Below header

ଟ୍ରେନ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାକୁ ବିତିଲାଣି ୪୮ ଘଣ୍ଟା, ଏ ଯାଏଁ ମିଳୁନି ପରିଚୟ

କିଏ ଓ କାହିଁକି ମାରିଲା ? କେଉଁଠି ହତ୍ୟା ? ମର୍ଡର ମୋଟିଭ୍‌ କଣ ? ଏମିତି ଅନେକ ଅସମାହିତ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି ମହିଳାଙ୍କୁ ହତ୍ୟା । ରେଲେଓ୍ଵ ପୋଲିସ ହାତରେ କୌଣସି ଠୋସ୍‌ ସୁରାକ ବି ଲାଗିନି । ମହିଳାଙ୍କ ପରିଚୟ ଜାଣିବାକୁ ଭୁବନେଶ୍ୱର ଓ ବାହାରେ ପୋଷ୍ଟର ଲଗାଯିବ ।

ଭୁବନେଶ୍ବର(କେନ୍ୟୁଜ୍):  ଧାନବାଦ-ଭୁବନେଶ୍ୱର ଟ୍ରେନ୍‌ ଟଏଲେଟରୁ ଉଦ୍ଧାର ମହିଳାଙ୍କ ମୃତଦେହ କାହାର ? କଣ ତାଙ୍କର ପରିଚୟ ? ଘର କେଉଁଠି ? ମାରିଲା କିଏ ? ଟ୍ରେନରେ ନା ବାହାରେ ହତ୍ୟା ? ୪୮ ଘଣ୍ଟା ପରେ ବି ମହିଳାଙ୍କୁ ଚିହ୍ନଟ କରାଯାଇନି । ପରିଚୟ ଜାଣିବା ପାଇଁ ପୋଷ୍ଟର ଲଗାଇବ ଜିଆରପି । ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରେ ସବୁ ଷ୍ଟେସନରେ ପୋଷ୍ଟର ଲଗାଯିବ । ମହିଳାଙ୍କ ପରିଚୟ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଅଧିକ ଖୋଳତାଡ କରୁଛି ରେଲେଓ୍ଵ ପୋଲିସ । ୧୪ଟି ଷ୍ଟେସନର ସିସିଟିଭି ଯାଞ୍ଚ ପାଇଁ ଷ୍ଟେସନ ଇନଚାର୍ଜଙ୍କୁ ଚିଠି ଲେଖାଯାଇଛି । ଯାଞ୍ଚ କରାଯାଇଛି ଭୁବନେଶ୍ୱର ରେଲୱେ ଷ୍ଟେସନର ସମସ୍ତ ସିସିଟିଭି । ଘଟଣା ଦିନ ଧାନବାଦ ଏକ୍ସପ୍ରେସରେ ଡିୟୁଟିରେ ଥିବା ସମସ୍ତ କର୍ମଚାରୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କୁ ପଚରା ଉଚରା କରାଯିବ ।

ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ବେକରେ ରହିଛି କ୍ଷତ ଚିହ୍ନ । ଏହି ଚିହ୍ନ କୌଣସି ଏକ ଧାରୁଆ ଅସ୍ତ୍ରରେ ଭୁସିବାରୁ ହୋଇଛି । ଶରୀରର ଅନ୍ୟ କେଉଁଠି କ୍ଷତ ଚି଼ହ୍ନ ନାହିଁ । ମୃତଦେହ ମିଳିବାର ୨୪ ଘଣ୍ଟା ପୂର୍ବରୁ ହତ୍ୟା କରାଯାଇଥିବା ଜଣାପଡିଛି । ଖୁବଶୀଘ୍ର ଆସିବ ପୂର୍ଣାଙ୍ଗ ପୋଷ୍ଟମୋଟମ ରିପୋର୍ଟ । ସେହିପରି ମୃତଦେହ ନିକଟରୁ ଏକ ମୋବାଇଲ ଫୋନ ଜବତ ହୋଇଥିଲା । ଜବତ ମୋବାଇଲକୁ ଯାଞ୍ଚ ପାଇଁ ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ଲାବକୁ ପଠାଇଛି ଜିଆଇପି । ଏହାବ୍ୟତୀତ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ରାଜ୍ୟର ଥାନାଗୁଡ଼ିକରେ ହୋଇଥିବା ମହିଳା ନିଖୋଜ ମାମଲା ନେଇ ତଥ୍ୟ ସଂଗ୍ରହ ଚାଲିଛି ।

ମହିଳାଙ୍କ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଏ ଓ କାହିଁକି ମାରିଲା ? ଟ୍ରେନ୍‌ ଭିତରେ ହତ୍ୟା ନା ବାହାରେ ? ଯଦି ଟ୍ରେନରେ ହତ୍ୟା ଅନ୍ୟ ଯାତ୍ରୀ କି କର୍ମଚାରୀ କେମିତି ଜାଣି ପାରିଲେ ନାହିଁ ? ନା ଅନ୍ୟ କେଉଁଠି ମାରିବା ପରେ ଟ୍ରେନ୍‌ ଟଏଲେଟରେ ଫିଙ୍ଗି ଦିଆଗଲା ମୃତଦେହ ? ଘର ଓଡ଼ିଶାରେ ନା ଅନ୍ୟ କୌଣସି ରାଜ୍ୟରେ ? ମହିଳାଙ୍କୁ ଦିଆଯାଇଥିଲା କି ନିଶା ? ଭିସେରା ପରୀକ୍ଷା ପାଇଁ ନମୁନା ଫୋରେନସିକ୍‌ ଲାବକୁ ପଠାଯାଇଛି । ପ୍ରଥମେ ପରିଚୟ ଖୋଜି ବାହାର କରିବା ଓ ପରେ ହତ୍ୟା ମୋଟିଭ୍‌ ଭେଦିବା ଜିଆରପି ଆଗରେ ଚ୍ୟାଲେଞ୍ଜିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.