ବିଶ୍ୱକପ୍‌ ଆଗରୁ ସତର୍କ ଘଣ୍ଟି, ଜିତିବା ମ୍ୟାଚ୍ ହାରିଗଲା ବିରାଟ ବାହିନୀ

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ କବଜା କରିବା ପରେ ମିଶନ ଓ୍ୱାନଡେରେ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ପ୍ରଥମ ଦିନିଆରେ ଭାରତକୁ ୩୪ ରନରେ ହରାଇଛି କଙ୍ଗାରୁ ଦଳ। ମ୍ୟାଚ କୋହଲି ବାହିନୀ ହାତରେ ଥିଲେ ବି ବିଜୟ ରଥ ଅଟକି ଗଲା। ରୋହିତ ଶର୍ମା ଶତକୀୟ ଇନିଂସ ଖେଳିଥିଲେ ବି ଅନ୍ୟ ଟପ୍ ଅର୍ଡର ଖେଳାଳିଙ୍କ ବ୍ୟାଟ୍ ଚାଲିଲା ନାାହିଁ। ୨୮୯ରନ୍ ଟାର୍ଗେଟଠାରୁ ମାତ୍ର ୩୪ରନ ପଛରେ ରହିଗଲା ଟିମ୍ ଇଣ୍ଡିଆ। ପରାଜୟର କାରଣ ଉପରେ ଆସନ୍ତୁ ନଜର ପକାଇବା।

ଦିଶାହୀନ ବୋଲିଂ, ରନ୍ ଖର୍ଚ୍ଚରେ ରୋକ୍ ଲାଗିଲାନି

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଦଳ। ଭାରତ ପ୍ରଥମ ଓ୍ୱିକେଟ ମାତ୍ର ୮ରନରେ ଖସାଇଥିଲା। ଏରୋନ୍ ଫିଞ୍ଚଙ୍କୁ ପାଭିଲନ୍ ରାସ୍ତା ଦେଖାଇଥିଲେ ଭୁବନେଶ୍ୱର କୁମାର। ଅଷ୍ଟ୍ରେଲିଆର ଦ୍ୱିତୀୟ ଓ୍ୱିକେଟ ୧୦ମ ଓଭର ଶେଷ ବଲରେ ହାସଲ କରିଥିଲେ ଚାଇନା ମ୍ୟାନ୍ କୁଲଦୀପ ଯାଦବ। ସେତେବେଳେ ଦଳୀୟ ସ୍କୋର ଥିଲା ୨୪। ଏହାପରେ କିନ୍ତୁ ଭାରତର ବୋଲିଂ ଲାଇନ୍ ଅଷ୍ଟ୍ରେଲିଆର ବ୍ୟାଟିଂ ଆଗରେ ଦିଶାହୀନ ହୋଇଗଲା। ଉସମାନ ଖ୍ୱାଜା ୫୯ରନ୍ କରିଥିବା ବେଳେ ହ୍ୟାଣ୍ଡସ୍‌କମ୍ବ ୭୩ ରନ୍ ପିଟିଥିଲେ। ମାର୍କସ ଷ୍ଟୋଇନିସ୍ ୪୭ ରନ୍ କଲେ। ଶେଷ ୧୦ ଓଭରରେ ଅଷ୍ଟ୍ରେଲିଆ ବ୍ୟାଟରୁ ବାହାରିଥିଲା ୯୩ ରନ୍। ଭାରତ ବ୍ୟାଟିଂ ବେଳେ ଶେଷ ୧୦ ଓଭରରେ ଖର୍ଚ୍ଚ କରିଥିବା ରନ୍ ଆଣି ପାରିଲା ନାହିଁ। ଫଳରେ ଟାର୍ଗେଟଠାରୁ ଦୂରରେ ରହିଗଲା ଟିମ୍ ଇଣ୍ଡିଆ।

