ଝିଅ ନିର୍ବନ୍ଧ ପାଇଁ ଯାଉଥିବାବେଳେ ଘଟିଲା ଅଘଟଣ, ପିକଅପ୍‌ ଗାଡ଼ି ଓଲଟି ୩୦ ରୁ ୩୫ ଗୁରୁତର ଆହତ

ଝିଅ ନିର୍ବନ୍ଧ କରିବାକୁ ଯାଇଥିବାବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ବି ହେଉ ଅଳ୍ପକେ ବର୍ତ୍ତିଛନ୍ତି ସମସ୍ତ ଲୋକେ କିନ୍ତୁ ଚାଳକ ଫେରାର ହୋଇଯାଇଛି । ସମସ୍ତ ଆହତ ଓ ଗୁରୁତର ମହିଳା ଓ ପୁରୁଷ ଉମରକୋଟ , ଝରିଗାଁ ଓ ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି ଅଛନ୍ତି ।

ନବରଙ୍ଗପୁର (କେନ୍ୟୁଜ): ଖୁସି ମନରେ ଘରୁ ବାହାରିଥିଲେ ଝିଅ ନିର୍ବନ୍ଧ ପାଇଁ । କିନ୍ତୁ ସବୁ ଖୁସି ପାଣିରେ ମିଶିଗଲା । ସଜ ହୋଇ ନୂଆ ପୋଷାକ ପିନ୍ଧି ଝିଅ ନିର୍ବନ୍ଧ ପାଇଁ ଯାଉଥିଲେ । କିନ୍ତୁ ହଠାତ୍‌ ସବୁ କିଛି ଓଲଟ ପାଲଟ ହୋଇଗଲା । ଯେଉଁ ଗାଡ଼ିରେ ଯାଉଥିଲେ ସେ ଗାଡ଼ିଟି ହଠାତ ଓଲଟି ପଡ଼ିଲା । କାହାର ମୁଣ୍ଡରେ ମାଡ଼ ହେଲା ତ ଆଉ କାହାର ହାତରେ ମାଡ଼ ହେଲା । ଯନ୍ତ୍ରଣାରେ ଛଟପଟ୍‌ ହେଉଥିଲେ ସମସ୍ତେ । ଗାଡ଼ି ଓଲଟିବାର ଶବ୍ଦ ବି ଏତେ ଜୋର ହୋଇଥିଲା ଯେ ଆଖ ପାଖର ଲୋକମାନେ ଦୌଡ଼ି ଆସିଥିଲେ । ତୁରନ୍ତ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଆମ୍ବୁଲାନ୍ସ ସାହାଯ୍ୟରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା ।

ଝିଅ ନିର୍ବନ୍ଧ କରିବାକୁ ଯାଇଥିବାବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ବି ହେଉ ଅଳ୍ପକେ ବର୍ତ୍ତିଛନ୍ତି ସମସ୍ତ ଲୋକେ କିନ୍ତୁ ଚାଳକ ଫେରାର ହୋଇଯାଇଛି । ସମସ୍ତ ଆହତ ଓ ଗୁରୁତର ମହିଳା ଓ ପୁରୁଷ ଉମରକୋଟ , ଝରିଗାଁ ଓ ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି ଅଛନ୍ତି । ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନରେ ଥିବା ଏକମ୍ବା ଗ୍ରାମରୁ ପ୍ରାୟ ୩୦ ରୁ ୩୫ ଜଣ ମହିଳା ଓ ପୁରୁଷ ଏକ ମହିନ୍ଦ୍ରା ମିନି ପିକ୍‌ ଅପ୍‌ ଗାଡିରେ ନିକଟସ୍ଥ ମୋହଣ୍ଡି ଗ୍ରାମକୁ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ । କିନ୍ତୁ ମୋହଣ୍ଡି ନିକଟରେ ଉକ୍ତ ପିକଅପ୍‌ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା ।

ଏଭଳି ଭୟଙ୍କର ଦୁର୍ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଥିଲା ଏବଂ ସମସ୍ତ ଆହତଙ୍କୁ ଉମରକୋଟ ଓ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲା । ଆହତ ହୋଇଥିବା ଲୋକଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଡ଼୍ରାଇଭରଙ୍କ ବେପରୁଆ ମନୋଭାବ ଯୋଗୁଁ ଏହି ଘଟଣାଟି ଘଟିଛି ବୋଲି ଅଭିଯୋଗ ଆଣିଛନ୍ତି ଆହତ ବ୍ୟକ୍ତିମାନେ ।

ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର ଜୀବନ ଯାଇନି । କିନ୍ତୁ ଡ୍ରାଇଭରର ବେପରୁଆ ଗାଡ଼ି ଚାଲନା ପାଇଁ ଅନେକ ଲୋକ ଦୁର୍ଘଟଣାର ଶିକାର ହେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.