ଆଇପିଏଲ୍ : ଓ୍ଵାର୍ଣ୍ଣର ଓ ବ୍ୟାରେଷ୍ଟାଙ୍କ ବିସ୍ଫୋରଣରେ ହାଇଦ୍ରାବାଦ ଉଡ଼ାଇଦେଲା ପଞ୍ଜାବକୁ 

ଦୁବାଇ : ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମ୍‌ରେ ଆଜି ଧମାକା କରିଛନ୍ତି ହାଇଦ୍ରାବାଦ ସନରାଇଜର୍ସର ଦୁଇ ଓପ୍ନର । ଡେଭିଡ୍ ଓ୍ଵାର୍ଣ୍ଣର ଓ ଜନୀ ବ୍ୟାରେଷ୍ଟା ୧୫ ଓଭର୍‌ରେ ୧୬୦ ରନ୍ ଯୋଡ଼ିଥିଲେ । ଯାହାଫଳରେ କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷରେ ତାଙ୍କ ଦଳ ୨୦ ଓଭର୍‌ରେ ୬ ଓ୍ଵିକେଟ୍ ହରାଇ ୨୦୧ ରନ୍ କରିଥିଲା । ପରେ ପଞ୍ଜାବ ୧୬.୫ ଓଭରରେ ୧୩୨ ରନ୍ କରି ଆଉଟ ହୋଇଯାଇଛି ଏବଂ ହାଇଦ୍ରାବାଦ ୬୯ ରନର ସହଜ ବିଜୟ ହାସଲ କରିଛି ।

ହାଇଦ୍ରାବାଦ ପକ୍ଷରୁ ଓ୍ଵାର୍ଣ୍ଣର ୪୦ ବଲ୍‌ରେ ୫୨ ରନ୍ (୫ ଚୌକା, ୧ ଛକା) ଏବଂ ବ୍ୟାରେଷ୍ଟୋ ୫୫ ବଲ୍‌ରେ ବସ୍ଫୋରକ ୯୭ ରନ୍ କରିଥିଲେ । ୭ଟି ଚୌକା ଓ ୬ଟି ଛକା ବର୍ଷା କରିଥିବା ବ୍ୟାରେଷ୍ଟୋ କିନ୍ତୁ ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ରବି ବିଷ୍ଣୋଇ ତାଙ୍କୁ ଏଲ୍‌ବିଡବଲ୍ୟୁ କରି ଆଶା ପୂରଣ କରିବାକୁ ଦେଇନଥିଲେ । ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ଅନ୍ୟ ବ୍ୟାଟ୍‌ସମ୍ୟାନ୍ ଫେଲ୍ ମାରିଥିଲେ । ୧୦ ବଲ୍‌ରେ ଅପରାଜିତ ୨୦ ରନ୍ ଏବଂ ଅଭିଷେକ ଶର୍ମା ୬ ବଲ୍‌ରେ ୧୨ ରନ୍ କରିବା ଫଳରେ ଦଳ ୨୦୦ ରନ୍ ଟପି ପାରିଥିଲା ।

ପଞ୍ଜାବ ୨୦୨ ରନଜେ ବଡ ଲକ୍ଷ୍ୟରେ ପହଂଚିବା ଉଦ୍ୟମରେ ବାଟ ହୁଡ଼ି ଯାଇଥିଲା । ନିକୋଲାସ ପୁରନଙ୍କ ବ୍ୟତୀତ ଆଉ କେହି ହାଇଦ୍ରାବାଦ ବୋଲରଙ୍କ ସାମ୍ନା କରି ପାରିନଥିଲେ । ସେ ଏକାକୀ ଲଢ଼ି ମାତ୍ର ୩୭ ବଲରେ ୭୭ ରନ (୫ ଚୌକା, ୭ ଛକା) କରିଥିଲେ । ଯାହା ଚଳିତ ଆଇପିଏଲରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ । ହେଲେ ଆଉ କେହି ୧୧ ରନରୁ ଆଗକୁ ଯାଇ ପାରିଲେ ନାହିଁ । ପୂରା ଦଳ ୧୩୨ ରନ କରି ଆଉଟ ହୋଇଯାଇଥିଲା । ହାଇଦ୍ରାବାଦ ତରଫରୁ ରସିଦ ଖାଁ ୧୨ ରନରେ ୩, ଏବଂ ଖାଲିଲ ଅହମଦ ଓ ନତରାଜନ ୨ଟି ଲେଖାଁ ଓ୍ଵିକେଟ୍ ନେଇଥିଲେ । ଏହି ବିଜୟ ସହ ହାଇଦ୍ରାବାଦ ୬ ପାଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ପହଁଚିଛି ।

PT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.