କଣ କହେ ବିଶ୍ବକପରେ ଭାରତ – ଇଂଲଣ୍ଡର ଇତିହାସ, କିଏ ଅଧିକ ଥର ଚାଖିଛି ପରାଜୟର ସ୍ବାଦ ଆଉ କାହାର ଥିଲା ପଲା ଭାରି

ଆଜି ମୁହାଁମୁହିଁ ହେବେ ଭାରତ – ଇଂଲଣ୍ଡ । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବକପରେ ନିଜର ବିଜୟ ରଥ ଆଗକୁ ଗଡାଇ ଚାଲିଛି ବିରାଟ ବାହିନୀ । ଅନ୍ୟପଟେ ଶୋଚନୀୟ ଇଂଲଣ୍ଡର ଅବସ୍ଥା । ଅଷ୍ଟ୍ରେଲିଆଠୁ ହାରିବା ପରେ ଇଂଲଣ୍ଡ ପାଇଁ କଷ୍ଟକର ହୋଇଯାଇଛି ସେମିଫାଇନାଲ୍ ରାସ୍ତା । ତେଣୁ ଭାରତ ବିପକ୍ଷରେ ଏହି ମ୍ୟାଚ୍ ଇଂଲଣ୍ଡ ପାଇଁ ନା କେବଳ ସମ୍ମାନର ପ୍ରଶ୍ନ ବରଂ ଭାରତର ପରାଜୟ ଇଂଲଣ୍ଡ ପାଇଁ ଖୋଲିଦେଇପାରେ ସେମିଫାଇନାଲର ରାସ୍ତା । ତେବେ ଆଜିର ମୁକାବିଲା ପୂର୍ବରୁ ଆସନ୍ତୁ ନଜର ପକାଇବା ଭାରତ ଏବଂ ଇଂଲଣ୍ଡ ବିଶ୍ବକପ୍ ଇତିହାସ ଉପରେ । କେତେ ଥର ହୋଇଛନ୍ତି ସାମ୍ନାସାମ୍ନି । ଆଉ କିଏ ଅଧିକ ଥର ଚାଖିଛି ପରାଜୟର ସ୍ବାଦ ଆଉ କାହାର ଥିଲା ପଲା ଭାରି ।

୭ ଜୁନ୍ ୧୯୭୫ ରେ ପ୍ରଥମ ଥର ଦୁଇ ଦଳ ହୋଇଥିଲେ ମୁହାଁମୁହିଁ । ଲଡସରେ ହୋଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ୨୦୧ ରନରେ ମାତ୍ ଦେଇଥିଲା ଇଂଲଣ୍ଡ । ଏହି ମ୍ୟାଚରେ ଭାରତର ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ୧୭୪ ବଲରେ କରିଥିଲେ ମାତ୍ର ୩୬ ରନ୍ । ଯାହାକୁ ନେଇ ଖୁବ୍ ସମାଲୋଚନା ମଧ୍ୟ ହୋଇଥିଲା ।

ବିଶ୍ବକପରେ ଦ୍ବିତୀୟ ଥର ଉଭୟ ଦଳ ସମ୍ନାସାମ୍ନି ହୋଇଥିଲେ ୨୨ ଜୁନ୍ ୧୯୮୩ରେ । ମାଞ୍ଚେଷ୍ଟରରେ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡକୁ ହରାଇ ୬ ୱିକେଟରେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଏହା ପରେ ବିଶ୍ବକପରେ ମଧ୍ୟ କରିଥିଲା କବଜା । ଭାରତ ସାମ୍ନାରେ ୨୧୪ ରନର ବିଜୟ ଲକ୍ଷ ରଖିଥିଲା ଇଂଲଣ୍ଡ । ଯାହାକୁ ସନ୍ଦୀପ ପାଟିଲ୍ ଏବଂ ୟଶପାଲ୍ ଶର୍ମାଙ୍କ ଅର୍ଦ୍ଧଶତକ ସାହାଯ୍ୟରେ ସହଜରେ ଜିତିଯାାଇଥିଲା ଭାରତ ।

ଏହା ସହ ପଢନ୍ତୁ ବିଶ୍ୱକପ୍‌ ସେମିଫାଇନାଲ୍‌ ଗଣିତ, ଭାରତ ହାତରେ ପାକିସ୍ତାନର ସେମିଫାଇନାଲ୍‌ ଚାବି କାଠି

