ରଣଜୀ ଲଢ଼େଇ : ଓଡ଼ିଶା ବିପକ୍ଷରେ ସର୍ଭିସେସ୍ ପ୍ରଥମ ଇନିଂସ୍ ୪୧୭/୮ରେ ଘୋଷଣା

ନୂଆଦିଲ୍ଲୀ (କେ ନ୍ୟୁଜ୍) : ବିକାଶ ହାଥଓ୍ଵାଲାଙ୍କ ଅପରାଜିତ ଶତକ ବଳରେ ଓଡ଼ିଶା ବିପକ୍ଷରେ ସର୍ଭିସେସ୍ ୮ ଓ୍ଵିକେଟ୍ରେ ୪୧୭ ରନ୍ କରି ଇନିଂସ୍ ଘୋଷଣା କରିଛି । ଫଳରେ ପ୍ରଥମ ଇନିଂସ୍ରେ ଓଡ଼ିଶା ଠାରୁ ୨୪୦ ରନ୍ରେ ଆଗୁଆ ରହିଛି । ଏହା ପରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରି ଓଡ଼ିଶା ଦଳ ଆଜି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍ ହରାଇ ୬୫ ରନ୍ କରିଛି । ଓପ୍ନର ଶାନ୍ତନୁ ମିଶ୍ର ୩୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଦେବାଶିଷ ସାମନ୍ତରାୟ ୩୫ ରନ୍ କରି ଅପରାଜିତ ଅଛନ୍ତି ।
ନୂଆ ଦିଲ୍ଲୀର ପାଲାମ ଗ୍ରାଉଣ୍ଡରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଗତକାଲିର ସ୍କୋର ୪ ଓ୍ଵିକେଟ୍ରେ ୧୮୩ ରନ୍ରୁ ସର୍ଭିସେସ୍ ଆଜି ବ୍ୟାଟିଂ ଆରମ୍ଭ କରିଥିଲା । ହାଥଓ୍ଵାଲା ୧୦ଟି ଚୌକା ଓ ୨ଟି ଛକା ମାରି ଅପରାଜିତ ୧୧୫ ରନ୍ କରିଥିଲେ । ବିକାଶଙ୍କର ଇଏ ହେଉଛି ପ୍ରଥମ ରଣଜୀ ଶତକ ।
ଆସନ୍ତାକାଲି ମ୍ୟାଚ୍ର ଶେଷ ଦିନ । ଯଦି ଓଡ଼ିଶା ବ୍ୟାଟ୍ସମ୍ୟାନ୍ ଓ୍ଵିକେଟ୍ରେ ତିଷ୍ଠି ରୁହନ୍ତି ତେବେ ମ୍ୟାଚ୍ ଡ୍ର ରହିବ ।
ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍-୧୭୭ । ଦ୍ୱିତୀୟ ଇନିଂସ୍-୬୫/୧ । ସର୍ଭିସେସ୍ ପ୍ରଥମ ଇନିଂସ୍-୪୧୭/୮ ।