କିଡନୀରେ ଆକ୍ରାନ୍ତ ହୋଇ ଗଲାଣି ୭ ଜୀବନ, ସ୍ବାସ୍ଥ୍ୟ ବିଭାଗ ଖୋଜୁଛି ରୋଗର କାରଣ

ସ୍କୁଲ ବାରଣ୍ଡାରେ ଲମ୍ବା ଲାଇନ । ଧାଡ଼ିରେ ଛିଡ଼ା ହୋଇଛନ୍ତି ପୁରୁଷ ଓ ମହିଳା । ଚାଲିଛି କିଡନୀ ରୋଗର କାରଣ ଖୋଜା । ଆକ୍ରାନ୍ତ ହୋଇ ୭ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨୫ରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ଚାଲିଛି । କାରଣ ଜଣା ପଡ଼ିବା ପରେ ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ବାଙ୍କୀ(କେନ୍ୟୁଜ୍): ସ୍କୁଲ ବାରଣ୍ଡାରେ ଲମ୍ବା ଲାଇନ । ଧାଡ଼ିରେ ଛିଡ଼ା ହୋଇଛନ୍ତି ପୁରୁଷ ଓ ମହିଳା । ଏ କୌଣସି ନିର୍ବାଚନ ବେଳର ଦୃଶ୍ୟ ନୁହେଁ । ଏଠାରେ ଚାଲିଛି କିଡନୀ ରୋଗର କାରଣ ଖୋଜା । ସମସ୍ତଙ୍କଠୁ ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରାଯାଉଛି । ରିପୋର୍ଟ ଆସିଲେ ଜଣା ପଡ଼ିବ ରୋଗର କାରଣ । ଏହା ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୭ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨୫ରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ଚାଲିଛି । ପିଇବା ପାଣି ଯୋଗୁଁ ଏହି ରୋଗ ବ୍ୟାପୁଥିବା ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପାଣିର ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ପଠାଇଛି । କିଡନୀ ରୋଗର ଏଭଳି ଭୟ ଦେଖା ଦେଇଛି କଟକ ଜିଲ୍ଲା ବାଙ୍କୀ ବ୍ଲକ କନ୍ତପହଁରା ଗାଁରେ ।

୨୦୧୮ରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାମ କରାଯାଇଛି । ହେଲେ ନିୟମିତ ଭାବରେ ଏଥିରୁ ଜଳ ଯୋଗାଣ ହେଉନାହିଁ । ନଳକୂପରୁ ବାହାରୁଥିବା ପାଣିରେ ପଥର ଗୁଣ୍ଡ ବାହାରିବା ସହ କିଛି ସମୟ ପରେ ପାଣିର ରଙ୍ଗ ହଳଦିଆ ହୋଇଯାଉଛି । ଲୋକେ ବାଧ୍ୟହୋଇ ଏହି ପାଣିକୁ ପିଉଛନ୍ତି ।

ଗାଁର ନଳକୂପରୁ ବାହାରୁଥିବା ପାଣିକୁ ପିଇ ଲୋକେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ । ସେ ପୁଣି କିଡନୀ ଭଳି ରୋଗ । ରୋଗକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଗାଁର ଛଅଟି ୱାର୍ଡରୁ ୩ ନମ୍ବର ୱାର୍ଡରେ ଅଧିକ ସଂଖ୍ୟକ ରୋଗୀ ଦେଖା ଦେଉଛନ୍ତି । ଅନେକ ଗାଁ ଛାଡ଼ି ଚାଲିଯିବାକୁ ବସିଥିବା ବେଳେ ନେତାଠୁ ପ୍ରଶାସନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଗାଁକୁ ଏକ ୩୩ ଜଣିଆ ଡାକ୍ତରୀ ଦଳ ଆସି ସମସ୍ତ ଗାଁ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଏହାସହ ନଳକୂପରୁ ଜଳ ନମୁନା ସଂଗ୍ରହ କରାଯାଇଛି । କାରଣ ଜଣା ପଡ଼ିବା ପରେ ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.