ଏମିତି ଏକ ଗାଁ ଯେଉଁଠି ଦୋଳି ନାହିଁ ସତ କିନ୍ତୁ ରହିଛି ରଜ ପର୍ବର ଦୁଇ ଗୁଣା ଉତ୍ସାହ

ଭଞ୍ଜନଗର(କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ରଜ । ଏଥିପାଇଁ ଉତ୍ସବ ମୁଖର ଗାଆଁଠୁ ସହର ।  ବସୁଧା, ପ୍ରକୃତି ମାତାଙ୍କୁ ପୂଜା କରିବାର ମହାର୍ଘ୍ୟ ପର୍ବ । ବିଶେଷ କରି ଏହା ହେଉଛି କୁଆଁରୀଙ୍କ ପର୍ବ। ସଜବାଜ ହୋଇ ସେମାନେ ରଜ ତିନି ଦିନ ମଉଜ କରିଥାନ୍ତି । ତେବେ ବିଭିନ୍ନ ସ୍ଥାନରେ ରଜରେ ଭିନ୍ନ ଭିନ୍ନ ପରମ୍ପରାକୁ ନେଇ ପାଳନ କରୁଥିବାର ଦେଖିବାକୁ ମିଳୁଛି । ଏମିତି ଏକ ନିଆରା ରଜ ପର୍ବ ପାଳନ କରାଯାଇଛି ଯେଉଁଠି ଦୋଳି ନାହିଁ ସତ କିନ୍ତୁ ରହିଛି ରଜ ପର୍ବର ଦୁଇ ଗୁଣା ଉତ୍ସାହ ।

ରଜପାନ, ପୋଡପିଠା ବଦଳରେ ସାମୁହିକ ଭୋଜି ଭାତର କରାଯାଇଛି ଆୟୋଜନ । ରଜ ଦୋଳି ଗୀତ ବଦଳରେ ନାମ ସଂକୀର୍ତ୍ତନ। ଏମିତି ଏକ ନିଆରା ଢଙ୍ଗରେ ରଜ ପର୍ବକୁ ଆଦିବାସୀ ସଂପ୍ରଦାୟର ପୁରୁଷ ଓ ମହିଳାମନେ ପାଳନ କରିଛନ୍ତି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଅଭିନନ୍ଦନ ଜଣାଇ ଏଭଳି ନିଆରା ଢଙ୍ଗରେ ରଜ ଉତ୍ସବର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ବ୍ରହ୍ମଣପଦର ପଞ୍ଚାୟତର ବଣ ପାହାଡ ଘେରା ଭୁରୁଡୁପଲ୍ଲୀ ଗାଁରେ ।

ଗାଁର ଯେଉଁ ଆମ୍ବ ତାଟାରେ ପ୍ରତିଥର ଦୋଳି ବାନ୍ଧି ରଜ ଉତ୍ସବ ମନାଇଥାନ୍ତି, ଚଳିତ ଥର କିନ୍ତୁ ସେଠାରେ ବିନା ଦୋଳିରେ ସଭିଏଁ ଏକାଠି ହୋଇ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଅଭିନନ୍ଦନ ଜଣାଇ ଥିବା ଦେଖିବାକୁ ମିଳିଛି ।  ଯାହା ଏହି ଘୁମୁସର ସୁଧ ସୈାରା ସମାଜର ଏକ ନିଆରା ପରିକଳ୍ପନା । କେବଳ ସେତିକି ନୁହେଁ, ୩୦୦ ବର୍ଷ ପୂର୍ବର ଭଞ୍ଜ ବଂଶୀୟ ଶାସନ ସମୟରେ ଘୁମୁସରର ଐତିହ୍ୟ, ସ୍ଥାନ ଏବଂ ଆଦିବାସୀ ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ସାଧନା ପୀଠ ଭଳି ସ୍ମାରକୀ ଏଠାରେ ରହିଛି । ଏଣୁ ନୂଆଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ “ଆମ ଗାଁକୁ ମୁଖ୍ୟମନ୍ତ୍ରୀ ଥରେ ବୁଲିବାକୁ ଆସନ୍ତୁ” ବୋଲି ନିବେଦନ କରି ଏକାଠି ହୋଇଥିଲେ ଆଦିବାସୀମାନେ ।

Leave A Reply

Your email address will not be published.