ରାଉରକେଲା କୁଆଁରମୁଣ୍ଡା ପଞ୍ଚାୟତ ଅଫିସ ନିକଟରୁ ବନ୍ଧୁକ ଦେଖାଇ ୧୧ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା: ବ୍ୟାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ। କଡ଼ା ସୁରକ୍ଷା ବଳୟ ମଧ୍ୟରୁ ୧୧ଲକ୍ଷ ୩୫ହଜାର ୬ଶହ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସାମନାରୁ ହୋଇଛି ଲୁଟ। ସକାଳ ପ୍ରାୟ ସାଢେ ସାତଟାରେ ରାଉରକେଲାରୁ କୁଆଁରମୁଣ୍ଡାକୁ ଏକ ବୋଲେରୋ ଯୋଗେ ଘରୋଇ ବ୍ୟାଙ୍କରୁ ଟଙ୍କା ଯାଉଥିବା ବେଳେ ଦୁର୍ବୃତ୍ତମାନେ ବ୍ୟାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ଟଙ୍କା ଲୁଟ କରିଛନ୍ତି। କୁଆଁରମୁଣ୍ଡା ବ୍ଲକର ୫ଟି ଗ୍ରାମ ପଞ୍ଚାୟତରେ ଭତ୍ତା ଟଙ୍କା ବାଣ୍ଟିବା ପାଇଁ ୫ଟି ବୋଲେରୋରେ ଟଙ୍କା ନିଆଯାଉଥିଲା। କୁଆଁରମୁଣ୍ଡା ଗ୍ରାମପଞ୍ଚାୟତ ଅଫିସ ଆଗରେ ଟଙ୍କା କଢାଯାଉଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରି ଟଙ୍କା ଲୁଟ କରିଥିଲେ। ଆକ୍ରମଣରେ ବ୍ୟାଙ୍କର କ୍ୟାସିଅର ଆହତ ହୋଇଛନ୍ତି। ସୁରକ୍ଷା କର୍ମୀ ନିଜ ବନ୍ଧୁକରୁ ଗୁଳି ଚଳାଉଥିବା ବେଳେ ଦୁର୍ବୃତ୍ତମାନେ ବନ୍ଧୁକ ଛଡ଼ାଇ ନେବା ସହ ପାଲଟା ଆକ୍ରମଣ କରିଥିଲେ। ଅଭିଯୋଗ ମିଳିବା ପରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ, ବୀରମିତ୍ରପୁର ଥାନା ପୋଲିସ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।