ପୁଣି ଥରେ ଦାଦନ ଦୁଃଖ: ୨୫୦ଶ୍ରମିକଙ୍କୁ ଅଧା ରାସ୍ତାରେ ଛାଡି ପଳାଇଲା ବସ୍

ଜୟପୁର (କେନ୍ୟୁଜ): ଅମାନୁଷିକତା ଭଳି ଗୋଟିଏ ବସରେ ଟାଇଁ ଟାଇଁ ଖରାରେ ଆସିଲେ ୨୫୦ ଦାଦନ ଶ୍ରମିକ । ରାସ୍ତାରେ ଭୋକ ଓ ଶୋଷରେ ଆଉଟୁ ପାଉଟୁ ହୋଇ ତିନି ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହୋଇଗଲା ଗୁରୁତର । ଏପଟେ ଅଧା ବାଟରେ ବସ୍ ଓହ୍ଲାଇ ଦେବାରୁ ରାସ୍ତା କଡ଼ରେ ଦାଦନ ଯାତ୍ରୀଙ୍କ ଡ଼ହକ ବିକଳ ଚିତ୍ର ଯିଏ ଦେଖିଲା ଅଟକିଗଲା । ତେବେ ଦେଖି ଦେଖିବା ପରେ ମାନବିକତା ଦେଖାଇଲେ ଜିଲ୍ଲାପାଳ । ଆଉ ସମସ୍ତ ସୁବିଧା ଓ ଖାଇବା ପିଇବା ବ୍ୟବସ୍ଥା କରିବା ସହ ସେମାନଙ୍କୁ ବସରେ ଘରକୁ ପଠାଇଲେ ଜିଲ୍ଲାପାଳ ।

ସୂଚନା ଅନୁସାରେ ଓଡିଶାର ବଲାଙ୍ଗୀର, ନୂଆପଡା ଏବଂ ବରଗଡରୁ ୨୫୦ ରୁ ଅଧିକ ଲୋକ ତେଲେଙ୍ଗାନାର କରିମନଗରରେ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ । କାମ ସରିବା ପରେ ସମସ୍ତ ଦାଦନଙ୍କୁ ଏକାଠି ଗୋଟିଏ ବସରେ ପଶୁ ପରି ପଠାଇଥି ଦେଇଥିଲା ଠିକାଦାର । ଅତ୍ୟଧିକ ଗରମ ସହିତ ଭୋକ ଓ ଶୋଷ ହେତୁ ବସରେ ତିନି ତିନି ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଏମାନଙ୍କ ଭିତରୁ କେହିବି ଠୋପେ ପାଣି ପିଇବାକୁ ପାଇନଥିଲେ । ଆଉ ନୂଆପଡା ବଦଳରେ ଜଗଦଲପୁର ଠାରେ ଅଧରାତିରେ ଓହ୍ଲାଇଦେଇ ଅମାନୁଷିକ ଭାବେ ଚାଲିଯାଇଥିଲା ବସ୍ ଡ୍ରାଭଭର ।

ସୂଚନା ପାଇ ବସ୍ତର ଜିଲ୍ଲାପାଳ କେ.ବିଜୟ ଦୟାନନ୍ଦ ଓ ଜଗଦଳପୁର ବିଧାୟକ କିରଣ ଦେବ, ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀଙ୍କ ସହ ବସଷ୍ଟାଣ୍ଡରେ ପହଞ୍ଚି ଭୋକ ଓ ଶୋଷରେ ପୀଡିତ ସମସ୍ତ ଶ୍ରମିକ ଏବଂ ଛୋଟ ପିଲାମାନଙ୍କୁ ଆଣି ଟାଉନ୍ ହଲ୍ ରେ ରଖିଥିଲେ । ବସ୍ତର ଜିଲ୍ଲାପାଳ ସମସ୍ତଙ୍କ ପାଇଁ ଚା, ପାନୀୟ ଏବଂ ଖାଦ୍ୟର ବ୍ୟବସ୍ଥା କରିଥିଲେ ଓ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଚିକିତ୍ସା ମଧ୍ୟ କରାଇଥିଲେ । ଏହାପରେ ସକାଳୁ ସ୍ୱତନ୍ତ୍ର ଏକ ବସ୍ କରି ଭିନ୍ନ ଭିନ୍ନ ଜିଲ୍ଲା କୁ ଶ୍ରମିକମାନଙ୍କୁ ପଠାଇଥିବା କହିଛନ୍ତି ।

ବେଳେ ବେଳେ ମଣିଷ ନିଜର ସ୍ୱାର୍ଥ ପାଇଁ ନିଜର ମାନବିକତାକୁ ହରାଇ ବସେ । ଏତେ ସ୍ୱାର୍ଥପର ଏବଂ ସମ୍ବେଦନଶୂନ୍ୟ ହୋଇଯାଏ ଯେ ଅମଣିଷ ପାଲଟିଯାଏ । ସବୁ ହିତାହିତ ଜ୍ଞାନ ଭୁଲିଯାଏ । ତେବେ ଠିକାଦାର ଓ ବସ୍ ଡ୍ରାଇଭରଙ୍କ ଏଭଳି ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରିବା ସହ ଆଗକୁ କାର୍ଯ୍ୟାନୁଷ୍ଠାନ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ଉଠିଛି ।

Leave A Reply

Your email address will not be published.