Below header

କିସ୍‌ ଶ୍ରୀବାଣୀକ୍ଷେତ୍ରରେ ମହାସମାରୋହରେ ସଂପନ୍ନ ହେଲା ରଥଯାତ୍ରା, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନିରଥ

କିସ୍‌ ଶ୍ରୀବାଣୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରାଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିିଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଶେଷ ହେବା ପରେ ପ୍ରତିଷ୍ଠାତା ଡ.ଅଚ୍ୟୁତ ସମାନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟା ୩୦ ମିନିଟରେ ଛେରା ପହଁରା ନୀତି ସଂପର୍ଣ୍ଣ ହୋଇଥିଲା । ଅପରାହ୍ନ ୪ଟା ୩୦ ମିନିଟରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ଦେବ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ ।

ଆହୁରି ପଢନ୍ତୁ ଛେରାପହଁରା ପରେ ମାଉସୀ ମା ଅଭିମୁଖେ ତିନିରଥ

ଘଂଟ ଘଂଟା, ମୃଦଙ୍ଗ, ଖୋଳ କରତାଳ ସହ ଜୟ ଜଗନ୍ନାଥ ଧ୍ୱନୀରେ ରଥଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଶ୍ରୀବାଣୀକ୍ଷେତ୍ର ରଥ ଯାତ୍ରାର ବିଶେଷତ୍ୱ ହେଉଛି ଏଠାରେ ଦେବୀ ଶୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିଥାନ୍ତି । ପାଗ ଅନୁକୂଳ ଥିବାରୁ ଘୋଷଯାତ୍ରା ଦେଖିବାକୁ ସ୍ଥାନୀୟ ଅଞ୍ଚଳରୁ ୫୦ ହଜାରରୁ ଅଧିକ ଭକ୍ତ ସମାଗମ ହୋଇ ସୁସଜ୍ଜିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥକୁ ଟାଣିବା ସହ ଦୈବୀକୃପା ଲାଭ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିରରର ପରମ୍ପରାକୁ ଆଧାର କରି କିସ୍‌ ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁଙ୍କ ସମସ୍ତ ନୀତି ଅନୁସାରେ ପୂଜା ହୋଇଥାଏ । ରଥଯାତ୍ରାରେ ମଧ୍ୟ ପୁରୀ ରଥଯାତ୍ରାର ସମସ୍ତ ନିୟମକୁ ଅନୁକରଣ କରାଯାଇ ଏଠାରେ ଆୟୋଜନ କରାଯାଇଥାଏ ।

ଆହୁରି ପଢନ୍ତୁ ରଥଯାତ୍ରାରେ ଅଘଟଣ, ରଥଟଣା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଭକ୍ତ…

ରଥ ନିର୍ମାଣ ପାଇଁ ପୁରୀରୁ ସ୍ୱତନ୍ତ୍ର ବିନ୍ଧାଣୀ, ମହାରଣା ଓ ଚିତ୍ରକର ନିଯୁକ୍ତ ହୋଇଥାନ୍ତି । ଶ୍ରୀବାଣୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ଠାରୁ ଆରମ୍ଭ କରି ଏଠାରେ ସମସ୍ତ ପୂଜାର୍ଚ୍ଚନା ଓ ରଥଯାତ୍ରା ପୁରୀ ଗଜପତି ମହାରାଜ ଶ୍ରୀଦିବ୍ୟସିଂହଦେବଙ୍କ ପରାମର୍ଶ ଅନୁସାରେ ସଂପନ୍ନ କରାଯାଇଥାଏ । ଶ୍ରୀକ୍ଷେତ୍ର ଘୋଷଯାତ୍ରାର ଅବିକଳ ଢାଞ୍ଚାରେ ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ଯଥାକ୍ରମେ ୧୬, ୧୪ ଓ ୧୨ ଚକ ବିଶିଷ୍ଟ ତିନୋଟି ରଥ ନିର୍ମାଣ କରାଯାଇଥାଏ ।

ଆହୁରି ପଢନ୍ତୁ ଝିପିଝିପି ବର୍ଷାରେ ବଡଦାଣ୍ଡରେ ଗଡିଲା ତିନି ରଥ

ଚଳିତବର୍ଷ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ଅଞ୍ଚଳର ଶତାଧିକ ଦୋକାନ ବଜାର, ମୀନାବଜାର ଓ ଖାଇବା ଷ୍ଟଲ ବସିଥିବା ବେଳେ ଆଜି ଠାରୁ ନବ ଦିନ ବ୍ୟାପୀ ପ୍ରତିସନ୍ଧାରେ ମହାପ୍ରଭୁ ନିକଟରେ ଭଜନ ସମାରୋହ ଅନୁଷ୍ଠିତ ହେବ । ଏହି ନଅ ଦିନ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ଗହଳି ଲାଗି ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.