Below header

ସମ୍ବଲପୁର ଘଟଣାର ପ୍ରତିବାଦ: ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ପାଳନ

୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ । ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଯୋଗୁ ଅସହ୍ୟ ଖରାରେ ହନ୍ତସନ୍ତ ହେଉଛନ୍ତି ଲୋକେ ।

(କେନ୍ୟୁଜ): ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଏବଂ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡ଼ାକରା ଯୋଗୁ ବୌଦ୍ଧ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସ୍ଥାନୀୟ ଯୁବକ,ବିଭିନ୍ନ ହିନ୍ଦୁ ସଂଗଠନ ଏବଂ ବିଜେପି ପକ୍ଷରୁ ସକାଳ ୬ରୁ ବନ୍ଦ ପାଳନ କରାଯାଇଛି । ବୌଦ୍ଧ ମୁଖ୍ୟ ଛକ ବିଜୁ ପଟ୍ଟନାୟକ ଛକରେ ସହ ସହ ଯାନବାହନ ରାସ୍ତା କଡ଼ରେ ଅଟକି ରହିଛି। ସହର ବିଭିନ୍ନ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ବନ୍ଦ ପାଳନ ଯୋଗୁଁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସେପଟେ ଦୋଷୀକୁ ଯଦି ୪୮ ଘଣ୍ଟା ଭିତରେ ଗିରଫ କରି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ନଚେତ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି ।

ସେହିପରି ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ। ବରଗଡ଼ ଜିଲ୍ଲାର ୧୨ ଗୋଟି ବ୍ଲକର ବିଭିନ୍ନ ସ୍ଥାନ ବନ୍ଦ ପାଳନ। ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବରଗଡ଼ ବନ୍ଦ ରହିବ । ଗାଡି ଚଳାଚଳ , ସରକାରୀ ବେସରକାରୀ ସ୍କୁଲ କଲେଜ ବନ୍ଦ ହୋଇଛି । ବଜରଙ୍ଗ ଦଳ ସହ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

କୋରାପୁଟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ଛକରେ ବିଶ୍ଵ ହିନ୍ଦୁ ପରିଷଦ, କୋରାପୁଟ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ପକ୍ଷରୁ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ଗାଡ଼ି ବନ୍ଦ କରାଯାଇଛି। ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। କୋରାପୁଟ, ପଟାଙ୍ଗି ଲକ୍ଷ୍ମୀପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କୋରାପୁଟ ବିଜେପି ପକ୍ଷରୁ ସମର୍ଥନ ଜଣାଇବା ସହ ସହରର ସମସ୍ତ ହିନ୍ଦୁ ସଂଗଠନ ବନ୍ଦ ସମର୍ଥନରେ ଆଗକୁ ଆସିଛନ୍ତି। କୋରାପୁଟରେ ଦୋକାନ ବଜାର ସହ ଗାଡି ଚଳା ଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ସହରରେ ୨ ପ୍ଳାଟୁନ ଫୋର୍ସ ମୂତୟନ ହୋଇଥିବା ବେଳେ କୋରାପୁଟ ଟାଉନ୍ ପୋଲିସ ପକ୍ଷରୁ ପେଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖିଛନ୍ତି। ସହର ର ମୁଖ୍ୟ ଟ୍ରାଫିକ ଛକ ,ଗୁଣ୍ଡିଚା ମନ୍ଦିର ଛକ ,ରେଳୱ୍ବେ ଷ୍ଟେସନ ଛକ ଠାରେ ବିଶ୍ବ ହିନ୍ଧୁ ପରିଷଦ ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି

ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ରାୟଗଡା ଜିଲ୍ଲା ଗୁଣୁପୁରଠାରେ ବନ୍ଦର ପ୍ରଭାବ ପଡିଛି । ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରାରେ ବିଜେପି, ଆରଏସଏସ ମଧ୍ୟ ସାମିଲ ହୋଇଛନ୍ତି ।

ସେପଟେ ଆଜି ଝାରସୁଗୁଡ଼ା ଜିଲ୍ଲା ବନ୍ଦ, ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ଝାରସୁଗୁଡ଼ା ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଯାହା ଫଳରେ ମାଲ ପରିବହନ କରୁଥିବା ଭାରି ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ, ଝାରସୁଗୁଡ଼ା ସହରରେ ଥିବା ଦୋକାନ ବଜାରକୁ ପିକେଟିଂ କରି ବନ୍ଦ କରାଯାଇଛି। ବସ ଚଳାଚଳ ବନ୍ଦ ରହିଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ସକାଳ ୬ଟା ଠାରୁ ସନ୍ଧ୍ୟା ୬ଯାଏଁ ବନ୍ଦ୍ ଡାକରା ଦିଆଯାଇଛି । ସକାଳୁ ଭବାନୀ ପାଟଣା ସହରରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି , ବସ୍ ଚଳାଚଳ ବନ୍ଦ ରହିଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ କଲେଜ ବନ୍ଦ କରିବାକୁ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ।ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବିଜେପି ଏବଂ ହିନ୍ଦୁ ସଙ୍ଗଠନ ସମର୍ଥନ ରହିଛି ।

