ମୟୁରଭଞ୍ଜ (କେନ୍ୟୁଜ) : କାଳିଆର ଲିଳା ଅପାର। କେତେବେଳେ କେଉଁ ଋପରେ ସେ ଭକ୍ତଙ୍କ ନିକଟରେ ଆସିଥାନ୍ତି ତାହା ବୁଝିବା ଅସମ୍ଭବ। ଭକ୍ତ ଦେଖେନି ବୟସ । ବାସ୍ ଜଗନ୍ନାଥଙ୍କ ପ୍ରେମରେ ଏକଦମ୍ ଲୀନ ହୋଇଯିବାକୁ ଚାହେଁ। ଏଭଳି ଜଣେ କୁନି ଭକ୍ତ ହେଉଛନ୍ତି ବାରିପଦା ସହରର ୯ ବର୍ଷର ସମ୍ବିତ୍ ଜେନା ଓରଫ୍ ଋଷି। ଭିଡ ମଝିରେ ରଥ ଟାଣିବାକୁ ସୁଯୋଗ ନ ମିଳିବାରୁ ଘରେ ଅବିକଳ କୁନି ରଥ ନିର୍ମାଣ କରି ଆୟୋଜନ କରିଥାନ୍ତି ରଥଯାତ୍ରା। ଦୀର୍ଘ ୫ ବର୍ଷ ଧରି ଏପରି ରଥ ନିର୍ମାଣ କରି ସାଙ୍ଗ ସାଥୀଙ୍କ ସହ ମିଶି ରଥ ଟାଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲୋଟିଛନ୍ତି ପଞ୍ଚମ ଶ୍ରେଣୀର ଛାତ୍ର ଋଷି।
ବୟସ ମାତ୍ର ୯ ବର୍ଷ। କିନ୍ତୁ କାଳିଆ ପ୍ରତି ମନରେ ରହିଛି ଅଗାଢ ଭକ୍ତି । ରଥଯାତ୍ରାରେ ରଥ ଟାଣିବାର ନିଶା। ମାତ୍ର ବୟଷକୁ ଦୃଷ୍ଟିରୁ ବଡଦାଣ୍ଡ ଯାଇ ରଥ ଟାଣିବାକୁ ମିଳେନି ସୁଯୋଗ। ତଥାପି ହାର ମାନିନି ସେ । ରଥ ଟାଣିବାର ଦୃଢ ଇଚ୍ଛାଶକ୍ତି ଯୋଗୁଁ ନିଜେ ଘରେ ଅବିକଳ କୁନି ରଥ ନିର୍ମାଣ କରି ପ୍ରତିବର୍ଷ ରଥଯାତ୍ରା ପାଳନ କରିଥାନ୍ତି। ବାରିପଦା ସହରର ପିତା ଅଧ୍ୟାପକ ବିଦ୍ୟାଧର ଜେନା ଓ ମାଆ ସୁସଜିତା ଜେନାଙ୍କର ପୁଅ ହେଉଛନ୍ତି ସମ୍ବିତ ଜେନା। ୪ ବର୍ଷ ବୟସରୁ ପ୍ରତିବର୍ଷ ଷ୍ଟିକ, ସୋଲ ଓ ରଙ୍ଗୀନ କାଗଜରୁ ନିର୍ମାଣ କରୁଛନ୍ତି ଏଭଳି ରଥ। ଆଉ ରଙ୍ଗ ତୁଳୀ ସାହାଯ୍ୟରେ ଶେଷ ସ୍ପର୍ଷ ଦେଇ ରଥକୁ କରିଥାନ୍ତି ଜୀବନ୍ତ। ଆଉ ରଥଯତ୍ରା ଦିନ ଉପବାସ ରହି ରଥଟାଣି ଆତ୍ମତୃପ୍ତି ଲାଭ କରନ୍ତି ବୋଲି କହନ୍ତି ଏହି କୁନି ଭକ୍ତ ଋଷି।
ପୁଅର କାଳିଆ ସାଆନ୍ତ ପାଇଁ ଏଭଳି ଭକ୍ତି ମାତା ପିତାଙ୍କୁ ମଧ୍ୟ ସହଯୋଗ କରିବାରେ ଆଗକୁ ଟାଣି ଆଣିଛି। ସମସ୍ତ ନୀତିକାନ୍ତି ସହ ରଥଯାତ୍ରା ପାଳନ କରିଥାନ୍ତି ଏହି କୁନି ଭକ୍ତ। ଉପବାସ ରହି ରଥଯାତ୍ରା କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ସେ। ଆଉ ପୂରା ଘରେ ହୋଇଯାଏ ଏକ ଅଧ୍ୟାତ୍ମିକ ପରିବେଶ। ଏଭଳି ଜଣେ ପୁଅ ପାଇ ପିତା ମାତା ମଧ୍ୟ ଗର୍ବିତ। ଅନ୍ଯପଟେ ସମ୍ବିତଙ୍କ ଏହି କଳା ତାଙ୍କୁ ନିଶ୍ଚିତ ଭାବେ ଆଗକୁ ବଢିବାକୁ ସୁଯୋଗ ଯୋଗାଇଦେବ ବୋଲି ଆଶା ରଖିଛନ୍ତି ଶୁଭେଚ୍ଛୁ। ଏହି କୁନି ଭକ୍ତ ସମ୍ବିତଙ୍କ ଭବିଷ୍ଯତ ଉଜ୍ୱଳମୟ ହେଉ ଏହାହିଁ ଆମେ କାମନା କରୁଛୁ।