୨୦ ଘଣ୍ଟାର ମାରାଥନ ଖାନତଲାସୀ, ୧୩୩ କୋଟି ଟଙ୍କାର ଫିକ୍‌ସଡ ଡିପୋଜିଟ୍‌ ଜବତ

କେନ୍ୟୁଜ୍(ବ୍ୟୁରୋ):  ୨୦ ଘଣ୍ଟାର ମାରାଥନ ଖାନତଲାସୀ। ୧୩୩ କୋଟି ଟଙ୍କାର ଫିକ୍‌ସଡ ଡିପୋଜିଟ୍‌ ଜବତ। ଗତକାଲି ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ଯୋଡ଼ା ଓ ଭୁବନେଶ୍ୱରରେ ଥିବା ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟରେ ଖାନତଲାସୀ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧିନରେ ଖାନତଲାସୀ ହୋଇଥିଲା। ଅଭିଯୋଗ ଥିଲା, ଆବଶ୍ୟକ ଅନୁମତି ନଥାଇ ବେଆଇନ ଖଣି ଖନନ କରି ଅର୍ଥ ଉପାର୍ଜନ। ତଲାସୀ ବେଳେ ଜବତ ହୋଇଛି ୭୦ ଲକ୍ଷ ଟଙ୍କା ଏବଂ ୧୩୩ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌।

ଏହାସହ ଅନେକ ଆପତ୍ତିଜନକ କାଗଜପତ୍ର ଓ ଡିଜିଟାଲ ପ୍ରମାଣ ମିଳିଛି। ଇଡି ପ୍ରେସ୍‌ ରିଲିଜ୍‌ ମୁତାବକ, ରାଜ୍ୟ ଭିଜିଲାନ୍‌ସର ଏଫଆଇଆର ଓ ଚାର୍ଜସିଟ୍‌ ଆଧାରରେ ମନି ଲଣ୍ଡରିଂ ତଦନ୍ତ ଆରମ୍ଭ ହୋଇଥିଲା। ଭିଜିଲାନ୍‌ସ ଚାର୍ଜସିଟ୍‌ ମୁତାବକ ଅଭିଯୁକ୍ତ ଜିତେନ୍ଦ୍ର ନାଥ ପଟ୍ଟନାୟକ ବହୁଦିନ ଧରି ବେଆଇନ ଖଣି ଖନନ କରିଥିଲେ। ଫଳରେ ରାଜ୍ୟ ସରକାରଙ୍କୁ ୧୩୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡିଥିଲା। ଏହି ଅପରାଧ ଜରିଆରେ ସେ ଯେଉଁ ଟଙ୍କା ଉପାର୍ଜନ କରିଥିଲେ ତାହା ଏବେ ସଂପୂର୍ଣ୍ଣ ଉଦ୍ଧାର କରାଯାଇଥିବା ଇଡି ସୂଚନା ଦେଇଛି ।

 EDର ତଲାସୀ ଅଭିଯାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜିତେନ୍ଦ୍ରନାଥ ପଟ୍ଟନାୟକ। ୨୦୦୯ରେ ତାଙ୍କ ବାପାଙ୍କ ନାଁରେ ଥିବା ବିଡି ପଟ୍ଟନାୟକ ଖଣିରେ ଅନିୟମିତତା ହୋଇଥିବା ନେଇ ଭିଜିଲାନ୍‌ସ ମାମଲା ରୁଜୁ କରିଥିଲା। ଏହି କେସ୍‌କୁ ନେଇ ED ତଲାସୀ କରିଛି। ଯେ ହେତୁ ସେ ବି ଡି ପଟ୍ଟନାଏକ ଖଣିର ଲିଗାଲ ହେୟାର ଅଛନ୍ତି, ତେଣୁ ED ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା। ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମସ୍ତ କାଗଜପତ୍ର ଦାଖଲ କରିବାକୁ ସମୟ ମାଗିଥିଲେ। ଏହାକୁ ED ଗ୍ରହଣ କରିବା ସହ ମେ ୨୨ତାରିଖ କାଗଜପତ୍ର ସହ ହାଜର ହେବାକୁ ଇଡି ସମନ କରିଛି। ତାଙ୍କର କୌଣସି ବେଆଇନ ଟଙ୍କା ନାହିଁ। ପଟ୍ଟନାୟକ ମାଇନସର ଏମ୍‌ଡି ଓ ପଟନାୟକ ମିନେରାଲସର ନିର୍ଦ୍ଦେଶକ ଅଛନ୍ତି। ଦରମା ଓ ଡିଭିଡେଣ୍ଟ ଫିକ୍‌ସଡ୍‌ ଡିପୋଜିଟରେ ରଖିଛନ୍ତି ବୋଲି କହିଛନ୍ତି ଜିତେନ୍ଦ୍ର ନାଥ ପଟ୍ଟନାୟକ।

ଖଣି ବ୍ୟବସାୟୀ ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କଠାରୁ ଇଡି ଜବତ କରିଛି ୧୩୩ କୋଟି ଟଙ୍କାର ଫିକ୍‌ସଡ ଡିପୋଜିଟ୍‌ । ରାଜ୍ୟ ଭିଜିଲାନ୍‌ସ ତରଫରୁ ବେଆଇନ ଖଣି ଖନନ ଅଭିଯୋଗରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା । ଏହାରି ଆଧାରରେ ଇଡି ଖାନତଲାସୀ କରିଥିଲା । ସେପଟେ ଜିତୁ ପଟ୍ଟନାୟକ କହିଛନ୍ତି, ତାଙ୍କର କୌଣସି ବେଆଇନ ଟଙ୍କା ନାହିଁ। ତାଙ୍କୁ କାଗଜପତ୍ର ସହ ଆସନ୍ତା ୨୨ ତାରିଖରେ ହାଜର ହେବାକୁ ସମନ କରିଛି ଇଡି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.