Below header

ମହେନ୍ଦ୍ର ସିଂ ଧୋନୀ ନଂ ୭ କାହିଁକି ବାଛିଲେ ? ନିଜେ କହିଲେ ନିଜ ଜର୍ସି କାହାଣୀ

କ୍ରିକେଟ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରୁଥିବା କ୍ରିକେଟର ହେଲେ ମହେନ୍ଦ୍ର ସିଂ ଧୋନୀ। ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ତାଙ୍କ ଓ୍ଵିକେଟ କିପିଂ ହେଉ ଅବା ହେଲିକପ୍ଟର ସଟ୍‌ ସବୁ ପାଇଁ ଫ୍ୟାନ୍ସ ପାଗଳ। ଧୋନୀ ଏବେ କେବଳ ଆଇପିଏଲ୍‌ ଖେଳୁଛନ୍ତି। ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ହୋଇ ଟିମ୍‌କୁ ୪ଟି ଆଇପିଏଲ୍‌ ଟ୍ରଫି ପ୍ରଦାନ କରିଛନ୍ତି ଧୋନୀ। ହେଲେ ଅଧିନାୟକ ପଦ ଛାଡିବା ଯୋଗୁଁ ଧୋନୀଙ୍କ ଫ୍ୟାନ୍ସ ନିରାଶ ରହିଛନ୍ତି।

ଇଣ୍ଟରନ୍ୟାସନାଲ ମ୍ୟାଚ ହେଉ ଅବା ଆଇପିଏଲ୍‌ ପ୍ରତ୍ୟେକ ଖେଳାଳିଙ୍କ ଜର୍ସି ପଛରେ ଏକ ନମ୍ବର ରହିଥାଏ। ଆଉ ଏହି ନମ୍ବର ଖେଳାଳିଙ୍କର ଏକ ସ୍ୱତନ୍ତ୍ର ପରିଚୟ ହୋଇଥାଏ। ତେବେ ଧୋନୀଙ୍କ ଜର୍ସି ନଂ ୭ ରହିଥିବା ଏହା ପଛର କ’ଣ କାହାଣୀ ରହିଛି, ତାହା ଧୋନୀ କହିଛନ୍ତି।

ଧୋନୀ କହିଛନ୍ତି, ଅନେକ ଲୋକ ଆରମ୍ଭରେ ଭାବିଥିଲେ ଯେ ମୋ ପାଇଁ ୭ ନମ୍ବର ଶୁଭ ହୋଇଥିବାରୁ ମୁଁ ୭ ନମ୍ବର ଥିବା ଜର୍ସି ପିନ୍ଧୁଛି। କିନ୍ତୁ ମୁଁ ସେଭଳି କୌଣସି କାରଣ ପାଇଁ ୭ ନମ୍ବର ବାଛିନଥିଲି। ଏହା ପଛରେ ଥିଲା ଅତି ସରଳ କାରଣ। ମୁଁ ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିଲି। ଏହା ହେଉଛି ୭ ମାସର ସପ୍ତମ ଦିନ। ଏହି କାରଣ ପାଇଁ ମୁଁ ସବୁବେଳେ ୭ ନମ୍ବର ଥିବା ଜର୍ସି ପିନ୍ଧେ। ମୁଁ ଏଭଳି ନମ୍ବରକୁ ନେଇ ଅନ୍ଧବିଶ୍ୱାସୀ ନୁହେଁ। କିନ୍ତୁ ୭ ହେଉଛି ଏମିତି ଏକ ନମ୍ବର ଯାହା ମୋ ହୃଦୟର ନିକଟତର ଅଟେ ଏବଂ ମୁଁ ଏହାକୁ ବର୍ଷ ବର୍ଷ ଧରି ମୋ ସହିତ ରଖିଆସିଛି।

୪୦ ବର୍ଷୀୟ ଧୋନୀ ଆଇପିଏଲ୍‌ରେ ମଧ୍ୟ ଏହି ନମ୍ପର ଥିବା ଜର୍ସି ପିନ୍ଧି ଖେଳୁଥିବା ନଜର ଆସିବେ। ଚେନ୍ନାଇ ଟିମର ଅଧିନାୟକ ପଦ ଛାଡିଲେ ମଧ୍ୟ କିଭଳି ଟିମ୍‌କୁ ୫ମ ଟ୍ରଫି ଦେବେ, ତାହାକୁ ନେଇ ବେଶ୍‌ ପ୍ରସ୍ତୁତି କରିସାରିଛନ୍ତି ଧୋନୀ। ଧୋନୀ ଅଧିନାୟକ ଦାୟିତ୍ୱ ରବିନ୍ଦ୍ର ଜାଡେଜାଙ୍କୁ ଦେଇଛନ୍ତି। ଆଇପିଏଲ୍‌ର ପ୍ରଥମ ମ୍ୟାଚ ଚେନ୍ନାଇ ଆସନ୍ତାକାଲି କୋଲକତା ନାଇଟ ରାଇଡର୍ସ ସହିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.