Below header

୧୯’ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ କସରତ , ୬ ଜଣିଆ ଟିମ୍ କଲେ ପ୍ରସ୍ତୁତିର ସମୀକ୍ଷା

ଭୁବନେଶ୍ବର (କେନ୍ୟୁଜ୍) :ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କ କସରତ । ଓଡ଼ିଶା ଗସ୍ତରେ ଆସିଥିବା ନିର୍ବାଚନ କମିଶନଙ୍କ ଟିମ୍ ଆଜି ଦିନତମାମ ଆଲୋଚନା ଓ ପର‌୍ୟ୍ୟାଲୋଚନା କରିଛନ୍ତି । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିବା ସହ ଜିଲ୍ଲାପାଳ, ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

୧୯’ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା । ଓଡ଼ିଶା ଗସ୍ତରେ ଥିବା ୬ ଜଣିଆ ନିର୍ବାଚନ କମିଶନଙ୍କ ଟିମ୍କୁ ଭେଟି ବିଭିନ୍ନ ଦଳର ନେତା ନିଜର ଆଭିମୁଖ୍ୟ ରଖିଛନ୍ତି । ନିର୍ବାଚନୀ ହିଂସାକାଣ୍ଡ ରୋକିବା ଓ ପେଟ୍ରୋଲ ପମ୍ପ ମାଧ୍ୟମରେ ଟଙ୍କା କାରବାର ଉପରେ ତୀକ୍ଷଣ ନଜର ରଖିବା ନେଇ ଦାବି ରଖିଛି ବିଜେଡି । ବିଜେପୁର ବିଧାନସଭା ଉପନିର୍ବାଚନ ବେଳେ ଏଭଳି ଘଟଣା ଘଟିଥିବା ଦଳ ଅଭିଯୋଗ ଆଣିଛି । ସେପଟେ ସରକାରୀ କଳର ଅପବ୍ୟବହାର କଥା ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆଣିଛି ବିଜେପି। ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କଳର ଅପବ୍ୟବହାର କରୁଥିବା କଂଗ୍ରେସ ଅଭିଯୋଗ କରିଛି । .

ରାଜନେତାଙ୍କ ପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନଙ୍କ ଟିମ । ଏଥର ନିର୍ବାଚନରେ ସାରା ରାଜ୍ୟରେ ଇଭିଏମ ସହ ଭିଭିପାଟ୍ ବ୍ୟବହାର କରାଯିବ । ଏନେଇ ଭୋଟରଙ୍କୁ କେତେମାତ୍ରାରେ ସଚେତନ କରାଯାଇଛି ? ରାଜ୍ୟରେ ମୋଟ ୩୭ ହଜାର ୬୦୬ଟି ବୁଥ୍ କେନ୍ଦ୍ର ରହିଛି। ମହିଳା, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମତଦାନ ପାଇଁ କଣ ସବୁ ବ୍ୟବସ୍ଥା କରାଯିବ? ଏଥିସହ ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଜିଲ୍ଲାପାଳ, ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛି ଟିମ ।

ଶୁକ୍ରବାର ଦିନ ନିର୍ବାଚନ କମିଶନ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ସମ୍ପର୍କରେ ଆଲୋଚନା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.