ଏମିତି ବି ଆସେ ମୃତ୍ୟୁ, ବିରଜା ଦର୍ଶନ ସାରି ଫେରୁଥିବାବେଳେ ଗଛ ଡାଳ ପଡି ୩ ବର୍ଷର ଶିଶୁ ମୃତ
ଯାଜପୁର ଟାଉନ୍ (କେନ୍ୟୁଜ) : ମୃତ୍ୟୁ କେତେବେଳେ କେମିତି ଆସେ, ତାହା କେହି କହିପାରିବେନି। ଏଇ ଯେମିତି ଏ ଛୋଟିଆ ଶିଶୁ ସହିତ ଘଟିଛି। ବାଇକରେ ବାପା, ମାଆ ଓ ଭଉଣୀ ସହିତ କେତେ ଖୁସିରେ ବିରଜା ମାଙ୍କୁ ଦର୍ଶନ କରିବାକୁ ଯାଇଥିଲା କୁନି ପିଲାଟି, କିନ୍ତୁ ବାଟରେ ଜଗି ରହିଥିଲା ମରଣ। ବାପା, ମାଆ ଓ ଭଉଣୀଙ୍କ ସହିତ ବାଇକରେ ଆସିବାବେଳେ ହଠାତ୍ ଗଛ ଡାଳ ପଡିଗଲା ୩ବର୍ଷର ପୁଅ ଉପରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ ସାରି ଭଦ୍ରକ ଜିଲ୍ଲା ଆଗରପଡ଼ାର ଆଡ଼ିଆ ଗ୍ରାମର ଏକ ପରିବାର ବାଇକ ଯୋଗେ ଘରକୁ ଫେରୁଥିଲେ। କୁନି ପିଲାଟି ବାପାଙ୍କ ବାଇକର ଆଗରେ ବସି ବଡ ଖୁସି ମନରେ ଘରକୁ ଫେରୁଥିଲା। କିନ୍ତୁ ଫେରିବା ସମୟରେ ଯୋଡିକୁଅ ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଏକ ବିଶାଳ ଚାକୁଣ୍ଡା ଗଛ ବାଇକ ଉପରେ ପଡିବା ଫଳରେ ସମ୍ପୂର୍ଣ୍ଣ ପରିବାର ଗଛ ତଳେ ଚାପି ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ଦେଖି ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଗଲେ। ବାପା,ମା ଏବଂ ଝିଅ ସାମାନ୍ୟ ଆହତ ହୋଇଛନ୍ତି କିନ୍ତୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା କୁନି ପିଲାଟିକୁ ଡାକ୍ତର ବାଳକକୁ ମୃତ ଘୋଷଣା କରିଛନ୍ତି। ମୃତ ବାଳକ ହେଲେ ସୁନନ୍ଦ ବିନ୍ଧାଣିଙ୍କ ଏକ ମାତ୍ର ପୁଅ ରାହୁଲ ବିନ୍ଧାଣି । ଘଟଣା ସ୍ଥଳରେ ଯାଜପୁର ଟାଉନ ପୋଲିସ ପହଂଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି ।