ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଡ୍ର, ଜନ୍ମଦିନରେ ମୟଙ୍କ ଅଗ୍ରଓ୍ଵାଲ ମାରିଲେ ଅର୍ଦ୍ଧଶତକ
ହାମିଲଟନ୍ : ଏଠାରେ ଖେଳା ଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ଏକାଦଶ ଅଭ୍ୟାସ ମ୍ୟାଚ୍ଟି ଆଜି ଡ୍ର’ରେ ସରିଛି । ଭାରତ ଦ୍ୱିତୀୟ ଇନିଂସ୍ରେ ୪ ଓ୍ଵିକେଟ୍ ହରାଇ ୨୫୨ ରନ୍ କରିଥିବା ବେଳେ ଖେଳ ଶେଷ ହୋଇଥିଲା । ଓପ୍ନର ପୃଥ୍ଵୀ ସ ୩୯, ମୟଙ୍କ ଅଗ୍ରଓ୍ଵାଲ ୯୯ ବଲ୍ରେ ୮୧ ରନ୍ କରି ରିଟାୟାର୍ଡ଼ ଆଉଟ୍ ହୋଇଥିଲେ । ପରେ ଶୁଭମନ ଗିଲ୍ ୮, ଋଷଭ ପନ୍ତ ୬୫ ବଲ୍ରେ ୭୦ ରନ୍, ଋଧିମାନ ଶାହ ଅପରାଜିତ ୩୦ ଏବଂ ଅଶ୍ୱିନ୍ ଅପରାଜିତ ୧୬ ରନ୍ କରିଥିଲେ ।
ପୂର୍ବରୁ ଭାରତ ପ୍ରଥମ ପାଳିରେ ୨୬୩ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ଏକାଦଶ ୨୩୫ ରନ୍ କରିଥିଲା । ଆଜି ଓପ୍ନର ମୟଙ୍କ ଅଗ୍ରଓ୍ଵାଲଙ୍କର ଜନ୍ମଦିନ । ଭାରତୀୟ ଦଳର ସବୁ ଖେଳାଳି ମିଶି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।
ଆସନ୍ତା ୨୧ ତାରିଖରୁ େଓ୍ଵଲିଂଟନ୍ ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ପୂର୍ବରୁ ଭାରତୀୟ ଦଳ ଟି-୨୦ରେ ଏବଂ ଘରୋଇ ନ୍ୟୁଜିଲାଣ୍ଡ ଟିମ୍ ଦିନିକିଆରେ ସିରିଜ୍ ବିଜୟୀ ହୋଇଥିଲେ । ତେଣୁ ଦୁଇଟିକିଆ ଟେଷ୍ଟ ସିରିଜ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।