Below header

ମହାନଦୀର ଗଭୀର ଜଳରାଶି ଭିତରୁ ବାହାରିଲା ୮ଟି ନାଗ ମୂର୍ତ୍ତି

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟ ମହାନଦୀରୁ ଗୋଟିଏ କି ଦୁଇଟି ନୁହେଁ ୮ ଗୋଟି ନାଗ ମୂର୍ତ୍ତି ଉଦ୍ଧାର କରାଯାଇଛି ।

ନୟାଗଡ(କେନ୍ୟୁଜ): ହିନ୍ଦୁ ଧର୍ମରେ ଅନେକ ଜୀବଙ୍କୁ ଠାକୁରଙ୍କ ବାହାନ ଭାବରେ ପୂଜା କରିବାର ମାନ୍ୟତା ରହିଛି । ସେହିଭଳି ଭଗବାନ ଶିବଙ୍କ ପ୍ରିୟ ନାଗସାପ ହୋଇଥିବାରୁ ତାକୁ ପୂଜା କରିବାର ପରମ୍ପରା ବହୁ କାଳରୁ ଚାଲି ଆସିଛି। ଏହାରି ଭିତରେ ଏକ ଘଟଣା ସାମ୍ନାକୁ ଆସିଛି ଯେ ମହାନଦୀ ଜଳରାଶିରୁ ବାହାରିଛି ନାଗ ମୂର୍ତ୍ତି ।

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟ ମହାନଦୀରୁ ଗୋଟିଏ କି ଦୁଇଟି ନୁହେଁ ୮ ଗୋଟି ନାଗ ମୂର୍ତ୍ତି ଉଦ୍ଧାର କରାଯାଇଛି । ବଡି ଭୋରୁ ପଦ୍ମାବତୀ ଗ୍ରାମର ତ୍ରିନାଥ ରଣା ନାମକ ଜଣେ ବ୍ୟକ୍ତି ନିକଟରେ ଥିବା ମାଙ୍କଡଖିଆ ପାହଡ ନିକଟସ୍ଥ ମହାନଦୀ ଘାଟ ତୁଠକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ପାଣି ଭିତରେ ତାଙ୍କ ଗୋଡ଼ରେ କିଛି ବାଜିଲା ଭଳି ଲାଗିଲା । ସେ ଦେଖିଲା ବେଳକୁ ଏକ ବିରାଟକାୟ ନାଗ ମୂର୍ତ୍ତି । ପାଣି ଭିତରେ ନାଗ ମୂର୍ତ୍ତିଟିକୁ ଜୀବନ୍ତ ନାଗ ସାପ ଭାବି ଜୋରରେ ସେ ପାଟି କରିବାକୁ ଲାଗିଥିଲେ । ତାଙ୍କ ପାଟି ଶୁଣି ଗ୍ରାମର କିଛି ଯୁବକ ତ୍ରିନାଥଙ୍କ ପାଖକୁ ଧାଇଁ ଯାଇଥିଲେ । ପରେ ପାଣି ଭିତରେ ନାଗ ମୂର୍ତ୍ତି ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ସଭିଏଁ। ଏହାପରେ ଗ୍ରାମବାସୀ ମହାନଦୀର ଗଭୀର ଜଳରାଶିରେ ବୁଡି ୭ ଗୋଟା ଏବଂ ଆଉ ଗୋଟେ ଅଧା ଭାଙ୍ଗି ଯାଇଥିବା ନାଗ ମୂର୍ତ୍ତି ଉଦ୍ଧାର କରିଥିଲେ । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ମହିଳା ଓ ପୁରୁଷ ମାନଙ୍କ ଭିଡ ଲାଗିଥିଲା ।

ଗ୍ରାମବାସୀ କୁହନ୍ତି ସେଠାରେ ୧୦ ରୁ ୧୫ ଫୁଟ୍ ଉଚ୍ଚର ପାଣି ରହିଛି । ସେଠାରେ ଆହୁରି କିଛି ଥାଇପାରେ ବୋଲି ଆଶା କରାଯାଉଛି । ଗ୍ରାମବାସୀ ନାଗ ମୂର୍ତ୍ତି ଗୁଡ଼ିକୁ ଆଣି ପଦ୍ମାବତୀ ଗ୍ରାମର ବଉଳାକ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରେ ରଖିଛନ୍ତି । ପୂର୍ବରୁ ପଦ୍ମାବତୀ ଗ୍ରାମର ମହାନଦୀ ଗଭୀର ଜଳରାଶିରେ ଏକ ମନ୍ଦିର ଦୃଶ୍ୟମାନ ହେଇଥିଲା । ସେହି ମନ୍ଦିରଟି ଗୋପୀନାଥ ମନ୍ଦିର ବୋଲି ଜଣାପଡିଥିଲା । ବର୍ତ୍ତମାନ ଏହି ନାଗ ମୂର୍ତ୍ତି ଗୁଡ଼ିକୁ ଉଦ୍ଧାର କରାଯାଇ ଥିବାରୁ ଗ୍ରାମବାସୀମାନେ ନଦୀ ଗର୍ଭରେ ଆହୁରି ଅନେକ ଜିନିଷ ରହିଥିବା ଅନୁମାନ କରୁଛନ୍ତି । ସେଥିପାଇଁ ମହାନଦୀର ଏହି ଅଞ୍ଚଳକୁ ଭଲ ଭାବରେ ଅନୁସନ୍ଧାନ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.