କେନ୍ଦ୍ରାପଡା ଓ କଟକରେ କୋଟିପତି ବିଡିଓ ଅଶ୍ୱିନୀ କୁମାରଙ୍କ ୨୪ଟି ପ୍ଲଟ ଠାବ, ୪ଟି ଦାମୀ କାର୍ ଜବତ

କଟକ(କେନ୍ୟୁଜ): ଭିଜିଲାନ୍ସ ପଞ୍ଝାରେ ବିଡିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । କଟକ ବୟାଳିଶ ମୌଜା ଶ୍ରୀକ୍ରିଷ୍ଣା ବିହାରର ୨ ମହଲା ଘରେ ଯାଞ୍ଚ ଚାଲିଛି । ଏହାସହ କଳପଡାରେ ୩ ମହଲା ଘରେ ମଧ୍ୟ ରେଡ୍ କରୁଛି ଟିମ୍ ।
ସେହିପରି ଜଳେଶ୍ୱରରେ ବିଡିଓଙ୍କ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟରରେ ଚାଲିଛି ଛାନ୍ବିନ୍ । ଖପୁରିଆ ସରକାରୀ ପ୍ରେସ୍ରେ ଅଶ୍ୱିନୀ ଦାସଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ ଅଫିସ୍ ଓ କେନ୍ଦ୍ରାପଡା ଜିଲ୍ଲା ଆଳି ଭୂଇଁପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଯାଞ୍ଚ ଚାଲିଛି । କେନ୍ଦ୍ରାପଡା ଓ କଟକରେ ୨୪ଟି ପ୍ଲଟ ଠାବ ହୋଇଛି। ବୟାଳିଶ ମୌଜାରେ ୩ ମହଲା ଘର ରହିଛି । ଯାହାର ଦାମ୍ କୋଟିଏ ୨୨ ଲକ୍ଷ ।
ଏହାସହ ନଗଦ ଲକ୍ଷେ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ୩୩୦ ଗ୍ରାମ ସୁନା ଓ ୧ କେଜିର ରୂପା ଅଳଙ୍କାର ମିଳିଛି । ବିଡ଼ିଓଙ୍କ ୪ଟି ଦାମୀ କାର୍ ଜବତ କରିଛି ଟିମ୍ । ଏକ ଇଟା ଫ୍ୟାକ୍ଟ୍ରି ଥିବା ସୂଚନା ମିଳିଛି । ଚଢାଉରେ ସାମିଲ ହୋଇଛନ୍ତି ୫ ଡିଏସ୍ପି, ୯ ଇନସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।