ମୟୂରଭଞ୍ଜ : ନିଆଁ ଲିଭାଇବାକୁ ଯାଇ ଜଳିଗଲେ ଜଙ୍ଗଲ କର୍ମଚାରୀ

କରଞ୍ଜିଆ (କେନ୍ୟୁଜ୍‌): ଜଙ୍ଗଲ ନିଆଁ ଲିଭାଇବାକୁ ଯାଇ ନିଜେ ଜଳିଗଲେ। ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଠିକା କର୍ମଚାରୀ ଯଦୁମଣି ମହାନ୍ତ(୫୫) । ନିଜ କର୍ତ୍ତବ୍ୟ କରିବା ଭିତରେ ସେ ଜୀବନ ଦେଇଛନ୍ତି । ଜୀବନ ଦେଇଛନ୍ତି ଶିମିଳିପାଳ ଜଙ୍ଗଲକୁ ନିଆଁରୁ ବଞ୍ଚାଇବା ପାଇଁ । ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ନିକଟରେ ।

ସେଠାକାର ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଦାୟିତ୍ୱରେ ଥିଲେ ଜଡ଼ବିଲ ଗ୍ରାମର ଯଦୁମଣି । ସେଠାରେ ନୂଆ ଚାରା ଗଛ ଲାଗିଥିଲା । ତେବେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ସେହି ଜଙ୍ଗଲରେ ହଠାତ୍‌ ନିଆଁ ଲାଗିଗଲା । ନିଆଁକୁ ଆୟତ୍ତ କରିବା ପାଇଁ ଯଦୁମଣି ଅନେକ ଚେଷ୍ଟା କଲେ । ହେଲେ ନିଆଁ ଲିଭିବ କଣ ଓଲଟା ତାଙ୍କୁ ଗିଳି ଦେଲା ।
ମାତ୍ର ୭ ହଜାର ୪ଶହ ଟଙ୍କାର ଦରମା ଥିଲା ତାଙ୍କର । ପରିବାରରେ ତାଙ୍କର ପତ୍ନୀ ଓ ଗୋଟିଏ ପୁଅ । ସେଥିରେ ନିଜ ପରିବାର ପୋଷୁଥିଲେ । ଗତ ଦୁଇ ବର୍ଷ ହେଲା ଯଦୁମଣି ଜଣେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ । ଜଗୁଥିଲେ ଚାରା ଗଛକୁ । ତଥାପି ସେ ନିଷ୍ଠାର ସହ ଜଙ୍ଗଲକୁ ସୁରକ୍ଷା ଦେଉଥିଲେ । ଆଜି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବା ପରେ ସେ ତୁରନ୍ତ ଆସି ଲିଭାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଜେ ରହିଗଲେ ନିଆଁର ଘେରରେ ।

ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ଓ ପରିବାର ଲୋକେ ଦୌଡ଼ି ଆସିଥିଲେ ଘଟଣା ସ୍ଥଳକୁ । ହେଲେ ସେତେବେଳକୁ ଯଦୁମଣି  ହୋଇସାରିଥିଲେ ଅଗ୍ନି ଦଗ୍ଧଦ। ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ସଂରକ୍ଷିତ ଜଙ୍ଗଲକୁ ଲାଗି ଲୋକଙ୍କ ଜମିରେ ଥିଲା ମହୁଲ ଗଛ । ଗଛରୁ ପଡୁଥିବା ମହୁଲ ଫୁଲ ସଂଗ୍ରହ କରିବାକୁ ଲୋକେ ମହୁଲ ଗଛ ମୂଳରେ ପଡିଥିବା ଶୁଖିଲା ପତ୍ର କୁ ନିଆଁ ଲଗାଇ ଥିଲେ। ଖଣ୍ଡିଆ ଭୁତ ଯୋଗୁଁ ନିଆଁ ଉଡ଼ି ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ଲାଗି ଯାଇଥିଲା । ଫଳରେ ବୃକ୍ଷରୋପଣ ସ୍ଥାନକୁ ନିଆଁ ନଯାଉ ସେଥିପାଇଁ ଯଦୁମଣି ସମେତ ବନ କର୍ମଚାରୀ ଓ ସୁରକ୍ଷା କର୍ମୀ ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ । ମାତ୍ର ଯଦୁମଣିଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା । ନିଆଁ ଧାସ ଓ ଧୂଆଁରେ ସେ ଅଣନିଶ୍ଵାସୀ ହୋଇ ପଡ଼ିଥିଲେ । ଫଳରେ ତଳେ ପଡ଼ିଯାଇ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । 

ପରେ ସ୍ଥାନୀୟ ଲୋକ ଓ ବନକର୍ମଚାରି ମାନେ ପହଞ୍ଚି ଜଙ୍ଗଲ ନିଆଁକୁ ଲିଭାଇଥିଲେ।ମୃତ ଜଗୁଆଳି ର ପୁଅ ଏ ସମ୍ପର୍କରେ ଠାକୁରମୁଣ୍ଡା ଥାନା ରେ ଜଣାଇବା ପରେ ଏକ ମାମଲା ରୁଜୁ ହୋଇଛି ।ପୋଲିସ୍‌ ଏବଂ ବନ ବିଭାଗ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘଟଣାର ଗୁରୁତ୍ୱ ଦେଖି ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

କେନ୍ଦୁଜିଆଣୀ ପଞ୍ଚାୟତ ପକ୍ଷରୁ ତାଙ୍କ ପରିବାର କୁ ହରିଶଚନ୍ଦ୍ର ଯୋଜନା ରେ ଦୁଇ ହଜାର ଟଙ୍କା ଦିଆଯାଇଛି । ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରକାଶ କରିଛନ୍ତି କି ସରକାରୀ ଯୋଜନା ଅନୁସାରେ ଯଦୁମଣିଙ୍କ ପରିବାରକୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଅନ୍ୟପଟେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ସେହି ଗ୍ରାମର ଦୁଇ ଜଣକୁ ଠାକୁରମୁଣ୍ଡା ପୋଲିସ ଅଟକ ରଖିଛି ।  ଅନ୍ୟପକ୍ଷରେ ବାରମ୍ବାର ଚେତାବନୀ ସତ୍ତ୍ୱେ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠା ପାଇଁ ଦାବି ହୋଇଛି ।

Leave A Reply

Your email address will not be published.