ନିଜ ଜନ୍ମଦିନରେ ୭୭ ପାଉଣ୍ଡ୍‌ର କେକ୍‌ କାଟିବେ ଲାଲୁ ଯାଦବ, ପରିବାର ସହ ମଧ୍ୟରାତ୍ରିରେ ପାଳିଲେ ବାର୍ଥ ଡେ’

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ମୁଖ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ଆଜି ୭୭ତମ ଜନ୍ମଦିନ । ଏହି ଅବସରରେ ଲାଲୁ ଯାଦବ ନିଜ ପାଟନା ବାସଭବନରେ ରାତି ୧୨ଟା ବେଳେ ଜନ୍ମଦିନ ପାଳନ କରିଥିଲେ । ସେ ପରିବାର ସଦସ୍ୟଙ୍କ ସହ କେଟ୍‌ କାଟିଥିଲେ ।

ପରିବାର ସହିତ ଲାଲୁ ଯାଦବଙ୍କ ଜନ୍ମଦିନ ପାଳନର ଫଟୋ ଏବେ ସାମ୍ନାକୁ ଆସିଛି । ଏଥିରେ ସେ ନିଜ ବଡ଼ ପୁଅ ତେଜପ୍ରତାପଙ୍କୁ କେକ୍‌ ଖୁଆଉଥିବାର ଦେଖାଯାଉଛନ୍ତି । ଜନ୍ମଦିନ ପାଳନ ବେଳେ ସେଠାରେ ଲାଲୁଙ୍କ ପତ୍ନୀ ତଥା ବିହାରର ପୂର୍ବତନ ସିଏମ୍‌ ରାବଡ଼ି ଦେବୀ ଓ ଝିଅ ରୋହିଣୀ ଆଚାର୍ଯ୍ୟ ମଧ୍ୟ ନଜର ଆସିଛନ୍ତି ।

ଲାଲୁ ଆଜି ରାବଡ଼ି ଦେବୀଙ୍କ ବାସଭବନରେ ନିଜ କାର୍ଯ୍ୟକର୍ତ୍ତାଙ୍କ ସହ ୭୭ ପାଉଣ୍ଡର କେକ୍‌ କାଟିବେ । ଆର୍‌ଜେଡି ତରଫରୁ କୁହାଯାଇଛି ଯେ ଏଥର ପାର୍ଟି ସୁପ୍ରିମୋଙ୍କ ଜନ୍ମଦିନ ବଡ଼ ଧୁମ୍‌ଧାମରେ ପାଳନ କରାଯିବ । କହି ରଖୁଛୁ, ୧୯୪୮ ଜୁନ୍‌ ୧୧ରେ ବିହାରର ଗୋପାଳଗଞ୍ଜ ଫୁଲଭରିଆ ଗ୍ରାମରେ ଲାଲୁ ଯାଦବ ଜନ୍ମଗ୍ରହଣ କରିଥିଲେ ।

ଭାଇଙ୍କ ସହ ପାଟନା ଯିବା ପୂର୍ବରୁ ଲାଲୁ ଯାଦବ ନିଜ ଗାଁ ସ୍କୁଲରେ ପାଠ ପଢ଼ିଥିଲେ । ଏହାପରେ ସେ ପାଟନା ଚାଲିଯାଇଥିଲେ ଏବଂ ସେଠାରେ ସେ ଗ୍ରାଜୁଏସନ ଓ ଏମ୍‌.ଏ. ଅଧ୍ୟୟନ କରିଥିଲେ । ପାଟନା ବିଶ୍ୱବିଦ୍ୟାଳୟର ବି.ଏନ୍‌. କଲେଜରୁ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିବା ପରେ ଲାଲୁ ପାଟନାରେ ବିହାର ପଶୁ ଚିକିତ୍ସା କଲେଜରେ କ୍ଲର୍କ ରୂପେ କାର୍ଯ୍ୟ କରିଥିଲେ ।

ସେ ନିଜ ପାଠପଢ଼ା ସମୟରେ ହିଁ ଜୟ ପ୍ରକାଶ ନାରାୟଣଙ୍କ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ବିହାର ରାଜନୀତିରେ ଏକ ବଡ଼ ପରିଚୟ ସୃଷ୍ଟି କରିଥିଲେ । ଲାଲୁ ଯାଦବ ୧୯୯୦ରୁ ୧୯୯୭ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୦୪ରେ ୟୁପିଏ ସରକାରରେ ରେଳମନ୍ତ୍ରୀ ହୋଇ ୨୦୦୯ ପର୍ଯ୍ୟନ୍ତ ଏହି ପଦରେ ଥିଲେ ।

Leave A Reply

Your email address will not be published.