ଫେଲ୍ ମାରିଲା ଟପ୍ ଅର୍ଡର, ନିରାଶ କଲେ ବିରାଟ

୨୮୯ ରନ୍ ଟାର୍ଗେଟକୁ ଦେଖିଲେ ଲାଗୁଥିଲା, ଭାରତ ଆରାମରେ ଚେଜ୍ କରି ପାରିବ। କିନ୍ତୁ ଫଳ ହେଲା ଓଲଟା। ପ୍ରମାଣିତ ହେଲା ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ କେତେ ନିର୍ଭରଶୀଳ ପୂରା ଟିମ୍। ମାତ୍ର ୪ ରନ୍ ଭିତରେ ପ୍ରଥମ ୩ଟି ଓ୍ୱିକେଟ ଫିଙ୍ଗି ଦେଇଥିଲା ଭାରତ। ଶିଖର ଧଓ୍ୱନ ଶୂନ, ବିରାଟ କୋହଲି ୩ ଓ ଅମ୍ବାତି ରାୟଡୁ ଖାତା ଖୋଲିବା ଆଗରୁ ପାଭିଲନ୍ ଫେରିଲେ। ସ୍କୋର ୪ ରନ୍ ବେଳେ ଧୋନି ଆସିଲେ ଓ ରୋହିତଙ୍କ ସହ ମିଶି ୧୩୭ ରନ୍ ପାର୍ଟନରସିପ୍ କରିଥିଲେ। ଧୋନି ୫୧ ଓ ରୋହିତ କରିଥିଲେ ୧୩୩ ରନ୍। କିନ୍ତୁ ଜିତାଇ ପାରିଲେ ନାହିଁ। ଦୀନେଶ କାର୍ତ୍ତିକ ଓ ରବୀନ୍ଦ୍ର ଜାଡେଜା ବି ଲୋୟର ଅର୍ଡରରେ ରନ୍ ବାହାର କରି ପାରିଲେ ନାହିଁ। ବଶ୍ୱକପର ଚାରି ମାସ ଆଗରୁ ଏଭଳି ଦୁର୍ବଳତା ନେଇ ଚିନ୍ତା କରିବାର ସମୟ ଆସିଛି। ଏପ୍ରଶ୍ନ ବି ଉଠୁଚି, କଣ କୋହଲି ସବୁ କିଛି କରିବେ?

ହାର୍ଦ୍ଦିକ ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତି

ମହିଳା ବିରୋଧୀ ମନ୍ତବ୍ୟ ଦେଇ ଦଳରୁ ବାଦ ପଡିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ। ଏମାନଙ୍କ ଅନୁପସ୍ଥିତିକୁ ବି ପରାଜୟର କାରଣ ହୋଇପାରେ। ପାଣ୍ଡ୍ୟା ସିଡନୀ ଦିନିକିଆ ଖେଳିଥିଲେ ସ୍ଲଗ୍ ଓଭରରେ ବୋଲିଂରେ ରନ୍ ଚାପି ପାରି ଥାଆନ୍ତା ଓ ବ୍ୟାଟିଂରେ ବି ରନ୍ ବାହାର କରି ଥାଆନ୍ତେ। ଲୋକେଶ ରାହୁଲଙ୍କ ଇନିଂସ ବି ଭାରତକୁ ମ୍ୟାଚ୍ ଜିତାଇ ପାରି ଥାଆନ୍ତା।

ଧୋନି ଅଧିକ ବଲ୍ ଖେଳିଲେ, ରନ୍ ହେଲାନି

DHONI

ମହେନ୍ଦ୍ର ସିଂ ଧୋନି ଓ ରୋହିତ ଶର୍ମା ଚତୁର୍ଥ ଓ୍ୱିକେଟରେ ୧୩୭ ରନ୍ ପାର୍ଟନରସିପ ଇନିଂସ ଖେଳିଲେ। ଧୋନିଙ୍କ ବ୍ୟାଟରୁ ରନ୍ ଆଶା କରାଯାଉଥିଲା ଓ ସେ ଅର୍ଦ୍ଧଶତକ ହାସଲ କଲେ। କିନ୍ତୁ ଫିନିସ ମ୍ୟାନ୍ ଭାବରେ ନିଜକୁ ପ୍ରମାଣିତ କରି ପାରିଲେ ନାହିଁ ମାହି। ୫୧ ରନ୍ କରିବାକୁ ୯୬ଟି ବଲ୍ ଖେଳିଲେ। ଧୋନିଙ୍କ ଭଳି ଖେଳାଳିଙ୍କଠାରୁ ଏମିତି ଧିମା ବ୍ୟାଟିଂ ଆଶା କରାଯାଇ ନପାରେ। ପ୍ରଥମରୁ ସ୍ଲୋ ଖେଳିଲେ, ପରେ ରନ୍ ବାହାର କରିବା ମୁସ୍କିଲ୍ ହେଲା। ତାଙ୍କ ପରେ ଖେଳିବାକୁ ଆସିଥିବା ବ୍ୟାଟ୍ସମାନଙ୍କ ପାଇଁ ବି ଆବଶ୍ୟକ ରନ୍ ରେଡ୍ ହାର ବଢ଼ିଗଲା। ଚାପ ଯୋଗୁ ଶେଷ ଭାବରେ ରନ୍ ବାହାର କରି ପାରିଲେ ନାହିଁ ସାଥି ଖେଳାଳି। ତେଣୁ ବିଶ୍ୱକପ୍ ପୂର୍ବରୁ ଏହି ଦୁର୍ବଳତାକୁ ଧୋନିଙ୍କୁ ଦୂର କରିବାକୁ ପଡ଼ିବ।

