କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ତିନି ନୂଆ ମନ୍ତ୍ରୀ

ଶପଥ ନେଲେ ରାଜ୍ୟର ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ କାହାକୁ କେଉଁ ବିଭାଗ ମିଳିବ, ତାହା ଜଣାପଡ଼ିନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦକୁ ନେଇ ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ଆଜି ବିରାମ ଲାଗିଛି। ଶପଥ ନେଲେ ରାଜ୍ୟର ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ କାହାକୁ କେଉଁ ବିଭାଗ ମିଳିବ, ତାହା ଜଣାପଡ଼ିନାହିଁ । ଆଜି ସକାଳ ୯ଟା ୫୦ରେ ଶପଥ ନେଇଛନ୍ତି ନୂଆମନ୍ତ୍ରୀ । ରାଜ୍ୟପାଳ ଗଣେଶ ଲାଲ ଏହି ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ଜଣାଯାଇଛି। ଏହି ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।

କିନ୍ତୁ ନୂଆ ବାଚସ୍ପତି କିଏ ହେବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ଉଲ୍ଲେଖ ଥାଉ କି ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଆଉ ଗତକାଲି ହିଁ ଏହି ତିନି ଜଣ ବରିଷ୍ଠ ବିଧାୟକ ହିଁ ମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା।

ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ ନେତା ହେଲେ  ବିକ୍ରମ କେଶରୀ ଆରୁଖ । ଭଞ୍ଜନଗରରୁ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୯୫ରୁ ଲଗାତାର ନିର୍ବାଚନ ଜିତି ଆସୁଛନ୍ତି ବିକ୍ରମ କେଶରୀ ଆରୁଖ । ଗଞ୍ଜାମ ଜିଲ୍ଲା ବିଜେଡିର ଗଡ଼ । ଆରୁଖ ମନ୍ତ୍ରୀ ହେବା ଦ୍ୱାରା ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବିଜେଡି ସଂଗଠନ ଉପରେ ପ୍ରଭାବ ପଡ଼ିବ । ହେଭିେଓ୍ଵଟ ଆରୁଖଙ୍କୁ ମନ୍ତ୍ରୀ ପଦ ଦେଇ ଦକ୍ଷିଣ ଓଡ଼ିଶା ସମେତ ନିଜ ଗଡ଼ ଗଞ୍ଜାମ ଜିଲ୍ଲାରେ ସଂଗଠନକ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଆରୁଖଙ୍କ ନିର୍ବାଚନ ମଣ୍ଡଳୀ ଭଞ୍ଜନଗର କନ୍ଧମାଳ ଲୋକସଭା କ୍ଷେତ୍ରରେ ବି ଆସୁଛି । ବିକ୍ରମ କେଶରୀ ଆରୁଖ ବିଭିନ୍ନ ସମୟରେ ନବୀନଙ୍କ କ୍ୟାବିନେଟରେ ଓଜନଦାର ଓ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହି ଆସିଛନ୍ତି । ୨୦୨୨ ଜୁନ୍‌ ୧୩ରୁ ୨୦୨୩ ମେ ୧୨ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଥିଲେ ।

ଭେଟେରାନ୍‌ ସାରଦା ନାୟକ ରାଉରକେଲାରୁ ତିନିଥରର ବିଧାୟକ ହୋଇଛନ୍ତି । ୨୦୦୪ରେ ପ୍ରଥମ ଥର ନିର୍ବାଚନ ଜିତି ଆସିଥିଲେ ବିଧାନସଭା । ୨୦୦୯ରୁ ୨୦୧୧ ମଧ୍ୟରେ ଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ପରେ ୨୦୧୧-୧୨ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପଶ୍ଚିମ ଓଡ଼ିଶାର ପ୍ରମୁଖ ଚେହେରା ସାରଦା ନାୟକ । ଝାରସୁଗୁଡ଼ା ଉପନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଉପନିର୍ବାଚନ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଥିଲେ ସାରଦା ନାୟକ । ରାଉରକେଲାରେ ହକି ବିଶ୍ୱକପ ଆୟୋଜନରେ ରହିଥିଲା ବଡ଼ ଭୂମିକା । ସୁନ୍ଦରଗଡ ଜିଲ୍ଲାରେ ୭ ବିଧାୟକ ମଧ୍ୟରୁ ୨ଜଣ ବିଜେଡିର ଅଛନ୍ତି । ସାରଦା ନାୟକ ରାଉରକେଲା ବିଧାୟକ ଥିବା ବେଳେ ସୁବ୍ରତ ତରାଇ ରଘୁନାଥପାଲିର ବିଧାୟକ ଅଛନ୍ତି । ମନ୍ତ୍ରୀ ଭାବରେ ତାଙ୍କୁ କାମ କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସାରଦା ନାୟକ ।

ପୁଣି ଥରେ ମନ୍ତ୍ରିମଣ୍ଡଳକୁ ଫେରିଲେ ଆଦିବାସୀ ନେତା ସୁଦାମ ମାର୍ଣ୍ଡି । ବାଙ୍ଗିରିପୋଷିର ବିଧାୟକ ଅଛନ୍ତି । ପାଞ୍ଚଥର ନିର୍ବାଚିତ ହୋଇଛନ୍ତି । ପୂର୍ବରୁ କ୍ରୀଡ଼ା ଓ ଯୁବ ବ୍ୟାପାର, ଅନୁସୂତିତ ଜାତି ଓ ଜନଜାତି ବିକାଶ ଏବଂ ରାଜସ୍ୱ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ମୟୂରଭଞ୍ଜ ଲୋକସଭାରୁ ୨୦୦୪ରୁ ୨୦୦୯ ଯାଏ ସାଂସଦ ଥିଲେ ସୁଦାମ ମାର୍ଣ୍ଡି । ମନ୍ତ୍ରିମଣ୍ଡଳର ପ୍ରମୁଖ ଆଦିବାସୀ ଚେହେରା । ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ପ୍ରଚାର ଦାୟିତ୍ୱ ତୁଲାଇବେ । ସୁଦାମଙ୍କୁ ମିଶାଇ ନବୀନଙ୍କ କ୍ୟାବିନେଟରେ ୩ ଆଦିବାସୀ ଚେହେରା । ମୟୂରଭଞ୍ଜ ଜିଲ୍ଲାରୁ ଏବେ ବାସନ୍ତୀ ହେମ୍ବ୍ରମ୍‌ ମନ୍ତ୍ରୀ ଥିବା ବେଳେ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ସୁଦାମ ମାର୍ଣ୍ଡି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.