରୁ ଡାର୍ଲି ମିଚେଲ୍ ୨୭, ଡେଭିଡ୍ କନଭୟ୨୭ ଓ କେନ୍ ଓ୍ଵିଲିୟମସନ ୨୫ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ହାରିସ ରଉଫ ୪ ସଫଳତା ନେଇଥିଲେ। ଶାହିନ ଆଫ୍ରିଦି, ଇମାଦ ଓ୍ଵାସିମ ଓ ମହମ୍ମଦ ହାଫିଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଭାରତ ବିପକ୍ଷରେ ବହୁ ପ୍ରତୀକ୍ଷିତ ବିଶ୍ୱକପ ବିଜୟ ପରେ ପାକିସ୍ତାନ ର ଆତ୍ମବିଶ୍ୱାସ ଅଧିକ ରହିଥିଲା। ଭାରତ ବିପକ୍ଷରେ ୨୯ ବର୍ଷ ପରାଜୟ ଧାରା ଭାଙ୍ଗିବା ପରେ ପାକିସ୍ତାନ ପାଇଁ ଏହା ବିଶ୍ବକପ୍‌ ବିଜୟଠାରୁ କିଛି କମ୍ ନୁହେଁ ବୋଲି କୁହାଯାଉଛି। ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ପାକିସ୍ତାନ ପ୍ରତି‌ଶୋଧ ମନୋଭାବ ନେଇ ଖେଳିଥିଲା।

ଅନ୍ୟପକ୍ଷରେ ୱିଲିୟମସନ୍‌ ନିଜେ ଆହତ ସମସ୍ୟାକୁ ନେଇ ସଂଘର୍ଷ କରୁଥିବା ବେଳେ ବିଶ୍ବକପ୍‌ ପୂର୍ବରୁ ଖେଳାଯାଇଥିବା ଉଭୟ ୱାର୍ମଅପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିକଟରୁ ହାରିଯାଇଥିଲା। ୨୦-୨୦ କ୍ରିକେଟ୍ ଇତିହାସ ଦେଖିଲେ ପାକିସ୍ତାନ ୧୪-୧୦ରେ ଆଗୁଆ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.