ଟ୍ରମ୍ପ କାର୍ଡ ହେଲେ ଅଷ୍ଟ୍ରେଲିଆର ନୂଆ ବୋଲର୍

ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଜଣେ ନୂଆ ବୋଲର ଖେଳୁଥିଲେ। ତାଙ୍କ ନାଁ ଜେ. ରିଚାର୍ଡସନ୍। ତାଙ୍କ ବଲକୁ ବୁଝି ପାରିଲେ ନାହିଁ ଭାରତୀୟ ବ୍ୟାଟ୍ସମ୍ୟାନ୍। ସେ ଚତୁର୍ଥ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିଲେ। ୧୦ ଓଭର ବୋଲିଂ କରି ଭାରତର ୪ଟି ଓ୍ୱିକେଟ ଝଡ଼ାଇ ଦେଲେ ରିଚାର୍ଡସନ୍। ଦେଇଥିଲେ ମାତ୍ର ୨୬ ରନ୍। ବିରାଟ କୋହଲି, ଅମ୍ବାତି ରାୟଡୁ, ଦୀନେଶ କାର୍ତ୍ତିକ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ୪ଟି ପ୍ରମୁଖ ଓ୍ୱିକେଟ ନେଇଥିଲେ।

RICHARDSON

ପୂର୍ବରୁ ବି ନୂଆ ବୋଲରଙ୍କ ଚକ୍ରବ୍ୟୁହରେ ଭାରତୀୟ କ୍ରିକେଟର ଫସିଥିବା ନଜିର ରହିଛି। ପାକିସ୍ତାନର ଓ୍ୱାହବ ରିଆଜ୍, ମହମ୍ମଦ ଆମୀର, ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ୍ କିମ୍ବା ଇଂଲଣ୍ଡର ସାମ୍ କୋରେନ। ଏମାନେ ଭାରତ ବିପକ୍ଷ ପ୍ରଥମ ମ୍ୟାଚରେ ବ୍ୟାଟ୍ସମ୍ୟାନମାନଙ୍କୁ ପାଣି ପିଆଇଛନ୍ତି। ଏବେ ଅଷ୍ଟ୍ରେଲିଆରେ ସେଇଆ ହେଲା। ତେଣୁ ବିଶ୍ୱକପ୍ ପୂର୍ବରୁ ପ୍ରତିପକ୍ଷ ଟିମର ନୂଆ ବୋଲରଙ୍କୁ ହାଲୁକା ଭାବରେ ନେବା ଦୁର୍ବଳତା ଉପରେ ବିରାଟ ବାହିନୀକୁ ଧ୍ୟାନ ଦେବାକୁ ହେବ। ଯଦି ବିଶ୍ୱପକର କୌଣସି ଏକ ନିର୍ଣ୍ଣାୟକ ମୁକାବିଲାରେ ରିଚାର୍ଡସନଙ୍କ ଭଳି ସରପ୍ରାଇଜ୍ ପ୍ୟାକ୍ ଆସନ୍ତି, ତେବେ ଟୁର୍ଣ୍ଣାମେଣ୍ଟରୁ ଭାରତ ବିଦା ବି ହୋଇ ଯାଇପାରେ।
ଅଷ୍ଟ୍ରେଲିଆରେ ତିନି ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ହାତଛଡ଼ା ହୋଇଛି। ଏବେ ବି ସିରିଜ ହାତେଇବାର ସୁଯୋଗ ରହିଛି ବିରାଟ ଏଣ୍ଡ କୋ ହାତରେ। ଆଗକୁ ଏଡିଲେଡ୍ ଓ ମେଲବର୍ଣ୍ଣ ଲଢ଼େଇରେ ପୂର୍ବ ମ୍ୟାଚର ଦୁର୍ବଳତାରେ ସୁଧାର ଆଣି ବିଜୟ ଧାରାକୁ ଫେରିବାକୁ ହେବ।

ଅଜିତ କୁମାର ଦେହୁରୀ