ବର୍ଷେ ହେଲା ଗାଁରେ ଏକ ଘରିକିଆ ହୋଇ ରହୁଛି ସାହୁ ପରିବାର

ଆଠଗଡ (କେନ୍ୟୁଜ) : ଏ ଯୁଗରେ ବି ହେଉଛି ନିଆଁ ପାଣି ବାସନ୍ଦ । ଆଜିବି ବସୁଛି କଙ୍ଗାରୁ କୋର୍ଟ। ଏମିତି ଏକ ଘଟଣା ଯୋଗୁଁ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ଧରି ଗୋଟିଏ ପରିବାର ଗାଁ ଓ ସମାଜ ଠାରୁ ଅଲଗା ହୋଇ ରହିଛି । ଆପଣ ଭାବୁଥିବେ ଏହା ନିହାତି ଭାବେ କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବ କିନ୍ତୁ ନାଁ, ଏପରି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତର ମଞ୍ଜାରିପଦା ଗାଁରେ।

ଜାଗାବାଡି ଗଣ୍ଡଗୋଳକୁ ନେଇ ଏହିଁ ଗାଁରେ ସୁଶାନ୍ତ ସାହୁଙ୍କ ପରିବାର ପ୍ରାୟ ବର୍ଷକରୁ ଅଧିକ ଦିନ ଧରି ବାସନ୍ଦ ହୋଇ ରହିଛନ୍ତି। ନିଆଁ ପାଣି ଠୁ ଆରମ୍ଭ କରି ରାସନ ଦୋକାନ ପର୍ଯ୍ୟନ୍ତ କେଉଁଠିକୁ ଯିବା ପାଇଁ ସେମାନଙ୍କୁ ଅନୁମତି ନାହିଁ । ଏମିତିକି ତାଙ୍କ ପିଲାମାନେ ଅନ୍ୟ ପିଲାଙ୍କ ସହ ମିଶି ସ୍କୁଲ ମଧ୍ୟ ଯାଇ ପାରୁନାହାଁନ୍ତି। ଏନେଇ ସୁଶାନ୍ତ ଉପଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ଆଠଗଡ଼ ଥାନା ଓ କଟକ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏବେବି ସେମାନେ ବାସନ୍ଦ କଟକଣାରେ ଜୀଉଛନ୍ତି ।

ଗାଁରେ ରହୁଛନ୍ତି ସତ ହେଲେ ଏକ ଘରିକିଆ ହୋଇ । ପରିବାରର ଛୋଟ ଛୋଟ ପିଲାମାନେ ପାଠ ପଢ଼ିବାକୁ ଯାଇ ପାରୁନଥିବା ବେଳେ ରାସନ ପାଇଁ ସୁଶାନ୍ତଙ୍କୁ ତିନି କିଲୋମିଟର ଦୂର ଯିବାକୁ ପଡୁଛି। ଏହି ପରିବାରକୁ ନ୍ୟାୟ ଦେବା ପାଇଁ ଆମେ ଯୋଗାଯୋଗ କରିଥିଲୁ ଆଠଗଡ଼ ଉପଜିଲ୍ଲାପାଳଙ୍କୁ। ସମସ୍ତ ଘଟଣା ଜାଣିବା ପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି ସୁଶାନ୍ତଙ୍କ ପରିବାର ଲୋକେ।