ତିତଲି ପ୍ରଭାବରେ ରାଜ୍ୟରେ କ୍ଷୟକ୍ଷତିର ପରିମାଣ କେତେ ? କ୍ଷୟକ୍ଷତିର ଆକଳନ କରିଛନ୍ତି ୭ ଜଣିଆ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର : ତିତଲି ପ୍ରଭାବରେ ରାଜ୍ୟରେ କ୍ଷୟକ୍ଷତିର ପରିମାଣ କେତେ ? ଗଞ୍ଜାମ ଓ ଗଜପତି ଜିଲ୍ଲାର କ୍ଷୟକ୍ଷତିର ଆକଳନ କରିଛନ୍ତି ୭ ଜଣିଆ କେନ୍ଦ୍ରୀୟ ଟିମ୍‌ । ଗତକାଲି ଗଞ୍ଜାମ ଗସ୍ତ କରିଥିବା ବେଳେ ଆଜି ଗଜପତି ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରିଛି ଟିମ୍‌ । ପ୍ରଭାବିତ ଗଙ୍ଗାବାଡ଼ ସମେତ ମଣିକପାଟଣା, ବୁରିଙ୍ଗି, ଛାମୁଣ୍ଡିଆ, ଖମ୍ବୁଗାଁ ଆଦି ଅଞ୍ଚଳର କ୍ଷୟକ୍ଷତି ଦେଖିବା ସହ ଭୂସ୍ଖଳନ ସ୍ଥାନ ବୁଲି ଦେଖିଥିଲେ । ଗାଁଲୋକଙ୍କ ସହ ବହୁ ସମୟ ଧରି ଆଲୋଚନା କରିଥିଲେ । ସରକାରୀ ସାହାଯ୍ୟ କ’ଣ ମିଳିଛି, କ’ଣ ସବୁ କ୍ଷତି ହୋଇଛି ପଚାରି ବୁଝିଛନ୍ତି କେନ୍ଦ୍ରୀୟ ଟିମ୍‌ ।

ପ୍ରଭାବିତ ଅଞ୍ଚଳରୁ ଫେରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କ୍ଷୟକ୍ଷତିର ଏକ ପ୍ରେଜେନ୍‌ଟେସନ୍‌ ଦେଖିଥିଲେ । ଗତକାଲି ଗଞ୍ଜାମ ଜିଲ୍ଲାରେ ବାତ୍ୟା ତିତଲି ଓ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଟିମ୍‌ । ଆଜି ଗଜପତି ଜିଲ୍ଲାରୁ ଫେରିବା ପରେ ସଚିବାଳୟରେ କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବ କେନ୍ଦ୍ରୀୟ ଟିମ୍‌ । ପୂର୍ବରୁ ତିତଲିରେ ୨ ହଜାର ୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ରିପୋର୍ଟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.