ମାଲେସିଆରେ ବନ୍ଧା ଜୀବନ: ଚାକିରୀ ଲୋଭରେ ଫସିଗଲେ ନୟାଗଡ଼ ରଣପୁର ଅଞ୍ଚଳର ୭ ଯୁବକ, ଘଟଣାରେ ୩ ଗିରଫ

ନୟାଗଡ଼(କେନ୍ୟୁଜ୍): ମାଲେସିଆରେ ବନ୍ଧା ଜୀବନ । ଚାକିରି ଓ ମୋଟା ଅଙ୍କର ଦରମା ଲୋଭରେ ଫସିଗଲେ ନୟାଗଡ଼ ରଣପୁର ଅଞ୍ଚଳର ୭ ଯୁବକ । ମାଲେସିଆରେ ଏବେ ୭ଜଣ ଯୁବକ ଫସିଥିବା ବେଳେ ଠକାମିର ଶିକାର ହୋଇଛନ୍ତି ୫୦ରୁ ଅଧିକ ବ୍ୟକ୍ତି । ଏହି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ।

ଶରଣକୁଳ ଅଞ୍ଚଳର ରବି ପାଢୀ, ତାଙ୍କ ସ୍ତ୍ରୀଙ୍କ ନାଁରେ ଏକ ପ୍ରାଇଭେଟ ସର୍ଭିସ କମ୍ପାନି ଖୋଲି ବେକାର ଯୁବକ ଯୁବତୀ ମାନଙ୍କୁ ବିଦେଶରେ ଚାକିରି ଦେବା ଆଳରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ନକଲି ଭିସା ଓ ପାସପୋର୍ଟ କରାଇ ୭ଜଣଙ୍କୁ ମାଲେସିଆ ପଠାଇଥିଲା କମ୍ପାନୀ । ମାସିକ ୩୫ହଜାର ଦରମା ସହ ରହିବା ଓ ଖାଇବା ମାଗଣା। କିନ୍ତୁ ସେମାନଙ୍କୁ ଟୁରିଷ୍ଟ ଭିସା ଦିଆଯାଇଥିଲା। ପରେ ଏ ସମ୍ପର୍କରେ ଖବର ପାଇ ରବିଙ୍କ ୩ଜଣଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ଏ ଘଟଣା ପରେ ମାଷ୍ଟରମାଇଣ୍ଡ ରବି ଓ ସ୍ତ୍ରୀ ଫେରାର ଅଛନ୍ତି । ପୋଲିସ ଏକ ଟିମ୍‌ ଗଠନ କରି ସେମାନଙ୍କୁ ଖୋଜୁଥିବା ବେଳେ ୩ଜଣ ସହଯୋଗୀଙ୍କୁ ଜେଲକୁ ପଠାଇଦେଇଛି । ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘା ନଥିବା ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ମାଲେସିଆରେ ଫସି ରହିଥିବା ୭ଜଣ ଯୁବକଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ପରିବାରଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.