Below header

୫ ଆଇଏଏସ୍‌ ଅଫିସରଙ୍କ ଦାୟିତ୍ୱ ଗ୍ରହଣ, ଦୁଇ ବର୍ଷ ମଧ୍ୟରେ ସମସ୍ତ ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ପୁରୀର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ୫ ପ୍ରବେଶନାରୀ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ ପରେ ପ୍ରକାଶ ପାଇଛି ତତ୍ପରତା। ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରକଳ୍ପର ସ୍ୱତନ୍ତ୍ର ଦାୟିତ୍ୱ ନେଇଛନ୍ତି ଏହି ଯୁବ ଆଇଏଏସ୍‌ ଅଧିକାରୀ। ଦୁଇ ବର୍ଷ ମଧ୍ୟରେ ସମସ୍ତ ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେଣୁ ଜିଲ୍ଲା ପ୍ରଶାସନକୁ ସେମାନଙ୍କର ସହଯୋଗ ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି।

ବିଶ୍ୱ ଐତିହ୍ୟ ନଗରୀ ହେବ ପୁରୀ। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶୃତି ପୂରଣ ପାଇଁ ୫ ଜଣ ଶିକ୍ଷାନବୀସ ଆଇଏଏସ୍‌ ଅଫିସରଙ୍କ ନିଯୁକ୍ତି ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାକୁ ଯାଉଛି। ନିଯୁକ୍ତି ପରେ ଏମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ଆଶିଷ ଭିକ୍ଷା କରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରତି ଅଧିକାରୀଙ୍କୁ ଦିଆଯାଇଛି ଗୋଟିଏ ଗୋଟିଏ ପ୍ରକଳ୍ପର ସ୍ୱତନ୍ତ୍ର ଦାୟିତ୍ୱ। ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ, ରଘୁନନ୍ଦନ ପାଠାଗାରର ପୁନଃସ୍ଥାପନ, ମଠ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଶ୍ରୀସେତୁ ଓ ଜଗନ୍ନାଥବଲ୍ଲଭ ମଠରେ ଧ୍ୟାନ କେନ୍ଦ୍ର ନିର୍ମାଣ, ମୂଷା ନଈ ଓ ଅଠରନଳାର ଉନ୍ନତିକରଣ ଆଦି ବିକାଶମୂଳକ କାର୍ଯ୍ୟର ତଦାରଣ ଦାୟିତ୍ୱ ନେଇଛନ୍ତି ଏହି ପାଞ୍ଚ ଆଇଏଏସ୍‌ ଅଫିସର।

ସେହିପରି ଶ୍ରୀମନ୍ଦିର ଚାରିପାଖରେ ୭୫ ମିଟର ସୁରକ୍ଷା କରିଡର ନିର୍ମାଣରେ ଏହି ପାଞ୍ଚ ଆଇଏଏସ ଅଫିସରଙ୍କ ସହାୟତା ନିଆଯିବ। ଭୂମି ଅଧିଗ୍ରହଣ, କ୍ଷତିପୂରଣ ପ୍ରଦାନ ଓ ସର୍ଭେ କାର୍ଯ୍ୟରେ ମଧ୍ୟ ଏହି ୫ ଅଧିକାରୀଙ୍କୁ କାମ କରିବାର ସୁଯୋଗ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏବେ ଉଚ୍ଛେଦ କାର୍ଯ୍ୟ ସାମୟିକ ଭାବେ ବନ୍ଦ କରାଯାଇ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି। ଭଙ୍ଗାଯାଇଥିବା ମଠର ପୁନଃନିର୍ମାଣ ସହ ବଡଦାଣ୍ଡରେ ଟାଇଲ ପକାଇବା କାମ ବି ଜୋରସୋରରେ ଚାଲିଛି।

ଶ୍ରୀକ୍ଷେତ୍ର ପାଇଁ ପ୍ରଥମେ ୨୬୫ କୋଟି ଓ ପରେ ପାଞ୍ଚ ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସବୁ କାମ ୨ ବର୍ଷ ମଧ୍ୟରେ ଶେଷ ହେବାକୁ ଥିବାରୁ ପ୍ରଶାସନ ଓ ଯୁବ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଏହା ବଡ ଚ୍ୟାଲେଞ୍ଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.