ଏ କି ମାଆ, ବାପା! ବଡ଼ ଝିଅର ଜୀବନ ବଞ୍ଚାଇବା ପାଇଁ ସାନ ଝିଅକୁ ୧୦ ହଜାର ଟଙ୍କାରେ ବିକିଦେଲେ, ନାବାଳିକାଙ୍କୁ ବାହା ହୋଇଗଲେ କ୍ରେତା

କୌଣସି ବି ମଣିଷ ପାଇଁ ତା’ର ସବୁ ସନ୍ତାନ ସମାନ ହୋଇଥାଆନ୍ତି। କିନ୍ତୁ ଦାରିଦ୍ର୍ୟତା ସାମ୍ନାରେ ସେହି ମଣିଷ ହିଁ କେବେ କେବେ ଅସହାୟ ହୋଇପଡ଼ିଥାଏ। ଠିକ୍‌ ଏମିତି ହିଁ କିଛି ହୋଇଛି ଆନ୍ଧ୍ର ପ୍ରଦେଶର ଜଣେ ଦମ୍ପତିଙ୍କ କ୍ଷେତ୍ରରେ। ଏଠାରେ ଜଣେ ଦମ୍ପତି ନିଜ ୧୬ ବର୍ଷର ଝିଅର ଚିକିତ୍ସା ପାଇଁ ନିଜ ଦ୍ୱିତୀୟ ଝିଅକୁ ଅନ୍ୟ ହାତରେ ବିକିଦେବାକୁ ବାଧ୍ୟ ହୋଇଛନ୍ତି। ଦ୍ୱିତୀୟ ଝିଅର ବୟସ ୧୨ ବର୍ଷ।

ନେଲ୍ଲୋରରେ ଦିନ ମଜୁରିଆ ଭାବେ କାମ କରୁଥିବା ଏହି ଦମ୍ପତିଙ୍କ ପାଖରେ ଝିଅର ଚିକିତ୍ସା ପାଇଁ କୌଣସି ବି ସମ୍ବଳ ନ ଥିଲା। ଫଳରେ ସେମାନେ ଏଭଳି କଠିନ ନିଷ୍ପତ୍ତି ନେଇ ଦ୍ୱିତୀୟ ଝିଅକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତକୁ ଟେକି ଦେଇଥିଲେ। ଖବର ମୁତାବକ, ଦମ୍ପତିଙ୍କ ବଡ଼ ଝିଅ ନିଃଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଅଛନ୍ତି।

ଗରିବ ଦମ୍ପତି ନିଜ ଦ୍ୱିତୀୟ ଝିଅକୁ ମାତ୍ର ୧୦ ହଜାର ଟଙ୍କାରେ ସୁବୈୟା ନାମକ ବ୍ୟକ୍ତିଙ୍କୁ ବିକି ଦେଇଥିଲେ। ଏପରି କି, ବ୍ୟକ୍ତି ଜଣକ ଝିଅକୁ ବାହା ହୋଇଯାଇଥିବା ଖବର ରହିଥିଲା। ଏ ନେଇ ସୂଚନା ପାଇବା ପରେ ମହିଳା ଏବଂ ବାଲ୍‌ କଲ୍ୟାଣ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଜିଲ୍ଲା ଚାଇଲ୍ଡକେୟାର କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ଏବେ ଏଠାରେ ତାଙ୍କର କାଉନ୍‌ସିଲିଂ ଚାଲିଛି।

ପୋଲିସର କହିବା ଅନୁସାରେ, ସୁବୈୟାଙ୍କ ସ୍ତ୍ରୀ ପାରିବାରିକ କଳହ ଯୋଗୁ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ସୁବୈୟା ପୂର୍ବରୁ ପୀଡ଼ିତାଙ୍କ ମାଆ, ବାପାଙ୍କୁ ତାଙ୍କ ଦ୍ୱିତୀୟ ଝିଅକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ ନାବାଳିକାଙ୍କୁ କିଣିବା ପରେ ନିଜ ସମ୍ପର୍କୀୟଙ୍କ ଘରକୁ ନେଇ ଯାଇଥିଲେ। ତେବେ ଏହି ସମୟରେ ପଡ଼ୋଶୀମାନେ ନାବାଳିକା ପାଟି କରୁଥିବାର ଏବଂ ଚିଲ୍ଲାଉଥିବାର ଶୁଣିବାକୁ ପାଇଥିଲେ। ସେମାନେ ତୁରନ୍ତ ସେଠାରେ ପହଞ୍ଚି ପଚରାଉଚରା କରିଥିଲେ। ଏହାପରେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ। ଶେଷରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ବାଲ୍‌ ବିକାଶ ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏ ନେଇ ସୁବୈୟାଙ୍କ ବିରୋଧରେ ମାମଲା ରୁଜୁ କରି ପଚରାଉଚରା କରୁଛି।