Below header

ଅଗଷ୍ଟ ୧ରୁ ପ୍ରଥମ ଟେଷ୍ଟ : କିଏ ହେବ ଭାରତର ଓପନିଂ ଯୋଡ଼ି ?

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଏଜବାଷ୍ଟନରେ ଖେଳାଯିବ । ଅଗଷ୍ଟ ୧ରେ ଆରମ୍ଭ ହେବ ମ୍ୟାଚ୍‌ । ଭାରତୀୟ ଦଳ ଚେମସଫୋର୍ଡ଼ରୁ ବାହାରି ବର୍ମିଂହାମରେ ପହଞ୍ଚି ଗଲେଣି । ହେଲେ ସିରିଜ୍‌ ଓ ମ୍ୟାଚ୍‌ ପାଇଁ କେତେ ପ୍ରସ୍ତୁତ ବିରାଟ ବାହିନୀ ଏବେ ଏଇ ପ୍ରଶ୍ନ ଫ୍ୟାନ୍‌ଙ୍କ ମନରେ । ଇଂଲଣ୍ଡ ପରିବେଶ ଓ ପିଚ୍‌ ସହିତ କେତେ ଖାପ ଖାଇ ପାରିବେ ? କେତେ ଟକ୍କର ଦେବେ ଭଲ ଫର୍ମରେ ଥିବା ଘରୋଇ ଦଳକୁ ?

ଏସେକ୍ସ ସହ ଅଭ୍ୟାସ ମ୍ୟାଚ୍‌ରେ ଆଶାଠାରୁ ଟିକେ ଅଧିକ ଭଲ ପ୍ରଦର୍ଶନ କରିଛି ଭାରତୀୟ ଦଳ । ଏହାର ୫ ଜଣ ବ୍ୟାଟ୍‌ସମ୍ୟାନ୍‌ ଅର୍ଦ୍ଧଶତକ କରିଛନ୍ତି । ତଥାପି ଓପ୍‌ନିଂ ଯୋଡ଼ିକୁ ନେଇ ସନ୍ଦେହ ଓ ସମସ୍ୟା ରହିଛି । କାରଣ ମୁରଲୀ ବିଜୟଙ୍କ ସହ ଶିଖର ଧାବନ ଫିଟ୍‌ ହୋଇ ପାରୁ ନାହାନ୍ତି । ଇଂଲିଶ୍‌ କଣ୍ଡିସନ୍‌ରେ ତାଙ୍କର ପ୍ରଦର୍ଶନ କିଭଳି ରହିବ ସେନେଇ ମଧ୍ୟ ସନ୍ଦେହ ରହିଛି । ତେଣୁ ଲୋକେଶ ରାହୁଲ କିମ୍ବା ଚେତେଶ୍ୱର ପୂଜାରାଙ୍କୁ ମୁରଲୀ ବିଜୟଙ୍କ ସହ ଇନିଂସ ଆରମ୍ଭ କରାଇବା କଥା ଚିନ୍ତା କରି ପାରନ୍ତି ବିରାଟ । ତେବେ ମିଡିଲ ଅର୍ଡର ପ୍ରଦର୍ଶନ ଭଲ ଅଛି । ସେହିପରି ପେସ୍‌ ବୋଲିଂରେ ଭୁବନେଶ୍ୱର କୁମାରଙ୍କୁ ମିସ୍‌ କରିବ ଦଳ । ସେ ଆହତ ଅଛନ୍ତି । ତେବେ ଅଭ୍ୟାସ ମ୍ୟାଚ୍‌ରେ ଇଶାନ୍ତ ଶର୍ମା ଓ ଉମେଶ ଯାଦବ ଭଲ ବୋଲିଂ କରିଛନ୍ତି ।

ତେଣୁ ଏଜବାଷ୍ଟନରେ ଉମେଶ, ଇଶାନ୍ତଙ୍କ ସହ ମହମ୍ମଦ ସାମିଙ୍କୁ ମଧ୍ୟ ଦଳ ସାମିଲ କଲେ ଫାଇଦା ମିଳିବ । ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ଭାବେ ରହିବେ । ସାମି ଏପର୍ଯ୍ୟନ୍ତ ୩୦ଟି ଟେଷ୍ଟ ଖେଳି ୨୮.୯୦ ରନ୍‌ ହାରରେ ୧୧୦ଟି ଓ୍ଵିକେଟ୍‌ ନେଇଛନ୍ତି । ୩୭ ଟେଷ୍ଟରେ ୩୪.୯୪ ରନ୍‌ ହାରରେ ନେଇଛନ୍ତି ୧୦୩ଟି ଓ୍ଵିକେଟ୍‌ । ସେହିପରି ଇଶାନ୍ତ ଶର୍ମା ୮୨ ଟେଷ୍ଟରେ ୩୫.୫୨ ରନ୍‌ ହାରରେ ଦଖଲ କରିଛନ୍ତି ୨୩୮ ଓ୍ଵିକେଟ୍‌ । ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ଏମାନେ ଘାତକ ହୋଇ ପାରନ୍ତି । ତେବେ ଅଲରାଉଣ୍ଡ ପ୍ରଦର୍ଶନ ହିଁ ଭାରତକୁ ଚଳିତ ସିରିଜ୍‌ରେ ସଫଳ କରାଇବ । ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଦରକାର ଧୈର୍ଯ୍ୟ ଏବଂ ଓ୍ଵିକେଟ୍‌ରେ ଜମି ରହିବାର କଳାକୌଶଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.