ମାହାଙ୍ଗା: ପୁଣି ଏକ ଯୌତୁକ ଜୁଇରେ ନବବଧୂ, ଶାଶୁଘର ବିରୋଧରେ ଆସିଲା ନିର୍ଯାତନା ଅଭିଯୋଗ
କଟକ: ଦୁନିଆ ଯେତିକି ଯେତିକି ଅଧୁନିକତାର ରାସ୍ତାରେ ଗତି କରୁଛି ସେତିକି ଯୌତୁକ ନିର୍ଯାତନାଜନୀତ ଘଟଣା ମୁଣ୍ଡ ଟେକି ଛିଡା ହେଉଛି। ଧାର ଉଦ୍ଧାର କରି ଝିଅ ବାହା କରୁଥିବା ବାପାଟିଏ ମର୍ମାହାତ ହୋଇପଡେ ଯେତେବେଳେ ଝିଅର ଶଶୁଘର ଲୋକେ ତାଙ୍କଠାର ଅତ୍ୟଧିକ ଟଙ୍କା ଓ ଆସବାବପତ୍ର ଡିମାଣ୍ଡ କରନ୍ତି। ଯେତେ ଯେତେ ସଚେତନତା କାର୍ୟ୍ୟକ୍ରମ ହେଲେ ମଧ୍ୟ ଏହି ଯୌତୁକର ବ୍ୟାଧି ଲୋକଙ୍କ ପାଖରୁ ଛାଡିବାର ନାମ ନେଉନାହିଁ। ଯାହ ଫଳରେ ଅନେକ ନବବଧୂ ଯୌତୁକ ଯୁଇରେ ଚିରଦିନପାଇଁ ଶେଇଯାନ୍ତି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗାର ତୁଳସୀପୁର ଅଞ୍ଚଳରେ। ଯେଉଁଠାରେ ସାମାନ୍ୟ ୫୦ ହଜାର ଟଙ୍କା ଯୌତୁକ ପାଇଁ ଏକ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ମୂତାବକ ନିଶ୍ଚିତକୋଇଲି ଜୁଳୁକିୁପଡ଼ାର ପ୍ରସନ୍ନ କୁମାର ବାରିକ ତାଙ୍କ ୨୧ ବର୍ଷିୟା ଝିଅ ଲକ୍ଷ୍ମିପ୍ରିୟା ବାରିକଙ୍କୁ ମାହାଙ୍ଗା ତୂଳସୀପୁର ପଲ୍ଲୀସାହିର ସୁବାସ ଚନ୍ଦ୍ର ବାରିକଙ୍କ ସହ ୭ ମଇ ୨୦୧୯ରେ ବିବାହ କରାଇଥିଲେ। ସେତେବେଳେ ପ୍ରସନ୍ନ ଝିଅର ଯୌତୁକ ବାବଦକୁ ୮୦ ହଜାର ଟଙ୍କା, ସୁନା ଗହଣା ଓ ଆସବାବପତ୍ର ଶାଶୁଘରକୁ ଦେଇଥିଲେ। ବିବାହର କିଛିଦିନ ପରେ ଶଶୁଘର ଲୋକେ ନିର୍ଯାତନା ଦେଇ ଅଧିକ ୫୦ ହଜାର ଟଙ୍କା ଓ ଏକ ଟିଭି ପାଇଁ ଦାବି କରିଥିଲେ। କିନ୍ତୁ ଅଭାବୀ ପ୍ରସନ୍ନ ଝିଅର ଶଶୁଘର ଦାବିକୁ ପୂରଣ କରିବା ପାଇଁ ସମୟ ମଗିଥିଲେ। ପ୍ରତିଦିନ ଲକ୍ଷ୍ମୀପ୍ରିୟା ନିଜ ବାପାଙ୍କୁ ଶାଶୁଘର ଲୋକଙ୍କ ନିର୍ଯାତନା ବିଷୟରେ ଫୋନ କରି ଜଣାନ୍ତି। ହେଲେ କିଛି କରିବା ପାଇଁ ପ୍ରସନ୍ନଙ୍କ ପାଖରେ ଉପାୟ ନଥିଲା।
ଲକ୍ଷ୍ମୀପ୍ରିୟାଙ୍କ ବାପାଙ୍କ କହିବା ମୁତାବକ ଗତ ୩୦ ତାରିଖରେ ତାଙ୍କ ଝିଅ ଫୋନଯୋଗେ କହିଥିଲା ଯେ ତାଙ୍କୁ ତାଙ୍କ ଶଶୁଘର ଲୋକେ ଯୌତୁକ ନଆଣିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଉଛନ୍ତି। ଏହା ଶୁଣି ପ୍ରସନ୍ନ କହିଥିଲେ କିଛିଦିନ ପରେ ସେ ଟଙ୍କା ଯୋଗଡା କରି ଶାଶୁଘରକୁ ଦେବେ ବୋଲି ଝିଅକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜି ସକାଳୁ ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ସୁବାସ ପ୍ରସନ୍ନଙ୍କୁ ଫୋନ କରି କହିଥିଲେ ତାଙ୍କ ଝିଅ ବେକରେ ରଶି ଲଗାଇ ଦେଇଛି। ଏହା ଶୁଣି ପ୍ରସନ୍ନଙ୍କ ଗୋଡତଳୁ ମାଟି ଖସିଯାଇଥିଲା। ଖବର ପାଇ ପ୍ରସନ୍ନ ଝିଅର ଶାଶୁଘରକୁ ଯାଇ ଦେଖିବାକୁ ପାଇଥିଲେ ତାଙ୍କ ଝିଅ ମୃତ ଅବସ୍ଥାରେ ପଡି ରହିଛି। ଏହା ପରେ ପ୍ରସନ୍ନ ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବାର ଅଭିଯୋଗ ଆଣି ଥାନାର ଏତେଲା ଦେଇଛନ୍ତି