ବୈଠକକୁ ନ ଆସିବାରୁ ଏକ ଘରିକିଆ କରିଦେଲେ ଗାଁ ଲୋକେ, ମନ୍ଦିରରେ ବି ପୂରେଇଲେନି

ଜଳେଶ୍ବର: ଆଜି ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ ଏବଂ କୁସଂସ୍କାର। ଯେତେ ଶିକ୍ଷିତ ହେଲେ ମଧ୍ଯ ଧୀରେ ଧୀରେ ମଣିଷ ମନରୁ ହଜି ଯାଉଛି ମାନବିକତା। ଏ ସ୍ବାର୍ଥବାଦୀ ଦୁନିଆରେ ସାମାନ୍ଯ ସ୍ବାର୍ଥ ପାଇଁ ମଣିଷ ପାଲଟି ଯାଉଛି ପଶୁ । ଏବେ ବି ଚାଲିଛି ମଧ୍ଯଯୁଗୀୟ ହିଟଲରୀ ଶାସନ। କଥା କଥା କେ ସାମାଜିକ ବାସନ୍ଦ ହେଉଛନ୍ତି ଲୋକେ। ଆଦିବାସୀ ବହୁଳ ନବରଙ୍ଗପୁର କିମ୍ବା ମାଲକାନଗିରି ନୁହେଁ, ବରଂ ସଭ୍ଯ, ଶିକ୍ଷିତ, ଉନ୍ନତ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବେଲି ଗୋପିନାଥପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁ ବୈଠକରେ ଯୋଗଦେଇ ନପାରିବାରୁ ଗାଁର ଦେବେନ୍ଦ୍ର ପ୍ରଧାନ ଏବଂ ମହେଶ୍ୱର ଦାସଙ୍କ ପରିବାରକୁ ଗ୍ରାମବାସୀମାନେ ମିଳିତ ଭାବେ ଗତ ବର୍ଷେ ହେଲା ଏକ ଘରିଆ କରି ରଖିଛନ୍ତି। ଏମିତିକି ଏହି ଦୁଇ ପରିବାରକୁ ନିଆଁ ପାଣି ମଧ୍ଯ ବନ୍ଦ‌ କରି ରଖିଛନ୍ତି।

ଆଜି ଚୈତ୍ର ମାସର ପ୍ରଥମ ସୋମବାର ହୋଇଥିବାରୁ ଦୁଇ ପରିବାରର ୪ ଜଣ ମହିଳା ଏବଂ ଛୋଟ ପିଲାମାନେ ଗାଁରେ ଥିବା ବକ୍ରେଶ୍ବର ମହାଦେବ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ମାତ୍ର ମନ୍ଦିରର ପୂଜକ ତାଙ୍କ ପୂଜା କରାଯିବ ନାହିଁ କହି ଫେରାଇ ଦେଇଥିଲେ। ଗାଁର ମୁଖିଆ ସେମାନଙ୍କ ପୂଜା କରିବାକୁ ବ୍ରାହ୍ମଣଙ୍କୁ ବାରଣ କରିଥିବା ନେଇ ବ୍ରାହ୍ମଣ କହିଥିଲେ। ଫଳରେ ସେମାନେ ମନ୍ଦିର ଦ୍ଵାରରେ ସକାଳ ୯ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ପୂଜା କରିବା ପାଇଁ ଅପେକ୍ଷା କରି ବସି ରହିଥିଲେ। ପୂଜା କରିବାକୁ ଅନୁମତି ନ ମିଳିବାରୁ ଶେଷରେ ବାଧ୍ଯ ହୋଇ ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏହି ଦୁଇ ପରିବାର। ଘଟଣା ସମ୍ପର୍କରେ ଜାଣିବା ପୂଜକଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ନଦେଇ ସେଠାରୁ ଚାଲି ଯାଇଥିଲେ। ତେବେ ପୋଲିସ ଏବଂ ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣାର ତୁରନ୍ତ ସମାଧାନ କରି ପୀଡିତ ଦୁଇ ପରିବାରକୁ ନ୍ଯାୟ ଦେବାକୁ ସାଧାରଣରେ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.