ଯୌତୁକ ଓ ବାଇକ ପାଇଁ ବାଣପୁରରେ ନବ ବଧୂ ହତ୍ୟା ଅଭିଯୋଗ, ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମରଶରୀର ଉଦ୍ଧାର

ଟାଙ୍ଗୀ(କେନ୍ୟୁଜ୍):  ପୁଣି ବଧୂ ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦେଓଗାଁରୁ ଆସିଛି ଏଭଳି ଅଭିଯୋଗ । ଦୋଳମୁଣ୍ଡି ଗ୍ରାମର ରମେଶ ସ୍ବାଇଁଙ୍କ ଝିଅ ଅହଲ୍ୟା ୯ ବର୍ଷ ପୂର୍ବେ ଦେଓଗାଁର ବୁଲା ଛାଟୋଇଙ୍କ ପୁତ୍ର ପ୍ରମୋଦ ଛାଟୋଇଙ୍କ ସହିତ ବୈଦିକ ରୀତିରେ ବିବାହ କରିଥିଲେ । କିଛି ବର୍ଷ ପରେ ଅଧିକ ଯୌତୁକ ଓ ଏକ ବାଇକ ପାଇଁ ନବ ବଧୂ ଉପରେ ଆରମ୍ଭ ହୋଇଯାଇଥିଲା ଜୁଲୁମ୍ । ସ୍ୱାମୀ, ଦେଢଶୁର, ଶାଶୁ ଓ ଶ୍ୱଶୁର ମିଶି  ଅହଲ୍ୟା ଉପରେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ଏ ସମ୍ପର୍କରେ ଅହଲ୍ୟା ନିଜ ବାପାଙ୍କୁ କହିବା ପରେ ବାପା ଆସବାବପତ୍ର କିଣିବା ପାଇଁ ଝିଅର ବ୍ୟାଙ୍କ ଆକାଉଣ୍ଟକୁ ୬୦ ହଜାର ଟଙ୍କା ମଧ୍ୟ ପଠାଇଥିଲେ । କିନ୍ତୁ ଆଜି ହଠାତ ଜ୍ବାଇଁ ପ୍ରମୋଦ ଶ୍ୱଶୁରଙ୍କୁ ଫୋନ କରି ଝିଅର ଦେହ ଖରାପ ଥିବା ଖବର ଦେଇଥିଲେ । ଖବର ପାଇ ବାପଘର ଲୋକ ଝିଅ ଘରେ ପହଞ୍ଚି ଝିଅର ଅର୍ଦ୍ଧ ଦଗ୍ଧ ମୃତ ଶରୀର ଦେଖିବାକୁ ପାଇଥିଲେ । ଏ ଘଟଣାକୁ  ନେଇ ଅୟଲ୍ୟାଙ୍କ ପରିବାର ଲୋକେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.