ସମାନ ପରିସ୍ଥିତି କଣ୍ଟାବାଞ୍ଜିରେ ବି ଦେଖିବାକୁ ମିଳିଛି। ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ଦୁଇ ସଂଗଠନର ସଦସ୍ୟ ମାନେ ସ୍ଥାନିୟ ଇନ୍ଦିରା ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି. । ବଜରଙ୍ଗ ଦଳ କର୍ମୀମାନେ ପିକେଟିଂ କରି ଗାଡିମଟର ଚଳାଚଳ ବନ୍ଦ କରିଛନ୍ତି । ଏହା ସହ ସହରର ସମସ୍ତ ଦୋକାନ ବଜାର, ସ୍କୁଲ, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ଫଳରେ କଣ୍ଟାବାଞ୍ଜିର ବିଭିନ୍ନ ଛକରେ ଗାଡ଼ି ମଟର ଅଟକି ରହିଛି । ସହରରେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତାୟାନ କରାଯାଇଛି । ବନ୍ଦ ଶାନ୍ତି ପୂର୍ଣ୍ଣ ଭାବରେ ଚାଲିଛି।

ନବରଙ୍ଗପୁର ଜିଲ୍ଲାରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ୧୦ଟି ବ୍ଲକ ଓ ଦୁଇଟି ମୁନିସିପାଲିଟିର ବିଭିନ୍ନ ସ୍ଥାନରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତା ଙ୍କ ତରଫରୁ ଏହି ବନ୍ଦ ପାଳନ କରାଯାଉଛି । ନବରଙ୍ଗପୁର ସହରର ଦୋକାନ ବଜାର ବନ୍ଦ ରହିଥିବା ବେଳେ ଦୂରଦୂରାନ୍ତରର ଗାଡି ଗୁଡିକ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି । ବନ୍ଦ ରୁ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ଓ ଦୋକାନକୁ ବାଦ ଦିଆଯାଇଛି । ଉମରକୋଟ ଠାରେ ବି ବାର ଘଣ୍ଟିଆ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ଛଅ ଟା ଠାରୁ କର୍ମୀ ମାନେ ରାସ୍ତା ଅବରୋଧ ସହ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି। ଦୂରଗାମୀ ବସ୍ ଗୁଡ଼ିକ ହଠାତ ଅଟକି ଯିବା ଯୋଗୁଁ ଯାତ୍ରୀ ମାନେ ହଇରାଣ ହେବା ଦେଖା ଦେଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

୧୨ଘଣ୍ଟିଆ ବନ୍ଦ ଡ଼ାକରାରେ ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ପାଳିତ ହୋଇଛି । ଜିଲ୍ଲା ସଦର ମହକୁମା ସୁବର୍ଣ୍ଣପୁର ସମେତ ବୀରମହାରାଜପୁର,ଉଲୁଣ୍ଡା,ବିନିକା,ଡୁଙ୍ଗୁରିପାଲି,ତରଭା ବ୍ଲକ ଅଞ୍ଚଳରେ ବନ୍ଦର ପ୍ରଭାବ ପଡିଛି । ବନ୍ଦର ପ୍ରଭାବରେ ସବୁଠି ଦୋକାନ ବଜାର,ହାଟ ହଟଲି,ସରକାରୀ ଓ ବେସରକାରୀ ଅଫିସ ସମେତ ବ୍ୟାଙ୍କ ପରି ବ୍ୟବସାୟିକ ପ୍ରତିଷ୍ଠାନସବୁ ବନ୍ଦ ରହିଛି । ବିଶ୍ୱ ହିନ୍ଦୁ ପରିଷଦ ସହ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ବିଜେପି କର୍ମୀଙ୍କ ପିକେଟିଂ ଯୋଗୁଁ ଜାତୀୟ ରାଜପଥ ୫୭ର ବିଭିନ୍ନ ଛକରେ ଶତାଧିକ ଦୂରଗାମୀ ଯାନ ବାହାନ ଅଟକି ରହିଛି । ସୁବର୍ଣ୍ଣପୁରର ଜିଲ୍ଲାରେ ବନ୍ଦର ଜବରଦସ୍ତ ପ୍ରଭାବ ପଡିଥିବାବେଳେ ସାଧାରଣ ଜନ ଜୀବନ ମଧ୍ୟ ବେଶ ପ୍ରଭାବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.