ଦୁଇ ଭଉଣୀ ଜନ୍ମ ହେବାର ୮୦ ବର୍ଷ ବିତିଗଲାଣି, ହେଲେ ନା ବିବାହ କରିଛନ୍ତି ନା କିଛି ସାହାଯ୍ୟ ପାଉଛନ୍ତି

ନା ଅଛି ମୁଣ୍ଡ ଉପରେ ଛାତ ନା ଅଛି ପେଟକୁ ମୁଠାଏ ଭାତ।ଜୀବନର ଦୋ ଛକିରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଦୁଇ ବୃଦ୍ଧା ଭଉଣୀ । ଛୋଟ ବୟସରୁ ବାପା ମା ଆରପାରିକୁ ଚାଲିଗଲା ପରେ ଅସହାୟ ହୋଇଗଲେ

ସୁନ୍ଦରଗଡ (କେନ୍ୟୁଜ): ଜନ୍ମ ହୋଇଥିଲେ କିନ୍ତୁ ତାରି ଭିତରେ କେତେବେଳେ ଯେ ପରିଣତ ବୟସରେ ପହଁଚିଗଲେଣି ତାଙ୍କୁ ବି ଜଣାନାହିଁ । ଏହାରି ଭିତରେ ୮୦ ବର୍ଷ ବିତିଗଲାଣି । କିନ୍ତୁ ଏମାନଙ୍କ ଦୁଃଖ ଯାହାକୁ ସେୟା । ନା ଅଛି ମୁଣ୍ଡ ଉପରେ ଛାତ ନା ଅଛି ପେଟକୁ ମୁଠାଏ ଭାତ।ଜୀବନର ଦୋ ଛକିରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଦୁଇ ବୃଦ୍ଧା ଭଉଣୀ।ଛୋଟ ବୟସରୁ ବାପା ମା ଆରପାରିକୁ ଚାଲିଗଲା ପରେ ଅସହାୟ ହୋଇଗଲେ, ପାଖରେ ବି ନାହାନ୍ତି କେହି ଜ୍ଞାତି କୁଟୁମ୍ବ । ଦେଖନ୍ତୁ ଏ ଦୁଇ ଜଣଙ୍କୁ, କେମିତି ଠିକ ଭାବେ ଚାଲି ପାରୁନାହାଁନ୍ତି ଦୁଇ ଭଉଣୀ । ଦୁଇ ଜଣ ଯାକ କେହି କାହାରିକୁ କମ୍‌ ନୁହେଁ । ଜଣଙ୍କୁ ଦେଖାଯାଉନି ତ ଆଉ ଜଣଙ୍କୁ ଶୁଭୁନାହିଁ । ଜନ୍ମ ହୋଇ ବୃଦ୍ଧା ହୋଇଗଲେଣି କିନ୍ତୁ ଆଜି ଯାଏଁ ବଞ୍ଚିଛନ୍ତି ବେସାହାରା ହୋଇ । ବାପା ମାଆ ନଥିବାରୁ ଏବଂ ଅର୍ଥଅଭାବ କାରଣରୁ ଦୁଇ ଭଉଣୀ ବିବାହ ବି କରିନାହାଁନ୍ତି ।

ଆପଣ ଯେଉଁ ଦୁଇ ବୃଦ୍ଧାଙ୍କ ଦୃଶ୍ୟ ଦେଖୁଛନ୍ତି ,ଏ ହେଉଛନ୍ତି ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ବାରଗାଡ ପଞ୍ଚାୟତ ଗଡିଆଜୋର ଗାଁରେ ରହୁଥିବା ଦୁଇ ଭଉଣୀ ।ବଡ ଭଉଣୀ ଅପୂର୍ବା ମୁଣ୍ଡା ଓ ସାନ ଭଉଣୀ ସୁନାଫୁଲ ମୁଣ୍ଡା। ବଡ ଭଉଣୀ ନଅ ବର୍ଷ ଓ ସାନ ଭଉଣୀ ସୁନାଫୁଲ ସାତ ବର୍ଷର ହେଇଥିବା ବେଳେ ବାପା ମା ଆରପାରିକୁ ଚାଲିଗଲେ। ଦୁଇ ଅନାଥ ଭଉଣୀଙ୍କ ଦେଖ ରେଖ କରିବା ପାଇଁ ପାଖରେ ବନ୍ଧୁ ବାନ୍ଧବ ସଖା ସହୋଦର କେହି ନଥିଲେ। ସବୁଠାରୁ ଦୁଃଖର ବିଷୟ ଦୁହିଁଙ୍କ ଭିତରୁ ଜଣେ ଅନ୍ଧ ଓ ଅନ୍ୟଜଣେ ବଧିର। ଧୀରେ ଧୀରେ ବଡ ହୋଇ ବାପା ମା ଙ୍କ ହାତ ତିଆରି କୁଡ଼ିଆରେ ରହି ଆସୁଥିଲେ । ଏପରିକି ବିବାହ ମଧ୍ୟ କରି ନାହାନ୍ତି ଦୁଇ ଭଉଣୀ ।

ହେଲେ ପାଞ୍ଚ ବର୍ଷ ପୂର୍ବେ ୨୦୧୮ ମସିହାରେ ହାତୀ ଆକ୍ରମଣରେ ଘର ଭାଙ୍ଗି ଚୁରମାର ହୋଇଗଲା,ଏପରିକି ଦୁଇ ଭଉଣୀ ଝୁମ୍ପୁଡ଼ି ଘରେ ଶୋଇଥିବା ବେଳେ ହାତୀ ମଧ୍ୟ ଆକ୍ରମଣ କରିଥିଲା । ଫଳରେ ଦୁଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଗାଁଲୋକେ । ତେବେ ଦେଖୁ ଦେଖୁ ଦୁହିଁଙ୍କ ବୟସ ୮୦ ପାଖାପାଖି ହୋଇଗଲାଣି । କିନ୍ତୁ ବୟସର ଅପରାହ୍ନରେ ପହଞ୍ଚି ଥିଲେ ସୁଦ୍ଧା ଅନେକ ସରକାରୀ ସୁବିଧାରୁ ବଂଚିତ ରହିଛନ୍ତି ଦୁଇ ଭଉଣୀ। ପର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଗୃହ,ଭତ୍ତା,ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଆଦି ସମ୍ପୂର୍ଣ୍ଣ ଯୋଜନାରୁ ବଞ୍ଚିତ ଏ ଦୁଇ ଭଉଣୀ। ଗାଁଲୋକେ ଖାଇବାକୁ ଯିଏ ଯାହା ଦିଅନ୍ତି ସେଥିରେ ପେଟ ପୁରେ ।ଏନେଇ ଗ୍ରାମବାସୀ ଅନେକ ଥର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଜଣାଇଛନ୍ତି।

ତାହେଲେ ସତରେ ସରକାରଙ୍କ ମାଳ ମାଳ ଯୋଜନା କାହା ସ୍ୱାର୍ଥରେ। ଅଯୋଗ୍ୟ ହିତାଧୀକାରୀଙ୍କ ପାଖରେ ଅନେକ ଯୋଜନା ହେଲେ ପ୍ରକୃତ ହିତାଧିକାରୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ। ତେବେ ଦେଖିବାକୁ ବାକି ରହିଲା ଏ ଦୁଇ ବୃଦ୍ଧା ଭଉଣୀ ଙ୍କୁ ଘର ସମେତ ଅନ୍ୟ ସୁବିଧା ଯୋଗାଇବାରେ କେତେ ସକ୍ଷମ ହେଉଛି ।

 

Leave A Reply

Your email address will not be published.