୫ ନଭେମ୍ବର ୧୯୮୭ରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ଥର ପାଇଁ ମୈଦନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଆଉ ଏହି ମ୍ୟାଚକୁ ୩୫ ରନରେ ହାତେଇ ଥିଲା ଇଂଲଣ୍ଡ । ଇଂଲଣ୍ଡ କରିଥିବା ୨୫୪ ରନର ବିଜୟ ଲକ୍ଷକୁ ନିଜ ଘରୋଇ ମୈଦାନରେ ବି କରି ପାରିନଥିଲା ଭାରତ । ଭାରତ ପକ୍ଷରୁ ମହମ୍ମଦ ଅଜହରୁଦ୍ଦିନ ୭୪ ବଲରେ କରିଥିଲେ ମାତ୍ର ୬୪ ରନ୍ ।

ବିଶ୍ବକପ୍ ଇତିହାସରେ ୨୨ ଫେବ୍ରୁଆରୀ ୧୯୯୨ରେ ଚତୁର୍ଥ ପାଇଁ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ଏହି ରୋମାଞ୍ଚକର ମ୍ୟାଚରେ ମଧ୍ୟ ଭାରତର ପରାଜୟ ହୋଇଥିଲା । ଇଂଲଣ୍ଡ କରିଥିବା ୨୩୬ ରନରୁ ବିଜୟ ଲକ୍ଷକୁ ପିଛା କରି ଭାରତ ମାତ୍ର ୨୨୭ ରନରେ ଧରାସାୟୀ ହୋଇଯାଇଥିଲା । ଆଉ ମାତ୍ର ୯ ରନରେ ମ୍ୟାଚ୍ ହାରିଯାଇଥିଲା ଟିମ୍ ଇଣ୍ଡିଆ ।

ପଂଚମ ଥର ଭାରତ ବନାମ ଇଂଲଣ୍ଡ ହୋଇଥିଲା ୨୯ ମେ ୧୯୯୯ରେ । ଏହି ମ୍ୟାଚକୁ ୬୩ ରନରେ ଜିତି ଯାଇଥିଲା ଟିମ୍ ଇଣ୍ଡିଆ । ଭାରତ କରିଥିବା ୨୩୩ ରନକୁ ପିଛା କରି ଇଂଲଣ୍ଡ ମାତ୍ର ୧୬୯ ରନରେ ହୋଇଯାଇଥିଲା ଅଲଆଉଟ୍ ।

ସେହିପରି ଷଷ୍ଠ ଥର ହୋଇଥିବା ମୁକାବିଲାରେ ଭାରତ କରିଥିଲା ୨୫୦ ରନ୍ । ତେବେ ଏହି ସ୍କୋର ସାମ୍ନାରେ ତିଷ୍ଠି ପାରିନଥିଲା ଇଂଲଣ୍ଡ ଆଉ ୧୬୮ ହୋଇଯାଇଥିଲା ଧରାସାୟୀ । ମ୍ୟାଚକୁ ୮୨ ରନରେ ହାତେଇଥିଲା ଟିମ୍ ଇଣ୍ଡିଆ ।

ଶେଷଥର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା ୨୦୧୧ରେ । ଏହି ମ୍ୟାଚକୁ ଯଦି ବିଶ୍ବକପ ଇତିହାସର ସବୁଠାରୁ ରୋମାଂଚକର ମ୍ୟାଚ କୁହାଯିବ ତେବେ ଅତ୍ୟୁକ୍ତି ହେବ ନାହିଁ । ସପ୍ତମ ଥର ପାଇଁ ହୋଇଥିବା ଏହି ଘମାସାନ ଲଢେଇକୁ ଦେଖି ଦାନ୍ତ କାମୁଡି ଦେଇଥିଲେ ଦର୍ଶକ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩୩୮ ରନ୍ କରିଥିଲା ଟିମ୍ ଇଣ୍ଡିଆ । ତେବେ ଏହି ବିଶାଳ ବିଜୟ ଲକ୍ଷକୁ ପିଛା କରି ସମାନ ରନ୍ ଅର୍ଥାତ୍ ୩୩୮ ରନ କରିଥିଲା ଇଂଲଣ୍ଡ । ଆଉ ମ୍ୟାଚଟି ଟାଏ ହୋଇଯାଇଥିଲା ।

ଏହିପରି ଭାବରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସାତଥର ହୋଇଛି ମୁକାବିଲା । ଯେଉଁଥିରେ ଉଭୟ ଟିମ୍ ତିନି –ତିନି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ଟାଏରେ ଶେଷ ହୋଇଥିଲା । ତେଣୁ ଆଜି ମ୍ୟାଚ ଉପରେ ସବୁ ଦର୍ଶକଙ୍କ ରହିବ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.